ମୁଖ୍ୟ ଶାସନ ସଚିବ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ରିପୋର୍ଟ ‌ଦାଖଲ କରିବାକୁ ଏନ୍‌ଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୀମଭୋଇ ମେଡିକାଲ୍ କଲେଜ ଛାତ୍ର ମୃତ୍ୟୁ ଘଟଣା

ଭୁବନେଶ୍ବର, ୨୫।୫: ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ୍ କଲେଜ ଓ ହସ୍‌ପିଟାଲର ହଷ୍ଟେଲ ଛାତରୁ ପଡ଼ି ଏମ୍‌ବିବିଏସ୍‌ ଛାତ୍ରଙ୍କ ମୃତ୍ୟୁ ଘଟଣା ନେଇ ଜାତୀୟ ମାନବାଧିକାର କମିସନ (ଏନ୍‌ଏଚ୍‌ଆର୍‌ସି) ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ରିପୋର୍ଟ ତଲବ କରିଛନ୍ତି। ଆସନ୍ତା ସପ୍ତାହ ମଧ୍ୟରେ  ତଦନ୍ତ ରିପୋର୍ଟ ଦେବାକୁ ଏନ୍‌ଏଚ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି। ମେଡିକାଲ କଲେଜରେ ଛାତ୍ର ମୃତ୍ୟୁ ‌ନେଇ ପୁରୀ ଜିଲ୍ଲା ପିପିଲି ନିବାସୀ ଜଣେ  ମାନବିକ ଅଧିକାର କର୍ମୀ ଏନ୍‌ଆରଏଚ୍‌ସିରେ ଅଭିଯୋଗ କରିଥିଲେ।

ସୂଚନାଯୋଗ୍ୟ, ଗତମାସ ଏପ୍ରିଲ ୨୨ ତାରିଖ ଅପରାହ୍ନ ସମୟରେ ଭୀମଭୋଇ ମେଡିକାଲ କଲେଜର ଏମ୍‌ବିବିଏସ୍‌ ପ୍ରଥମ ବର୍ଷର ଛାତ୍ର ନିଶାନ୍ତ କୁମାର ହଷ୍ଟେଲରେ ମଧ୍ୟାହ୍ନ ଭୋଜନ କରିଥିଲେ। କିନ୍ତୁ ପରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ସେ ହ‌ଷ୍ଟେଲ ଛାତ ଉପରୁ ତଳକୁ ପଡ଼ି ପ୍ରାଣ ତ୍ୟାଗ କରିଥିଲେ। ମୃତକ ହରିୟାଣାର ନିବାସୀ ଥିଲେ ଏବଂ ମେଡିକାଲ କଲେଜର  ନ୍ୟୁ ବଏଜ୍‌ ହଷ୍ଟେଲରେ ରହୁଥିଲେ।

ତେବେ ମଧ୍ୟାହ୍ନ ଭୋଜନ ପରେ ଛାତ ଉପରକୁ କାହିଁକି ଯାଇଥିଲେ ତାହା ଏବେ ବି ରହସ୍ୟ ଘେରରେ ରହିଛି। ମେଡିକାଲ୍ ଛାତ୍ର ନିଶାନ୍ତ କୁମାରଙ୍କ ଛାତରୁ ପଡି ମୃତ୍ୟୁ ହୋଇଥିଲା।  ରାଗିଂକୁ ନେଇ ଛାତ୍ର ଜଣକ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଥିଲେ ବୋଲି ମଧ୍ୟ ଅଭିଯୋଗ ଉଠିଥିଲା।

Comments are closed.