ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ପୁଣି ନବୀନ ନମ୍ବର ୱାନ୍

ନୂଆଦିଲ୍ଲୀ ୨୬।୦୮: ପୁଣି ଆଗରେ ଆମ ମୁଖ୍ୟମନ୍ତ୍ରୀ । ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ୧ ନମ୍ବର ସ୍ଥାନ ପାଇଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଇଣ୍ଡିଆ ଟୁଡେ ମୁଡ୍ ଅଫ ଦି ନେସନ ସର୍ଭେରେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ । ସର୍ଭେରେ ମୁଖ୍ୟମନ୍ତ୍ରୀଙ୍କୁ ମିଳିଛି ୬୧.୩ ପ୍ରତିଶତ ସମର୍ଥନ। ସେହିଭଳି ଦ୍ବିତୀୟ ସ୍ଥ‌ାନରେ ଛତିଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏବଂ ତୃତୀୟ ସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

ଇଣ୍ଡିଆ ଟୁଡେ ମୁଡ୍ ଅଫ ଦି ନେସନ ସର୍ଭେରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ସ୍ଥାନ ଅଳଙ୍କୃତ କରିଛନ୍ତି। ସର୍ଭେରେ ନବୀନ ପଟ୍ଟନାୟକଙ୍କୁ ୬୧ ଦଶମିକ ୩ ପ୍ରତିଶତ ସମର୍ଥନ ମିଳିଛି । ନିରବଚ୍ଛିନ୍ନ ଭାବେ ୨୦୦୦ ମସିହାରୁ ଏଯାଏ ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ ସୁଶାସନ, ବିକାଶ, ଜନହିତକର କାର୍ଯ୍ୟ କ୍ଷେତ୍ରରେ ଜାତୀୟ ସ୍ତରରେ ବାରମ୍ବାର ଏକ ନମ୍ବର ହୋଇଆସୁଛନ୍ତି । ମୋ ସରକାର, ଫାଇଭ-ଟି ରୂପାନ୍ତରଣ ଜରିଆରେ ଓଡିଶାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛନ୍ତି ନବୀନ । ସ୍ବାସ୍ଥ୍ୟସେବା, ଶିକ୍ଷା, ସ୍ବଚ୍ଛତା, କ୍ରୀଡ଼ା ଭଳି ସମସ୍ତ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ସୃଷ୍ଟି କରିଛନ୍ତି ନୂଆ ଉଦାହରଣ ।

ସେହିପରି ବିଶ୍ବକପ୍ ହକିର ସଫଳ ଆୟୋଜନ, ବିଶ୍ବର ସର୍ବବୃହତ ହକି ଷ୍ଟାଡିଅମ ନିର୍ମାଣ ସାରା ବିଶ୍ବରେ ନୂଆ ପରିଚୟ ଦେଇଛି । ତାଲିକାର ଦ୍ବିତୀୟ ସ୍ଥାନରେ ଅଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ତାଙ୍କୁ ୫୯ ଦଶମିକ ୧ ପ୍ରତିଶତ ସମର୍ଥନ ମିଳିଛି । ତୃତୀୟ ସ୍ଥାନରେ ରହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ । ତାଙ୍କୁ ମିଳିଛି ୫୭ ଦଶମିକ ୭ ପ୍ରତିଶତ ସମର୍ଥନ। ଚତୁର୍ଥ ସ୍ଥାନରେ ଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ । ପଞ୍ଚମ ସ୍ଥାନରେ ରହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ।

 

Comments are closed.