ଆଉନାହାନ୍ତି ନନ୍ଦ ସାର୍‌

୧୦୪ ବର୍ଷ ବୟସରେ କରୋନାରେ ଦେହାନ୍ତ

0

ଭୁବନେଶ୍ବର, ୭।୧୨: ନନ୍ଦ ସାର୍ ଭାବେ ଜଣାଶୁଣା ଶତାୟୁ ଚାଟଶାଳୀ ଶିକ୍ଷକ ପଦ୍ମଶ୍ରୀ ନନ୍ଦକିଶୋର ପୃଷ୍ଟିଙ୍କର ଆଜି ପରଲୋକ ହୋଇଯାଇଛି। କୋଭିଡ୍‌ରେ ଆକ୍ରାନ୍ତ ହୋଇଥିବା ନନ୍ଦ ସାର୍‌ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ନାତି ଖଗେଶ୍ୱର ପୃଷ୍ଟି ଏହି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ନନ୍ଦ ସାର୍‌ଙ୍କୁ ୧୦୪ ବର୍ଷ ହୋଇଥିଲା। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଆଜି ଦିନ ୧ଟା ୨୮ ମିନିଟ୍‌ରେ ତାଙ୍କର ପରଲୋକ ହୋଇଥିଲା।

ନଭେମ୍ବର ୨୯ ତାରିଖରେ ନନ୍ଦ ସାର ଅସୁସ୍ଥ ଅନୁଭବ କରି ତଳେ ପଡ଼ି ଯାଇଥିଲେ। ଏହାପରେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଥିଲେ। ତା’ପରେ ସେହି ଦିନ ରାତିରେ ତାଙ୍କୁ ଯାଜପୁର ଜିଲ୍ଲାରେ ଥିବା ଏକ କୋଭିଡ୍‌ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ତିନି ଦିନ ତଳେ ସେଠାରୁ ତାଙ୍କୁ ଭୁବନେଶ୍ୱର ଅଣାଯାଇ ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ସୂଚନାଯୋଗ୍ୟ, ନଭେମ୍ବର ୯ ତାରିଖରେ ସେ ନୂଆଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଦ୍ୱାରା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକ୍‌ର କନ୍ତିରା ଗାଁର ବାସିନ୍ଦା ନନ୍ଦ ସାର୍ ୭୫ ବର୍ଷ ଧରି ଗାଁ ଛୁଆଙ୍କୁ ଚାଟଶାଳୀରେ ପାଠପଢ଼ାଇ ଆସୁଥିଲେ। ହେଲେ ଏଥିପାଇଁ ସେ ପାରିଶ୍ରମିକ ନେଉ ନଥିଲେ। ନନ୍ଦ ସାର୍‌ଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ଲୋକ ଶୋକ ପ୍ରକାଶ କରିଛନ୍ତି। ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ନନ୍ଦ ସାରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ଶିକ୍ଷକତା ଜଗତରେ ଏକ ଯୁଗର ଅବସାନ ହେଲା ବୋଲି ଟ୍ୱିଟ କରିଛନ୍ତି। ଏଥିସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସେ ଗଭୀର ସମବେଦନା ଜଣାଇଛନ୍ତି।

 

Leave A Reply

Your email address will not be published.