ଏପ୍ରିଲ ପହିଲାରୁ ପୁରୀ ସହରର ୨ଟି ରୁଟରେ ଗଡ଼ିବ ମୋ ବସ୍

0

ଭୁବନେଶ୍ବର, ୨୯।୩: ପୁରୀ ସହର ମଧ୍ୟରେ ଚାଲିବ ‘ମୋ ବସ୍‌’। ଏପ୍ରିଲ୍‌ ୧ ତାରିଖରୁ ପୁରୀ ସହରରେ ‘ମୋ ବସ୍’ ଚଲାଇବା ପାଇଁ ଘୋଷଣା କରିଛନ୍ତି କ୍ୟାପିଟାଲ୍ ରିଜିଅନ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍‌) କର୍ତ୍ତୃପକ୍ଷ। ପ୍ରଥମେ ସହରର ଦୁଇଟି ରୁଟ୍‌- ୫୨ ଓ ୫୩ ରେ ଗଡ଼ିବ ‘ମୋ ବସ୍’। ରୁଟ୍‌ ନମ୍ବର ୫୨ ଅର୍ଥାତ୍ ପୁରୀ ବସ୍‌ଷ୍ଟାଣ୍ଡ ଓ ଲାଇଟ୍ ହାଉସ୍ ମଧ୍ୟରେ ମୋ ବସ୍ ଚାଲିବ। ପୁରୀ ବସ୍‌ଷ୍ଟାଣ୍ଡରୁ ମୋ ବସ୍ ବାହାରି ପୁରୀ ରେଳ ଷ୍ଟେସନ୍‌, ଜିଲ୍ଲା ସ୍କୁଲ୍‌, ଟୁରିଷ୍ଟ୍ ଅଫିସ୍ ସି ବିଚ୍ ରୋଡ୍‌, ଚୈତନ୍ୟ ସ୍କୋୟାର ଓ ସ୍ୱର୍ଗଦ୍ୱାର ଦେଇ ଲାଇଟ୍ ହାଉସ୍‌ରେ ପହଞ୍ଚିବ। ସେହିଭଳି ଲାଇଟ୍‌ ହାଉସ୍‌ର ଯେଉଁ ବସ୍ ବାହାରିବ ତାହା ଏହି ସବୁ ସ୍ଥାନ ଦେଇ ପୁରୀ ବସ୍‌ଷ୍ଟାଣ୍ଡରେ ପହଞ୍ଚିବ।

ସେହିଭଳି ରୁଟ୍ ନମ୍ବର ୫୩ ମାଳତୀପାଟପୁର ବସ୍‌ଷ୍ଟାଣ୍ଡ ଓ ପୁରୀ ବସ୍‌ଷ୍ଟାଣ୍ଡ ମଧ୍ୟରେ ଯୋଗାଯୋଗ କରିବ। ମାଳତୀପାଟପୁର ବସ୍‌ଷ୍ଟାଣ୍ଡରୁ ମୋ ବସ୍ ବାହାରି ବୀରହରେକୃଷ୍ଣପୁର, ବାଟ ମଙ୍ଗଳା ମନ୍ଦିର, ଅଠରନଳା ଓ ମାଟିଆପଡ଼ା ସ୍କୋୟାର ଦେଇ ପୁରୀ ବସ୍‌ଷ୍ଟାଣ୍ଡରେ ପହଞ୍ଚିବ। ସେହିପରି ପୁରୀ ବସ୍‌ଷ୍ଟାଣ୍ଡରୁ ମୋ ବସ୍ ବାହାରି ଏହି ସବୁ ସ୍ଥାନ ଦେଇ ମାଳତୀପାଟପୁର ବସ୍‌ଷ୍ଟାଣ୍ଡରେ ପହଞ୍ଚିବ।

Leave A Reply

Your email address will not be published.