ଏବେଠୁ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ୍ ମନା

ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ

0

ପୁରୀ, ୧।୧: ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ୍ ମନା ନିୟମ ଆଜିଠାରୁ ଲାଗୁ ହୋଇଛି। ଛତିଶାନିଯୋଗର ବୈଠକରେ ଗତମାସ ହୋଇଥିବା ନିଷ୍ପତ୍ତି ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ, ସେବାୟତ, ଜେଟିଏଫ୍, ସମସ୍ତଙ୍କୁ ସ୍ମାର୍ଟ ଫୋନ୍ ନନେବାକୁ କଡ଼ା ନିର୍ଦ୍ଧେଶ ରହିଛି। ସେବାୟତମାନେ ଶ୍ରୀମନ୍ଦିର ସିଂହଦ୍ବାର ଓ ଦକ୍ଷିଣ ଦ୍ବାର ନିକଟରେ ଥିବା ଦୁଇଟି କେନ୍ଦ୍ରରେ ମୋବାଇଲ ଜିମା ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବେ। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଓ ଭିଡିଓ ଭାଇରାଲ୍‌ ପରେ ଶେଷରେ ଶ୍ରୀମନ୍ଦିର ପ୍ରଶାସନ କଡ଼ା ଆଭିମୁଖ୍ୟ ପୋଷଣ କରିଛି। ଶ୍ରୀମନ୍ଦିର ସେବାୟତ, ଅଧିକାରୀମାନେ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ ନେବା ଉପରେ କଟକଣା ଲଗାଯାଇଛି। କେବଳ କି-ପ୍ୟାଡ୍‌ ମୋବାଇଲ୍‌ (କ୍ୟାମେରା ନଥିବା ଫୋନ୍‌) ନେବାକୁ ଅନୁମତି ମିଳିବ।

ଗତ ଡିସେମ୍ବର ୭ ତାରିଖରେ ଛତିଶାନିଯୋଗ ନିଷ୍ପତ୍ତିକ୍ରମେ ଶ୍ରୀମନ୍ଦିର ସେବାୟତ ଓ ଅଧିକାରୀଙ୍କ ଉପରେ ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟଫୋନ ନେବାରେ କଟକଣା ଲଗାଇଥିଲା। ଜାନୁଆରି ୧ ତାରିଖଠାରୁ କେହି ବି ସେବାୟତ ଓ ଅଧିକାରୀ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ୍ ନେଇପାରିବେନି ବୋଲି ନିଷ୍ପତ୍ତି ହୋଇଥିଲା। ଗର୍ଭଗୃହ ଫଟୋ ଓ ଭିଡିଓ ଭାଇରାଲ୍‌ ପରେ ଏହି ପଦେକ୍ଷପ ନିଆଯାଇଥିଲା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ କହିଥିଲେ। ଯେଉଁ ସେବାୟତ, ଅଧିକାରୀମାନେ ଶ୍ରୀମନ୍ଦିରକୁ ମୋବାଇଲ୍‌ ନେବାକୁ ଚାହିଁବେ, ସେମାନେ କ୍ୟାମେରା ନ ଥିବା ଛୋଟ କି-ପ୍ୟାଡ୍‌ ଫୋନ୍‌ ନେଇ ଯାଇପାରିବେ।କେବଳ କମାଣ୍ଡର ସ୍ମାର୍ଟଫୋନ୍‌ ଶ୍ରୀମନ୍ଦିରକୁ ନେଇପାରିବେ। ଯେହେତୁ ଦୈନିକ ନୀତିକାନ୍ତି ସ୍ମାର୍ଟଫୋନ୍‌ରେ ଛଡ଼ାଯାଉଛି, ଏଥିରେ ଅସୁବିଧା ଦୃଷ୍ଟିରୁ କମାଣ୍ଡରଙ୍କୁ ସ୍ମାର୍ଟଫୋନ୍‌ ନେବାକୁ ଅନୁମତି ଦିଆଯାଇଛି। ଏଥିସହ ସେବାୟତ ଜମିଜମା ସମସ୍ୟା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ବୋଲି ଶ୍ରୀ ମହାସୁଆର କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଜିଲ୍ଲା ପୁଲିସ ଶ୍ରୀମନ୍ଦିର ଦାୟିତ୍ବରେ ରହୁଥିବା ଅଧିକାରୀଙ୍କ ସ୍ମାର୍ଟଫୋନ୍‌ ‌ବ୍ୟବହାରରେ କଟକଣା ଲଗାଯାଇଛି।

Leave A Reply

Your email address will not be published.