ନିର୍ମାଣ ହେବ ନୂଆ ସଂସଦ ଭବନ: ଖର୍ଚ୍ଚ ହେବ ୯୭୧ କୋଟି

୬୪ ହଜାର ୫ଶହ ବର୍ଗମିଟର ଅଞ୍ଚଳରେ ଠିଆ ହେବ ଏହି ଭବ୍ୟ ଅଟ୍ଟାଳିକା

0

ନୂଆଦିଲ୍ଲୀ, ୬।୧୨: ନିର୍ମାଣ ହେବ ନୂଆ ସଂସଦ ଭବନ। ଆସନ୍ତା ୧୦ ତାରିଖରେ ଭିତିପ୍ରସ୍ତର ଏହାର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚଳିତ ମାସରୁ ହିଁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯିବ। ୨୦୨୨ ଅକ୍ଟୋବର ସୁଦ୍ଧା  ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ।  ନୂଆ ସଂସଦ ଭବନକୁ ପେପର ଲେସ୍ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିରେ ପ୍ରତ୍ୟେକ ସାଂସଦଙ୍କୁ ଡିଜିଟାଲ ସୁବିଧା ଯୋଗାଇ ଦିଆଯିବ। ନୂଆ ସଂସଦ ଭବନ ନିର୍ମାଣ ପ୍ରସ୍ତୁତିକୁ ନେଇ ଲୋକସଭା ଅଧ୍ୟକ୍ଷ ଓମ ବିର୍ଲାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଏସବୁ ଦିଗ ନେଇ ଆଲୋଚନା ହୋଇଛି। ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ସଂସଦର ଉଭୟ ଗୃହ କାର୍ଯ୍ୟ ଆରମ୍ଭ ହେବ । ନୂଆ ସଂସଦ ବିଲ୍ଡିଂରେ ଲୋକସଭା ସଦସ୍ୟଙ୍କ ପାଇଁ ୮୮୮ଟି ସିଟ ଓ ରାଜ୍ୟସଭା ସଦସ୍ୟଙ୍କ ପାଇଁ ୩୨୬ରୁ ଅଧିକ ସିଟର ବ୍ୟବସ୍ଥା ହେବ ।

ନୂଆ ସଂସଦ ଗୃହ ତ୍ରିକୋଣୀୟ ହେବ ଏବଂ ବସିବା କ୍ଷମତା ଦୃଷ୍ଟିରୁ ବର୍ତମାନର ସଂସଦଠାରୁ ବଡ ହେବ। ବର୍ତମାନ ଥିବା ସଂସଦ ନିକଟରେ ନୂଆ ସଂସଦ ଭବନ ନିର୍ମାଣ କରାଯିବ। ୬୪ ହଜାର ୫ଶହ ବର୍ଗ ମିଟର ଅଂଚଳରେ ନିର୍ମାଣ ହେବ ଏହି ଅଟ୍ଟଳିକା। ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟ ୯୭୧କୋଟି ଟଙ୍କା । ଏହି ନିର୍ମାଣ କାର୍ଯ୍ୟ ପାଇଁ ଟାଟା ପ୍ରୋଜେକ୍ଟସକୁ ଠିକା ଦିଆଯାଇଛି। ଏଚ୍‌ସିପି ଡିଜାଇନ, ପ୍ଲାନିଂ ଓ ମ୍ୟାନେଜମେଂଟ ପ୍ରାଇଭଟେ ଲିମିଟେଡ ଏହାର ନକ୍ସା ପ୍ରସ୍ତୁତ କରିଛି । ଆତ୍ମନିର୍ଭର ଭାରତର ପ୍ରତିଫଳକ ଭାବେ ଏହା ଭାରତର ବିବିଧତାକୁ ଉପସ୍ଥାପନ କରିବ। ଡିସେମ୍ବର ୧୦ ତାରିଖ ଅପରାହ୍ନ ୧ଟା ବେଳେ ଏହାର ଭୂମି ପୁଜା କରିବେ ପ୍ରଧାନମନ୍ତ୍ରୀ। ନୂଆ ଭବନଟି ପୁରୁଣା ସଂସଦ ଭବନଠାରୁ ୧୭ ହଜାର ବର୍ଗ ମିଟର ବଡ। ଲୋକସଭା ଓ ରାଜ୍ୟସଭା ବ୍ୟତିତ ନୂଆ ଭବନରେ ଏକ ସମ୍ବିଧାନ କୋଠା ମଧ୍ୟ ରହିବ । ଏଠାରେ ଭାରତର ଗଣତନ୍ତ୍ରର ଝଲକ ଦେଖିବାକୁ ମିଳିବ ।

ନୂଆ ସଂସଦ ଭବନକୁ ଅତ୍ୟନ୍ତ ଭବ୍ୟ ଓ ସ୍ୱତନ୍ତ୍ର ଭାବେ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ସମସ୍ତ ସାଂସଦଙ୍କ ପାଇଁ ସ୍ୱତନ୍ତ୍ର ଅଫିସ ସହ ପେପରଲେସ ବ୍ୟବସ୍ଥା ପାଇଁ ଅନ୍ୟାଧୁନିକ ଟେକ୍ନୋଲୋଜିର ବ୍ୟବସ୍ଥା କରାଯିବ । ଏହି ନୂଆ ଭବନରେ ସାମ୍ବିଧାନିକ ହଲ, ଲନ୍, ମଲ୍ଟି କମିଟି ରୁମ୍, ଡାଇନିଂ ହଲ୍, ପାର୍କିଂ ଓ ପାଠାଗାର ସୁବିଧା ମଧ୍ୟ ରହିବ । ପୁରୁଣା ସଂସଦ ଭବନରେ ଥିବା ୫ଜଣ ମହାନ ବ୍ୟକ୍ତିଙ୍କ ପ୍ରତିମୂର୍ତି ନୂଆରେ ବି ସ୍ଥାପନ କରାଯିବ। ନୂଆ ସାଂସଦ ଭବନର ନିର୍ମାଣ କାର୍ଯ୍ୟକୁ ଅକ୍ଟୋବର ୨୦୨୨ପର୍ଯ୍ୟନ୍ତ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

 

Leave A Reply

Your email address will not be published.