ସରିଲା ପୌର ନିର୍ବାଚନ

ଭୁବନେଶ୍ବରରେ ୫୦%, କଟକରେ ୬୫% ଓ ବ୍ରହ୍ମପୁରରେ ୪୭% ମତଦାନ

0

 

ଭୁବନେଶ୍ବର, ୨୪।୩: ରାଜ୍ୟରେ ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ମଧ୍ୟରେ ଆଜି ପୌର ନିର୍ବାଚନ ପାଇଁ ଭୋଟଗ୍ରହଣ ଶେଷ ହୋଇଛି । ରାଜ୍ୟର ୧୦୬ଟି ପୌର ପରିଷଦ ଓ ଏଏନ୍‌ସିରେ ମୋଟ ୬୫% ମତଦାନ ହୋଇଥିବା ବେଳେ ବ୍ରହ୍ମପୁର ମହାନଗର ନିଗମରେ ୪୭%, ଭୁବନେଶ୍ୱର ମହାନଗର ନିଗମରେ ୫୦% ଓ କଟକରେ ୬୫% ମତଦାନ ହୋଇଛି । ବାଲଟ୍ କାଗଜରେ ତ୍ରୁଟି ଯୋଗୁ କେବଳ ନବରଙ୍ଗପୁର ଜିଲ୍ଲାର ଉମରକୋଟ ପୌର ପରିଷଦର ୮ ନମ୍ବର ୱାର୍ଡରେ ଆସନ୍ତାକାଲି ପୁନଃ ଭୋଟଗ୍ରହଣ ଅନୁଷ୍ଠିତ ହେବ।

ରାଜ୍ୟ ନିର୍ବାଚନ କମିସନର କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ୧୫ଟି ଜିଲ୍ଲାର ମୋଟ ୭୦ଟି ୱାର୍ଡରେ କାଉନସିଲର ପ୍ରାର୍ଥୀ ଓ ବ୍ରହ୍ମପୁର ମହାନଗର ନିଗମର ୩ଟି ୱାର୍ଡରେ କର୍ପୋରେଟର ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱ ନିର୍ବାଚିତ ହୋଇଛନ୍ତି । ଏହି ମୋଟ ୭୩ଟି ୱାର୍ଡରୁ ଗୋଟିଏ ଲେଖାଏଁ ଆସନ ବିଜେପି ଓ କଂଗ୍ରେସକୁ ଯାଇଥିବାବେଳେ ଦୁଇଟି ସ୍ୱାଧୀନ ଓ ବାକି ୬୯ଟି ୱାର୍ଡରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଆଜି ରାଜ୍ୟର ୪୭ଟି ପୌର ପରିଷଦ ଓ ୫୯ଟି ଏନଏସି ଏବଂ ୩ଟି ମହାନଗର ନିଗମର ମୋଟ ୧୮୨୫ଟି ୱାର୍ଡର ୪୩୬୦ଟି ବୁଥରେ ନିର୍ବାଚନ ଅନୁଷ୍ଠିତ ହୋଇଛି । ଏହି ନିର୍ବାଚନରେ ମୋଟ ୪୦.୫୫ଲକ୍ଷରୁ ଅଧିକ ଭୋଟର ଥିବାବେଳେ ଅପରାହ୍ନ ୩ଟା ସୁଦ୍ଧା ହାରାହାରି ୪୫% ମତଦାନ ରେକର୍ଡ କରାଯାଇଥିଲା । କିଛି ସ୍ଥାନକୁ ବାଦ୍ ଦେଲେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଛି ବୋଲି ନିର୍ବାଚନ କମିଶନର ସୂଚନା ଦେଇଛନ୍ତି । ଅଳ୍ପ କିଛି ସ୍ଥାନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଭୋଟଗ୍ରହଣ ବିଳମ୍ବ ହୋଇଥିଲା। ପରବର୍ତ୍ତୀ ସମୟରେ ସେ ସବୁ ସ୍ଥାନରେ ଭୋଟଗ୍ରହଣ ସ୍ୱାଭାବିକ ହୋଇଛି ।

ଭଦ୍ରକର ଧାମନଗର ଏନଏସିର ୯ ନମ୍ବର ୱାର୍ଡରେ ବୁଥରିଙ୍ଗିକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ସେହିପରି ପିପିଲି ଏନଏସିର ୭ ନମ୍ବର ୱାର୍ଡର ୯ ନମ୍ବର ବୁଥରେ ବିଜେପିର ଜଣେ ଏଜେଣ୍ଟଙ୍କ ଉପରେ ବିଜେଡି କର୍ମୀମାନେ ଆକ୍ରମଣ କରିଛନ୍ତି । ତାଙ୍କର ମୁଣ୍ଡ ଫାଟିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭଦ୍ରକ ମ୍ୟୁନିସପାଲଟିରେ ବିଜେଡି ଓ ବିଜେପି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଓ ଛୁରାମାଡ଼ ହୋଇଛି ।

ସେହିପରି ଭଦ୍ରକର ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ସ୍ୱାମୀକୁ ପୁଲିସ ଅଟକ ରଖିଛି । ପାଟଣାଗଡ଼ ଏନଏସିରେ ଭୋଟରଙ୍କୁ ଟଙ୍କା ବାଂଟିବାକୁ କେନ୍ଦ୍ର କରି ସ୍ଥାନୀୟ ବିଧାୟକ ସରୋଜ ମେହେରଙ୍କ ଭାଇ ପ୍ରଦୀପ ମେହେରଙ୍କୁ ଲୋକେ ନିସ୍ତୁକ ମାଡ଼ ମାରିଛନ୍ତି । ସେହିପରି କଂଟାବାଞ୍ଜିର ୩ଟି ବୁଥ କ୍ୟାପଚରିଂ କରିବାକୁ ନେଇ ବିଜେଡି ଓ କଂଗ୍ରେସ ସମର୍ଥକ ମୁହାଁମୁହିଁ ହୋଇଛନ୍ତି । ୨ଜଣ ଆହତ ହୋଇଥିବାବେଳେ ବିଜେଡି କର୍ମୀମାନେ ଧାରଣାରେ ବସିଥିବାର ସୂଚନା ମିଳିଛି ।

ସେହିପରି ଚିକିଟି ଏନଏଏସିରେ ବିଜେପିର ଅଧ୍ୟକ୍ଷା ପ୍ରାର୍ଥୀ ପୁଷ୍ପାଞ୍ଜଳି ସେଠୀଙ୍କ ଘର ଉପରେ ବିଜେଡି କର୍ମୀମାନେ ଧସେଇ ପଶି ଆକ୍ରମଣ କରିଛନ୍ତି । ବିଜେଡି କର୍ମୀଙ୍କ ଆକ୍ରମଣରେ ସ୍ଥାନୀୟ ବିଜେପି ନେତା ମନୋରଞ୍ଜନ ଦ୍ୟାନସାମନ୍ତରାୟଙ୍କ ଗାଡ଼ି ଭଙ୍ଗାରୁଜା କରିଥିବାବେଳେ ୪ଟି ବାଇକକୁ ଭାଙ୍ଗି ଦେଇଛନ୍ତି । ୩ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି । ସେହିପରି କଟକର ୫୩ ନମ୍ବର ୱାର୍ଡରେ ଭୋଟ୍ ବେଳେ ଗଣ୍ଡଗୋଳ କରିବାକୁ ନେଇ ଜଣେ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ନିର୍ଧୂମ ମାଡ଼ ମାରିଥିବା ଜଣାପଡ଼ିଛି।

Leave A Reply

Your email address will not be published.