ପିଆଜ ମୂଲ୍ୟ ହ୍ରାସ ଏବଂ ଏହାର ଉପଲବ୍ଧତା ବଢାଇବାକୁ ସରକାରଙ୍କ ପଦକ୍ଷେପ

0

ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରୁ ପିଆଜରୁ ମୂଲ୍ୟ ବୃଦ୍ଧି ପରିଲକ୍ଷିତ ହେବାରୁ ଏହାକୁ ରୋକିବା ପାଇଁ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ପଡିଥିଲା । ଏହି ପରିପ୍ରେକ୍ଷୀରେ ସରକାର ଦୈନନ୍ଦିନ ଏକ ଡ୍ୟାସବୋର୍ଡ ମାଧ୍ୟମରେ ପିଆଜର ମୂଲ୍ୟକୁ ତଦାରଖ କରୁଛନ୍ତି । ଏହି ମୂଲ୍ୟବୃଦ୍ଧିକୁ ହ୍ରାସ କରିବା ପାଇଁ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି ।  2020 ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ଏସବୁ ସାମଗ୍ରୀର ଅତ୍ୟଧିକ ମୂଲ୍ୟ ବୃଦ୍ଧି ଘଟିଲେ ଏହାର ମହଜୁଦ ପରିମାଣକୁ ନିୟନ୍ତ୍ରିତ କରିବାର କ୍ଷମତା ସରକାରଙ୍କର ରହିଛି । ପିଆଜର ସର୍ବଭାରତୀୟ ହାରାହାରି ଖୁଚୁରା ମୂଲ୍ୟ ତାରତମ୍ୟ ଚଳିତ ଅକ୍ଟୋବର 21 ତାରିଖରେ ଗତବର୍ଷ ଏହି ତାରିଖ ତୁଳନାରେ 22.12 ଶତାଂଶ ଅଧିକ ହୋଇଛି । ଅର୍ଥାତ୍‌ କେଜି ପିଛା ପିଆଜର ଦାମ ଗତବର୍ଷ ଏହି ତାରିଖରେ 45.33 ଟଙ୍କା ଥିବାବେଳେ ଚଳିତବର୍ଷ ସେହି ତାରିଖରେ ଏହା 55.60 ଟଙ୍କା ହୋଇଥିଲା । ଏହି ମୂଲ୍ୟକୁ ଯଦି 5 ବର୍ଷର ମୂଲ୍ୟ ସହ ତୁଳନା କରାଯାଏ ତେବେ ଦେଖାଯିବ ଯେ ପିଆଜର ମୂଲ୍ୟ କେଜି ପିଛା 114.96 ଶତାଂଶ ବଢିଛି । ପାଞ୍ଚ ବର୍ଷ ତଳେ ଏହି ସମୟରେ ପିଆଜର କେଜି ପିଛା ମୂଲ୍ୟ 25 ଟଙ୍କା 87 ପଇସା ଥିବାବେଳେ ଏବେ ତାହା 55.60 ଟଙ୍କା ରହିଛି । ତେଣୁ ଗତ 5 ବର୍ଷର ହାରାହାରି ଦରକୁ ତୁଳନା କଲେ ଦେଖାଯିବ ଯେ ପିଆଜର ମୂଲ୍ୟ କେଜି ପିଛା 100 ଶତାଂଶରୁ ଅଧିକ ବଢିଛି । ସେଥିପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅନୁସାରେ ଏହାର ମୂଲ୍ୟ ନିୟନ୍ତ୍ରଣ ଓ ମହଜୁଦର ସୀମା ଧାର୍ଯ୍ୟ କରିବାର ଆବଶ୍ୟକତା ଉପୁଜିଛି । ଅତଏବ ପିଆଜର ମହଜୁଦ ପରିମାଣ ଆଜିଠାରୁ ଧାର୍ଯ୍ୟହୋଇ ତତ୍କାଳ ଲାଗୁ ହୋଇଛି । ତଦନୁସାରେ ପାଇକାରୀ ବେପାରି ସର୍ବାଧିକ 25 ମେଟ୍ରିକ ଟନ ଓ ଖୁଚୁରା ବିକ୍ରେତା ସର୍ବାଧିକ 2 ମେଟ୍ରିକ ଟନ ପିଆଜ ଚଳିତବର୍ଷ ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ରଖିପାରିବେ ।

ମୂଲ୍ୟବୃଦ୍ଧିକୁ କମାଇବା ପାଇଁ ସରକାର କେତେକ ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି । ଗତ ସେପ୍ଟେମ୍ବର 14 ତାରିଖରେ ପିଆଜ ରପ୍ତାନୀକୁ ନିଷିଦ୍ଧ କରାଯାଇଥିଲା । ଘରୋଇ ଖାଉଟିଙ୍କୁ ଡଚିତ ମୂଲ୍ୟରେ ପିଆଜ ଯୋଗାଇ ଦେବାକୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା । ଖରିଫ ପିଆଜ ବଜାରରେ ପହଞ୍ଚିବା ଯାଏଁ ଏହି ନିଷେଧାଦେଶ ଲାଗୁ କରାଯାଇଛି । ଏହି ପଦକ୍ଷେପ ଫଳରେ ପିଆଜର ଖୁଚୁରା ମୂଲ୍ୟ କିଞ୍ଚିତ ନିୟନ୍ତ୍ରଣରେ ରହିଛି । ନିକଟ ଅତୀତରେ ପିଆଜ ଉତ୍ପାଦନକାରୀ ରାଜ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶରେ ପ୍ରବଳ ଅଦିନିଆ ବୃଷ୍ଟିପାତ ଫଳରେ ଖରିଫ ପିଆଜ ଫସଲ ବିଶେଷ କ୍ଷତିଗ୍ରସ୍ତ ହୋଇଛି । ଏହି କ୍ଷତି ଏବେ ଉଦ୍‌ବେଗର କାରଣ ପାଲଟିଛି ।

ପାଣିପାଗର ପ୍ରତିକୂଳ ସ୍ଥିତିଯୋଗୁଁ ପିଆଜ ଫସଲ ବିଶେଷ କ୍ଷତିଗ୍ରସ୍ତ ହୋଇଥିବାରୁ ବଜାରରେ ଏହାର ମୂଲ୍ୟ ଅଧିକ ବଢିଛି । ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ସରକାର ବଫର ଷ୍ଟକରୁ ପିଆଜ ବଜାରକୁ ଛାଡିବା କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି । ଚଳିତବର୍ଷ ରବି ଋତୁରେ ଉତ୍ପାଦିତ ପିଆଜ ମଧ୍ୟରୁ 1 ଲକ୍ଷ ମେଟ୍ରିକ ଟନ ପିଆଜ ସରକାର ସଂଗ୍ରହ କରି ବଫର ଷ୍ଟକରେ ରଖିଥିଲେ ।  ଏହି ମହଜୁଦ ପରିମାଣ ଗତବର୍ଷ ତୁଳନାରେ ଦୁଇଗୁଣ ଥିଲା । ବଫର ଷ୍ଟକରୁ ପିଆଜ ବଜାରକୁ ଛାଡିବା କାମ ବେଶ୍‌ ତତ୍ପରତାର ସହ ଚଳିତବର୍ଷ ସେପ୍ଟେମ୍ବର ଦ୍ୱିତୀୟାର୍ଦ୍ଧରୁ ଆରମ୍ଭ ହୋଇଛି । ଏହିସବୁ ପିଆଜ ଦେଶର ପ୍ରମୁଖ ମଣ୍ଡି ତଥା ଖୁଚୁରା ଯୋଗାଣକାରୀ ସଂସ୍ଥା ସଫଲ, କେନ୍ଦ୍ରୀୟ ଭଣ୍ଡାର, ଏନ୍‌ସିସିଏଫ୍‌, ତନ୍ନହୋଡା ଓ ଟାନଫେ୍‌ଡ୍‌ (ତାମିଲନାଡୁ) ତଥା ନାଫେଡ୍‌ର ବିଭିନ୍ନ ପ୍ରମୁଖ ସହରରେ ଥିବା ବିକ୍ରୟ କେନ୍ଦ୍ରକୁ ଯୋଗାଇ ଦିଆଯାଉଛି । ଏହାଛଡା ବିଭିନ୍ନ ରାଜ୍ୟ ସରକାରଙ୍କ ମାଧ୍ୟମରେ ମଧ୍ୟ କେନ୍ଦ୍ର ସରକାରେ ପିଆଜ ଯୋଗାଣ କାର୍ଯ୍ୟ ଜାରି ରଖିଛନ୍ତି । ଏବେ ଆସାମ ଓ କେରଳ ସରକାରଙ୍କୁ ଖୁଚୁରା ଯୋଗାଣ ବ୍ୟବସ୍ଥା ମାଧ୍ୟମରେ ପିଆଜ ଯୋଗାଇ ଦିଆଯାଉଛି । ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଏବଂ ଲାକ୍ଷାଦ୍ୱୀପ ମଧ୍ୟ ନିଜର ଆବଶ୍ୟକତା କେନ୍ଦ୍ର ସରକାରଙ୍କ ପାଖକୁ ପଠାଇବା ପରେ ସେଠାକୁ ଏହାର ପ୍ରେରଣ କର୍ଯ୍ୟ ଆରମ୍ଭ ହୋଇଛି ।

ଆହୁରି ମଧ୍ୟ ମୁକ୍ତ ବଜାର ବିକ୍ରି ବ୍ୟବସ୍ଥା ମାଧ୍ୟମରେ ପିଆଜର ବିକ୍ରୟ ଆରମ୍ଭ ହୋଇଛି । ମୂଲ୍ୟ ହ୍ରାସ କରିବା ପାଇଁ ଏହି ବିକ୍ରୟ ପ୍ରକ୍ରିୟାକୁ ଆହୁରି ବ୍ୟାପକ କରାଯାଉଛି ।

ପ୍ରାୟ 37 ଲକ୍ଷ ମେଟ୍ରିକ ଟନର ଖିରିଫ ପିଆଜ ଖୁବ୍‌ଶୀଘ୍ର ମଣ୍ଡିରେ ପହଞ୍ଚିବ ବୋଲି ଆଶ କରାଯାଉଛି । ଏହା ପହଞ୍ଚିଲେ ବଜାରରେ ପିଆଜର ଉପଲବ୍ଧତା ବଢିବ । ବଜାରରେ ପିଆଜ ଯଥେଷ୍ଟ ପରିମାଣରେ ଯେପରି ମିଳେ ସେଥିପାଇଁ ଅତିରିକ୍ତ ବ୍ୟବସ୍ଥା ମଧ୍ୟ କରାଯାଉଛି । ବିଦେଶରୁ ପିଆଜ ଆମଦାନୀ କରିବା ପାଇଁ ମଧ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଚଳିତମାସ 21 ତାରିଖରୁ ସରକାର ପିଆଜ ଆମଦାନୀ ସଂକ୍ରାନ୍ତ କେତେକ କଟକଣାକୁ ଆହୁରି କୋହଳ କରିଛନ୍ତି । ଚଳିତବର୍ଷ ଡିସେମ୍ବର 15 ତାରିଖ ପର୍ଯ୍ୟନ୍ତ ପିଆଜ ଆମଦାନୀ ଚାଲୁ ରହିବ । ବିଭିନ୍ନ ଦେଶରେ ଥିବା ଭାରତୀୟ ଉଚ୍ଚାୟୁକ୍ତ ସେଠାକାର ପିଆଜ ବ୍ୟବସାୟୀଙ୍କ ସହ ଇତିମଧ୍ୟରେ ସଂପର୍କ ରକ୍ଷା କରି ଭାରତକୁ ସେସବୁ ପଠାଇବାର ବ୍ୟବସ୍ଥା କରୁଛନ୍ତି । ଏହା ଫଳରେ ପିଆଜ ଆମଦାନୀ ପ୍ରକ୍ରିୟା ଅଧିକ ସୁସଂହତ ଓ ବ୍ୟାପକ ହେବ । ଆମଦାନୀ ହେଉଥିବା ଏହିସବୁ ପିଆଜ ଜଳ ଓ ସ୍ଥଳପଥରେ ଆସି ଭାରତୀୟ ବନ୍ଦର ଓ ଅନ୍ୟାନ୍ୟ ସ୍ଥାନରେ ପହଞ୍ଚିବା ପରେ ସେଗୁଡିକୁ ବିଶୋଧନ କରାଯାଇ ଆବଶ୍ୟକ ବିଧିବଦ୍ଧ ପ୍ରକ୍ରିୟାକରଣ କରାଯିବ । ଏହି ପ୍ରକ୍ରିୟା ଶେଷ ହେବା ପରେ ଏହିସବୁ ପିଆଜ ଖାଇବା ପାଇଁ ଉପଯୁକ୍ତ ବୋଲି ପ୍ରମାଣିତ ହେବ । ତା’ପରେ ଏହାକୁ ଖାଉଟିଙ୍କୁ ଯୋଗାଇ ଦିଆଯିବ । ଏହି ପ୍ରକ୍ରିୟା 4 ପର୍ଯ୍ୟାୟରେ ହେବ ।  ଯେଉଁମାନେ ଏହି ଆଇନ ଉଲ୍ଲଘଂନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଘରୋଇ ବ୍ୟବସାୟୀଙ୍କ ଦ୍ୱାରା ପିଆଜ ଆମଦାନୀ ବ୍ୟବସ୍ଥା କରିବା ସହ ସରକାର ମଧ୍ୟ ଏମ୍‌ଏମ୍‌ଟିସି ଜରିଆରେ ଲାଲ ପିଆଜ ଆମଦାନୀ କରି ବର୍ତ୍ତମାନର ଚାହିଦାକୁ ପୂରଣ କରିବେ । ଆହୁରି ମଧ୍ୟ ପିଆଜର ଦରକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର କଳାବଜାରୀ ଓ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ବଳରେ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ଯେଉଁମାନେ ପିଆଜ ବେଆଇନଭାବେ ମହଜୁଦ ରଖିବେ ଏବଂ ଏହାର କଳାବଜାରୀ କରିବେ ସେମାନଙ୍କ ବିରୋଧରେ ଆଇନତଃ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave A Reply

Your email address will not be published.