ନିଜ ଦରମା ଓ ଭତ୍ତା ବଢ଼ାଇବାକୁ ବିଧାୟକଙ୍କ ଦାବି

0

ଭୁବନେଶ୍ବର, ୩୦।୭: ବିଧାନସଭାରେ ସବୁ ଦଳର ବିଧାୟକ ଆଜି ମିଳିତ ଭାବେ ନିଜର ଦରମା ଓ ଭତ୍ତା ବୃଦ୍ଧି କରିବା ପାଇଁ ଦାବି କରିଛନ୍ତି। ବିଧାୟକମାନେ ଦରମା ବୃଦ୍ଧି ପାଇଁ ଦାବି କରିବା ପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଏହା ଉପରେ ବିଚାର କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏବେ ପ୍ରାୟ ଏକ ଲକ୍ଷ ଟଙ୍କା ଦରମା ଓ ନିଜ ନିର୍ବାଚନମଣ୍ଡଳୀର ବିକାଶ ପାଇଁ ୩କୋଟି ଟଙ୍କାର ହାତ ପାଣ୍ଠି ପାଉଥିବା ବିଧାୟକମାନଙ୍କ ଦରମା ଦାବିକୁ ନେଇ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି।

ଆଜି ଶୂନ୍ୟକାଳରେ ବିଧାୟକମାନେ ଏକଜୁଟ ହୋଇ ଦରମା ବୃଦ୍ଧି ପାଇଁ ଦାବି ଉପସ୍ଥାପନ କରିଥିଲେ। କଂଗ୍ରେସ, ବିଜେପି ଓ ବିଜେଡି ବିଧାୟକମାନେ ଦରମା ବୃଦ୍ଧି ପ୍ରସଙ୍ଗ ଉଠାଇଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ, ଶେଷଥର ପାଇଁ ୨୦୧୭ ସେପ୍ଟେମ୍ବର ୧୩ତାରିଖରେ ବିଧାୟକମାନଙ୍କ ଗସ୍ତ ଖର୍ଚ୍ଚ ଓ ଦରମା ବୃଦ୍ଧି ପାଇଥିଲା । ଆଉ ଏବେ ସବୁ ରେଟ୍ ବଢ଼ିଲାଣି । ତେଣୁ ବିଧାୟକମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚ ବଢ଼ାଇବାକୁ ସେ ଦାବି କରିଥିଲେ । ଅନ୍ୟ ରାଜ୍ୟର ବିଧାୟକମାନେ ଅଧିକ ଟଙ୍କା ଦରମା ପାଉଥିବାବେଳେ ଓଡ଼ିଶାରେ ତାହା ବହୁତ କମ୍ । ଓଡ଼ିଶାରେ ବିଧାୟକମାନେ ଦରମା ଓ ଗସ୍ତ ଖର୍ଚ୍ଚକୁ ମିଶାଇଲେ ୯୯ହଜାର ୮୦୦ଟଙ୍କା ରହିଛି । ତେଣୁ ଏହାକୁ ବଢ଼ାଇବାକୁ ଶ୍ରୀ ମାଝୀ ଦାବି ରଖିଥିଲେ ।

ସେହିପରି କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଥିଲେ ଯେ, ଅନେକ ସାମାଜିକ କାର୍ଯ୍ୟକ୍ରମକୁ ବିଧାୟକମାନେ ଯାଉଛନ୍ତି । ତେଣୁ ଖର୍ଚ୍ଚ ବଢ଼ିବା ଦରକାର । ବିଧାୟକମାନଙ୍କ ଦରମା ଓ ଅନ୍ୟାନ୍ୟ ଭତ୍ତା ବୃଦ୍ଧି ସମେତ ପୂର୍ବତନ ବିଧାୟକମାନେ ଏବେ ମାତ୍ର ୩୦ହଜାର ଟଙ୍କା ପେନସନ ପାଉଥିବାରୁ ସେଥିରେ ବୃଦ୍ଧି କରିବାକୁ ସେ ଦାବି କରିଥିଲେ ।

ଅନ୍ୟପକ୍ଷରେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ମଧ୍ୟ ବିଧାୟକମାନଙ୍କ ଦରମା ବୃଦ୍ଧିକୁ ସମର୍ଥନ କରି କହିଥିଲେ ଯେ, ବିଧାୟକମାନଙ୍କ ଦରମା, ପେନସନ ଓ ମେଡିକାଲ ଭତ୍ତା ବୃଦ୍ଧି ହେବା ଦରକାର । ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ମଧ୍ୟ ବିଧାୟକମାନଙ୍କ ଦରମା ବୃଦ୍ଧି ପାଇଁ ଦାବି କରିଥିଳେ । ଅଧିକାଂଶ ବିଧାୟକ ଏହି ଦାବିକୁ ସମର୍ଥନ କରିବା ପରେ ବାଚସ୍ପତି ଶ୍ରୀ ଆରୁଖ ଏନେଇ ସୁବିଚାର କରିବା ନିମନ୍ତେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.