ନୂତନ ସଂସଦ ଭବନର ଭୂମି ପୂଜନ, ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ: ଚଳିତ ମାସରେ ହିଁ ଆରମ୍ଭ ହେବ ନିର୍ମାଣ କାର୍ଯ୍ୟ

0

ନୂଆଦିଲ୍ଲୀ, ୧୦।୧୨: ଆଜି ନୂତନ ସଂସଦ ଭବନର ଭୂମି ପୂଜନ ଆରମ୍ଭ ‌ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ସଂସଦ ଭବନର ଭୂମିପୂଜନ କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସର୍ବଧର୍ମ ପ୍ରାର୍ଥନା ସଭା ପରେ ନୂତନ ସଂସଦ ଭବନର ଭିତ୍ତିଭୂମି ସ୍ଥାପନ କରାଯାଇଛି। ସଂସଦ ଭବନର ଭିତ୍ତିପ୍ରସ୍ତର ରଖାଯିବାର କାର୍ଯ୍ୟକ୍ରମରେ ବହୁ ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ଅଛନ୍ତି। ଉଦ୍ୟୋଗପତି ରତନ ଟାଟା, ଅମିତ ଶାହ, ରାଜନାଥ ସିଂ, ବାଚସ୍ପତି ଓମ ବିର୍ଲା, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ପୁରୀ, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ଓ ଅନ୍ୟ  କେନ୍ଦ୍ରମନ୍ତ୍ରୀ କାର୍ଯ୍ୟକ୍ରମ ସ୍ଥଳରେ ଉପସ୍ଥିତ ଅଛନ୍ତି।

ତେବେ କୋଭିଡ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ମୋଦି ଡିଜିଟାଲ ମାଧ୍ୟମରେ ଉପସ୍ଥିତ ରହୁଥିବା ବେଳେ ଏହି କାର୍ଯ୍ୟକ୍ରରେ ପ୍ରତ୍ୟକ୍ଷ ଭାବେ ଯୋଗ ଦେଇଛନ୍ତି। ଆଜି ଭିତିପ୍ରସ୍ତର ସ୍ଥାପନ ପରେ ଚଳିତ ମାସ ହିଁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

ଅକ୍ଟୋବର ୨୦୨୨ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହୋଇପାରେ । ତେବେ ନୂଆ ସଂସଦ ଭବନକୁ ପେପରଲେସ୍ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ପ୍ରତ୍ୟେକ ସାଂସଦଙ୍କୁ ଡିଜିଟାଲ ସୁବିଧା ଯୋଗାଇ ଦିଆଯିବ । ସ୍ୱାଧୀନତାର ୭୫ବର୍ଷ ପୂର୍ତି ଅବସରରେ ସଂସଦର ଉଭୟ ଗୃହ କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ନୂଆ ସଂସଦ ବିଲଣ୍ଡିଂରେ ଲୋକସଭା ସଦସ୍ୟଙ୍କ ପାଇଁ ୮୮୮ଟି ସିଟ ଓ ରାଜ୍ୟସଭା ସଦସ୍ୟଙ୍କ ପାଇଁ ୩୨୬ରୁ ଅଧିକ ସିଟର ବ୍ୟବସ୍ଥା ହେବ । ନୂଆ ସଂସଦ ଗୃହ ତ୍ରିକୋଣୀୟ ହେବ ଏବଂ ବସିବା କ୍ଷମତା ଦୃଷ୍ଟିରୁ ବର୍ତମାନର ସଂସଦଠାରୁ ବଡ ହେବ ।

ବର୍ତମାନ ଥିବା ସଂସଦ ନିକଟରେ ନୂଆ ସଂସଦ ଭବନ ନିର୍ମାଣ କରାଯିବ । ୬୪ହଜାର ୫ଶହ ବର୍ଗ ମିଟର ଅଂଚଳରେ ନିର୍ମାଣ ହେବ ଏହି ବିଲଣ୍ଡିଂ । ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟ ୯୭୧କୋଟି ଟଙ୍କା । ଏହି ନିର୍ମାଣ କାର୍ଯ୍ୟ ପାଇଁ ଟାଟା ପ୍ରୋଜେକ୍ଟସକୁ ଠିକା ଦିଆଯାଇଛି । ଏଚସିପି ଡିଜାଇନ, ପ୍ଲାନିଂ ଓ ମ୍ୟାନେଜମେଂଟ ପ୍ରାଇଭଟେ ଲିମିଟେଡ ଏହାର ନକ୍ସା ପ୍ରସ୍ତୁତ କରିଛି । ଆତ୍ମନିର୍ଭର ଭାରତର ମନ୍ଦିର ଭାବେ ଏହା ଭାରତର ବିବିଧତାକୁ ପ୍ରତିଫଳିତ କରିବ ।

Leave A Reply

Your email address will not be published.