ଆସନ୍ତା ୪୮ ଘଣ୍ଟାରେ ପୂରା ଓଡ଼ିଶାକୁ ଛୁଇଁବ ମୌସୁମୀ

0

ଭୁବନେଶ୍ବର, ୧୧।୬ : ଆଉ ୪୮ ଘଣ୍ଟାରେ ପୂରା ଓଡ଼ିଶାରେ ସକ୍ରିୟ ହୋଇଯିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଗତକାଲି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ରହିଥିବା ଘୂର୍ଣ୍ଣିବଳୟ ଆଜି ଅଧିକ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳରେ ଆଜି ସକାଳ‌େ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଯାଇଛି। ଏହା ଆସନ୍ତା ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବା ସହ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ ଓ ଓଡ଼ିଶା ଦେଇ ଅତିକ୍ରମ କରିବ। ଏହା ଫଳରେ ସମ୍ପୂର୍ଣ୍ଣ ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଯିବ ଓ ଆସନ୍ତା ୧୫ ତାରିଖ ଯାଏ ବର୍ଷା ହେବ।

ଦକ୍ଷିଣ-ପଶ୍ଚିମ ମୌସୁମୀ ଆଜି ଆହୁରି ଅଗ୍ରଗତି କରି ଉତ୍ତର ଆରବ ସାଗର, ଦକ୍ଷିଣ ଗୁଜୁରାଟର ଆଉ କିଛି ଅଂଶ, ଦକ୍ଷିଣ ମଧ୍ୟପ୍ରଦେଶ ଓ ଛତିଶଗଡ଼, ଓଡ଼ିଶାର ଆଉ କିଛି ଅଂଶ ଓ ପଶ୍ଚିମବଙ୍ଗର କିଛି ଅଂଶକୁ ସ୍ପର୍ଶ କରିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ ସମଗ୍ର ଓଡ଼ିଶା ଓ ଛତିଶଗଡ଼, ମଧ୍ୟପ୍ରଦେଶର ଓ ବିହାରର ଆଉ କିଛି ଅଂଶ ଓ ଉତ୍ତରପ୍ରଦେଶରେ ପହଞ୍ଚିବାର ସମ୍ଭାବନା ରହିଛି

ଆସନ୍ତା ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପୂର୍ବ ଭାରତ ବିଶେଷକରି ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ମଧ୍ୟ ଭାରତର କେତେକ ଅଂଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଓଡ଼ିଶାର କେତେକ ସ୍ଥାନେ ଅତି ପ୍ରବଳ ବର୍ଷା ଅର୍ଥାତ ୨୦ ମିଲିମିଟରରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।ସେହିପରି ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ବି ଏହି ଲଘୁଚାପ ପ୍ରଭାବରୁ ବର୍ଷା ହେବ ।

 

Leave A Reply

Your email address will not be published.