କାଲି ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ

ଭର୍ଚୁଆଲ୍‌ ରାଲିରେ କରିବେ ସମ୍ବୋଧନ

ଭୁବନେଶ୍ବର,୨୭/୧୦: ବାଲେଶ୍ବର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ରାଜ୍ୟ ରାଜନୀତି ବେଶ୍‌ ସରଗରମ ହୋଇଛି। କୋଭିଡ୍‌ କଟକଣା ଭିତରେ ତିନି ପ୍ରମୁଖ ଦଳ ପ୍ରଚାର କାର୍ଯ୍ୟକୁ ଜୋର୍‌ଦାର୍ କରିଛନ୍ତି। ଆସନ୍ତାକାଲି ଅର୍ଥାତ ୨୮ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇବେ। ତେବେ ସେ ସିଧାସଳଖ ନିର୍ବାଚନମଣ୍ଡଳୀ ନ ଯାଇ ଭୁବନେଶ୍ବରରୁ ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ସମ୍ବୋଧିତ କରିବେ। ୨୮ ତାରିଖରେ ତିର୍ତ୍ତୋଲ ଓ ୨୯ ତାରିଖରେ ବାଲେଶ୍ବର ନିର୍ବାଚନମଣ୍ଡଳୀ ପାଇଁ ନବୀନଙ୍କ ଭର୍ଚୁଆଲ୍‌ ରାଲି କରାଯାଉଛି। ଅଧିକରୁ ଅଧିକ ଲୋକଙ୍କୁ ଏହି ପ୍ଲାଟଫର୍ମରେ ଯୋଡ଼ିବା ପାଇଁ ବିଜେଡି ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି। ନିର୍ବାଚନ ଆଉ ମାତ୍ର ୭ ଦିନ ଥିଲା ବେଳେ ନିଜେ ନବୀନ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ରାଜନୈତିକ ମହଲରେ ବେଶ୍‌ ଗୁରୁତ୍ବ ଦିଆଯାଉଛି।

ପୂର୍ବରୁ ବିଜେପି ଓ କଂଗ୍ରେସର ହେଭିୱେଟ୍‌ମାନେ ପ୍ରଚାରରେ ସାମିଲ୍‌ ହୋଇଛନ୍ତି। ବିଜେପି ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାଲେଶ୍ବରରେ ଏକାଧିକ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲା ବେଳେ ତିର୍ତ୍ତୋଲରେ ଭର୍ଚୁଆଲ ରାଲି ମାଧ୍ୟମରେ ସମ୍ବୋଧିତ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ସିଧାସଳଖ ବାଲେଶ୍ବରରେ ରହି ପ୍ରଚାର ଅଭିଯାନ ତ୍ବରାନ୍ବିତ କରୁଛନ୍ତି। ‌ସେହିପରି କଂଗ୍ରେସ ପକ୍ଷରୁ ରାଜ୍ୟ ପ୍ରଭାରୀ ଚେଲା କୁମାର ଓ ପିସିସି ସଭାପତି ଉଭୟ ନିର୍ବାଚନମଣ୍ଡଳୀ ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି।

 

Comments are closed.