୭ ଦିନିଆ ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଟୋକିଓ ଓ କାଇଟୋରେ ନିବେଶକମାନଙ୍କ ସହିତ କରିବେ ଆଲୋଚନା

ଭୁବନେଶ୍ଵର, ୦୩/୦୪ : ୭ ଦିନିଆ ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହ ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତରେ ବାହାରିଛନ୍ତି। ଶିଳ୍ପ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଶିଳ୍ପ ସଚିବ, ଆଇଟି ସଚିବ, ଆଇପିଆଇସିଓଏଲ୍ ଏମଡି, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ଓ ସ୍ଵତନ୍ତ୍ର ସଚିବ ସାମିଲ ଆଛନ୍ତି। ଆଇଟି, ଶିଳ୍ପ, ପର୍ଯ୍ୟଟନ ଓ କ୍ରୀଡ଼ା କ୍ଷେତ୍ର ପାଇଁ ନିବେଶକାରୀଙ୍କୁ ଭେଟିବେ। ନିବେଶକୁ ଆକର୍ଷିତ କରିବା, ସଂସ୍କୃତି ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତରେ ବାହାରିଛନ୍ତି।

ଇସ୍ପାତ, ଆଲୁମିନିୟମ୍, ଟେକ୍ସଟାଇଲ୍, ଖାଦ୍ୟ ଏବଂ ସାଗର-ଖାଦ୍ୟ ପ୍ରକ୍ରିୟାକରଣ, ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଆମୋନିୟା ସେକ୍ଟରରେ ମନୋନୀତ ଶିଳ୍ପକୁ ନେଇ ଓଡ଼ିଶାର ଏକ ବ୍ୟବସାୟ ପ୍ରତିନିଧୀ ମଧ୍ୟ ଜାପାନ ଗସ୍ତରେ ପ୍ରତିନିଧୀ ଦଳ ସହିତ ଯୋଗ ଦେବେ ଏବଂ ବୈଠକ କରିବେ। ଏହି ଅବସରରେ ଓଡ଼ିଶା ବିଜନେସ୍ ମିଟ୍ ଟୋକିଓ ୨୦୨୩ର ଆୟୋଜନ କରାଯାଇଛି।

ଏହି ପ୍ରତିନିଧୀ ଦଳ କିମିତ୍ସୁ ଷ୍ଟିଲ୍ ୱାର୍କସ ଏବଂ ନିପନ୍ ଷ୍ଟିଲ୍ କର୍ପୋରେସନ୍ ର R&D କେନ୍ଦ୍ର ପରିଦର୍ଶନ କରିବେ। ଏହି ପ୍ରତିନିଧୀ ଦଳ ଦକ୍ଷତା ବିକାଶ ଏବଂ ଉଚ୍ଚ-ବୈଷୟିକ ଷ୍ଟାର୍ଟ ଅପ୍ କ୍ଷେତ୍ରରେ ସହଯୋଗର ଉପାୟ ମଧ୍ୟ ଅନୁସନ୍ଧାନ କରିବେ। ଓଡ଼ିଶାର ବୁଦ୍ଧିଷ୍ଟ ଏବଂ ଇକୋ-ଟୁରିଜିମ୍ ସମ୍ବନ୍ଧୀୟ ସ୍ଥାନଗୁଡିକ ଉପରେ ଧ୍ୟାନ ଦେଇ ପର୍ଯ୍ୟଟନ କ୍ଷେତ୍ରରେ ଜାପାନ ଏବଂ ଓଡ଼ିଶା ମଧ୍ୟରେ ସହଯୋଗର ସୁଯୋଗ ଉପରେ ରାଜ୍ୟ ପ୍ରତିନିଧୀ କାଇଟୋରେ ଏକ ଗୋଲ୍ ଟେବୁଲ୍ ବୈଠକ କରିବେ। ଓଡ଼ିଶାରେ କ୍ରୀଡ଼ା ପ୍ରତିଭାର ତାଲିମ ତଥା ବିକାଶରେ ସମ୍ଭାବ୍ୟ ସହଯୋଗକୁ ମଧ୍ୟ ଅନୁସନ୍ଧାନ କରିବାକୁ ଯୋଜନା କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ଓଡ଼ିଶାକୁ ଏକ ଅନୁକୂଳ ପୁଞ୍ଜି ବିନିଯୋଗ ଲକ୍ଷ୍ୟ ଭାବରେ ପ୍ରୋତ୍ସାହିତ କରିବ। ଜାପାନ ସହିତ ଉଦୀୟମାନ ଅର୍ଥନୈତିକ ଏବଂ ସାଂସ୍କୃତିକ ସମ୍ପର୍କକୁ ଦୃଢ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦୃଢ କରିବ।

Comments are closed.