୧୦୦ ଟପିଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୧୭।୧୨: ଓମିକ୍ରନ ଭାରତରେ ଧୀରେଧୀରେ ବଢ଼ିବାରେ ଲାଗିଛି। ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଛୁଇଁଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ମୁତାବକ, ଦେଶର ୧୧ ରାଜ୍ୟରେ ଓମିକ୍ରନର ୧୦୧ ମାମଲା ସାମ୍ନାକୁ ଆସିଛି। ଏଭଳି ସ୍ଥିତିରେ ବର୍ତ୍ତମାନ ଅନାବଶ୍ୟକ ଯାତ୍ରା, ସାମୂହିକ କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପରାମର୍ଶ ଦେଇଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମସଚିବ ଲଭ୍ ଅଗ୍ରୱାଲ୍ କହିଛନ୍ତି, ଦେଶରେ ଏପର୍ଯ୍ୟନ୍ତ ୧୯ ଜିଲ୍ଲାରେ ସଂକ୍ରମଣ ମାତ୍ରା ଅଧିକ ରହିଛି। ସେଠାରେ ପଜିଟିଭିଟି ହାର ୫-୧୦ ପ୍ରତିଶତ ରହିଛି। କେରଳରେ ୯ ଜିଲ୍ଲା, ମିଜୋରାମରେ ୫ ଜିଲ୍ଲା, ନାଗାଲାଣ୍ଡ, ରାଜସ୍ଥାନ, ସିକ୍କିମ, ଅରୁଣାଚଳ ପ୍ରଦେଶ, ପଶ୍ଚିମବଙ୍ଗରେ ଗୋଟିଏ ଲେଖାଏଁ ଜିଲ୍ଲାରେ ସଂକ୍ରମଣ ମାତ୍ରା ଅଧିକ ରହିଛି।

ଶ୍ରୀ ଅଗ୍ରୱାଲ କହିଛନ୍ତି, ସମଗ୍ର ବିଶ୍ୱର ୯୧ଟି ଦେଶରେ ଓମିକ୍ରନ ସଂକ୍ରମଣ ଚିହ୍ନଟ ହୋଇଛି। ଡବ୍ଲୁଏଚ୍‌ଓ (ହୁ) କହିଛି, ଓମିକ୍ରନ ଦକ୍ଷିଣ ଆଫ୍ରିକାରେ ଡେଲ୍ଟା ସଂକ୍ରମଣ ତୁଳନାରେ ଦ୍ରୁତ ଗତିରେ ବ୍ୟାପୁଛି। ଏପରି ସ୍ଥିତିରେ ଯେଉଁଠାରେ କମ୍ୟୁନିଟି ଟ୍ରାନ୍ସମିସନ ହେବ, ସେଠାରେ ଓମିକ୍ରନ ଭାରିଏଣ୍ଟ ଡେଲ୍ଟା ଭାରିଏଣ୍ଟକୁ ଟପିବାର ସମ୍ଭାବନା ରହିଛି।

ଭାରତରେ କରୋନା ମାମଲାକୁ ନେଇ ଲଭ୍ ଅଗ୍ରୱାଲ୍ କହିଛନ୍ତି, ଗତ ୨୦ ଦିନ ଧରି ନୂଆ ମାମଲା ୧୦ହଜାରରୁ କମ୍ ରହିଛି। ଗତ ସପ୍ତାହକ ମଧ୍ୟରେ ପଜିଟିଭିଟି ହାର ୦.୬୫ ପ୍ରତିଶତ ଥିଲା। କେବଳ କେରଳରେ ସକ୍ରିୟ ବା ଆକ୍ଟିଭ୍ ମାମଲାର ମୋଟ ସଂଖ୍ୟା ୪୦.୩୧ ପ୍ରତିଶତ ରହିଛି। ଭ୍ୟାକସିନକୁ ନେଇ ଲଭ୍ ଅଗ୍ରୱାଲ୍ କହିଛନ୍ତି, କରୋନାର ଓମିକ୍ରନ ଭାରିଏଣ୍ଟ ବିରୋଧରେ ଭ୍ୟାକସିନ୍ ପ୍ରଭାବଶାଳୀ ହେଉନଥିବା ନେଇ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ।

ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ରହିଛି। ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୩୨ ମାମଲା ସାମ୍ନାକୁ ଆସିଥିବା ବେଳେ ଦିଲ୍ଲୀରୁ ୨୨, ରାଜସ୍ଥାନରୁ ୧୭, କର୍ଣ୍ଣାଟକରୁ ୮, ତେଲେଙ୍ଗାନାରୁ ୮, ଗୁଜରାଟରୁ ୫, କେରଳରୁ ୫, ଆନ୍ଧ୍ର ପ୍ରଦେଶ, ଚଣ୍ଡିଗଡ଼, ତାମିଲନାଡୁ ଓ ପଶ୍ଚିମବଙ୍ଗରୁ ଗୋଟିଏ ଲେଖାଏ ମାମଲା ସାମ୍ନାକୁ ଆସିଛି।

Comments are closed.