ଗିରଫ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ, ୫ ବର୍ଷ ପର୍ଯ୍ୟନ୍ତ ଲଢିପାରିବେନି ନିର୍ବାଚନ

ନୂଆଦିଲ୍ଲୀ, ୫/୮: ତୋଶାଖାନା ମାମଲାରେ ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ) ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କୁ ଗିରଫ କରାଯାଇଛି । ତାଙ୍କୁ ଶନିବାର ଅପରାହ୍ଣରେ ଲାହୋର ସ୍ଥିତ ନିଜ ବାସଭବନ ଜମାନ ପାର୍କରୁ ଗିରଫ କରାଯାଇଛି ।

ଏହାର କିଛି ଘଣ୍ଟା ପୂର୍ବରୁ ଇସଲାମାବାଦ ଟ୍ରାଏଲ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜରିମାନା ଲାଗୁ କରିଥିଲେ । ଏହି ଦଣ୍ଡାଦେଶ ଘୋଷଣା ହେବା ପରେ ଇମ୍ରାନ୍ ଖାନ୍ ଙ୍କୁ ଆସନ୍ତା ୫ ବର୍ଷ ପାଇଁ ନିର୍ବାଚନ ଲଢ଼ିବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ସୂଚନାଯୋଗ୍ୟ, ତୋଶାଖାନା ଦୁର୍ନୀତି ମାମଲାରେ ଇସଲାମାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଇମ୍ରାନ୍ ଖାଁ କିଛି ଦିନ ତଳେ ସୁପ୍ରିମ୍ କୋର୍ଟରେ ପିଟିସନ୍ ଦାଖଲ କରିଥିଲେ। ଏକ ସପ୍ତାହ ମଧ୍ୟରେ ତୋଶାଖାନା ଦୁର୍ନୀତି ମାମଲା ରାୟ ଉପରେ ପୁନର୍ବିଚାର କରିବାକୁ ନିମ୍ନ ଅଦାଲତଙ୍କୁ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଏହି ପିଟିସନରେ ଚ୍ୟାଲେଞ୍ଜ କରାଯାଇଥିଲା ।

ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ହୁମାୟୁନ୍ ଦିଲାୱାର ଗତ ମେ ୧୦ ତାରିଖରେ ତୋଶାଖାନା ଦୁର୍ନୀତି ମାମଲାରେ ୭୦ ବର୍ଷୀୟ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଇମ୍ରାନ୍ ଏହି ମାମଲାର ଗ୍ରହଣୀୟତାକୁ ଇସଲାମାବାଦ ହାଇକୋର୍ଟ  ଚ୍ୟାଲେଞ୍ଜ କରିଥିଲେ, ଯେଉଁଥିରେ ନିମ୍ନ ଅଦାଲତର ରାୟକୁ ଖାରଜ କରାଯାଇଥିଲା। ଉଚ୍ଚ ନ୍ୟାୟାଳୟର ଖଣ୍ଡପୀଠ କହିଥିଲେ ଯେ ନିମ୍ନ ଅଦାଲତ ଦୁର୍ବଳ ଆଧାରରେ ଇମ୍ରାନଙ୍କ ଆବେଦନକୁ ଖାରଜ କରିଦେଇଥିଲେ ।

 

Comments are closed.