ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବିଦା ହେଲେ

ପାଠକ ପରିବାର ସହ ବନ୍ଧୁତା ମହଙ୍ଗା ପଡ଼ିଲା

0

ଭୁବନେଶ୍ବର,୨୯/୧୧: ବରିଷ୍ଠ ବିଜେଡି ନେତା ତଥା ଗୋପାଳପୁରର ବିଧାୟକ ଡକ୍ଟର୍‌ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବିଦା ହୋଇଛନ୍ତି। ଲୋକଙ୍କ ବିରୋଧୀ କାମ କରୁଥିବାରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି ବୋଲି ଦଳ ପକ୍ଷରୁ ଜାରି ଏକ ପ୍ରେସ୍‌ ବିବୃତ୍ତିରେ କୁହାଯାଇଛି। ବିଜେଡି ସୁପ୍ରିମୋଙ୍କର ଏହି କାର୍ଯ୍ୟାନୁଷ୍ଠାନ ପାୱାର୍‌ କରିଡର୍‌ରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଜେଲ୍‌ରେ ଥିବା ଆଇଏଫ୍‌ଏସ୍‌ ଅଫିସର୍‌ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ସହ ପ୍ରଦୀପ ପାଣିଗ୍ରାହୀଙ୍କର ପାରିବାରିକ ସମ୍ପର୍କ ଯୋଡ଼ି ହେବାକୁ ଯାଉଥିଲା। ଆକାଶଙ୍କ ସହ ପ୍ରଦୀପଙ୍କ ଝିଅର ବାହାଘର ଆସନ୍ତା ଡିସେମ୍ବର ୧୫ ତ‌ାରିଖରେ ହେବାର ଥିଲା। ଏଥି ପାଇଁ କାର୍ଡ ମଧ୍ୟ ବଣ୍ଟା ସରିଥିଲା। ଅଭୟକାନ୍ତ – ଆକାଶ ଭିଜିଲାନ୍ସ ଜାଲରେ ପଡ଼ିଲା ପରେ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ଚର୍ଚ୍ଚା ଅ୍ରାରମ୍ଭ ହୋଇଥିଲା। ପୁଣି ଆକାଶ ନିଜକୁ ଟାଟା ମୋଟର୍ସର ଏମ୍‌ଡି କହି ବହୁ ‌ଉଚ୍ଚଶିକ୍ଷିତ ପିଲାଙ୍କୁ ଜାଲ୍‌ ନିଯୁକ୍ତି ପତ୍ର ଦେଇଥିଲେ। ସେ ଟାଟା ମୋଟର୍ସର କର୍ମଚାରୀ ନୁହନ୍ତି ବୋଲି ଟାଟା ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କ୍ରାଇମ୍‌ବ୍ରାଞ୍ଚ୍‌ରେ ଅଭି‌ଯୋଗ କରାଯାଇଥିଲା। ଆକାଶ ଜାଲ୍‌ ନିଯୁକ୍ତିପତ୍ର ଦେଇଥିବା ପିଲାଙ୍କ ମଧ୍ୟରୁ ଅଧିକାଂଶଙ୍କର ଘର ଗୋପାଳପୁର ନିର୍ବାଚନମଣ୍ଡଳୀରେ। ଏହା ଜଣାପଡ଼ିବା ପରେ ପ୍ରଦୀପ ପାଣିଗ୍ରାହୀଙ୍କ ଭୂମିକା ଗତକାଲି ଠାରୁ ସନ୍ଦେହ ଘେରକୁ ଆସିଥିଲା। ତେଣୁ ଯେ କୌଣସି ମୂହୁର୍ତ୍ତରେ ଦଳର ସୁପ୍ରିମୋ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ବୋଲି ଅନୁମାନ କରାଯାଉଥିଲା।

ଆହୁରି ମଧ୍ୟ କୋଭିଡ୍‌ ଲକ୍‌ଡାଉନ୍ ସମୟରୁ ପ୍ରଦୀପ ପାଣିଗ୍ରାହୀ ସରକାରଙ୍କ ରୋଷର ଶୀକାର ହୋଇଥିଲେ। ଗଞ୍ଜାମରେ କୋଭିଡ୍‌ ପରିଚାଳନା ନେଇ ପ୍ରଶ୍ନ ଉଠାଇବା ସହ ଜନ ପ୍ରତିନିଧିଙ୍କୁ ଦାୟିତ୍ବ ଦେବା ପାଇଁ ଦାବି କରିଥିଲେ। ଏଥି ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଚର୍ଚ୍ଚାର ପରିସରକୁ ଆସିଥିଲେ।

Leave A Reply

Your email address will not be published.