ବିସ୍ଫୋରଣରେ ଥରିଲା ପାକିସ୍ତାନ: ବୋମା ବିସ୍ଫୋରଣରେ ୩୫ରୁ ଅଧିକ ଲୋକଙ୍କର ମୃତ୍ୟୁ

ଲାହୋର, ୩୦/୭: ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ କମିବାର ନାମ ନେଉନାହିଁ। ତାଜା ସୂଚନା ମୁତାବକ ପାକିସ୍ତାନର ଖୈବର ପାଖତୁନଖ୍ବା ଅଞ୍ଚଳର ବାଜୋରରେ ବୋମା ବିସ୍ଫୋରଣ ହୋଇଛି। ମିଳିଥିବା ସୂଚନା ମୁତାବକ, ଏହି ବିସ୍ଫୋରଣରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୫ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୫୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି। ରିପୋର୍ଟ ଅନୁଯାୟୀ, ଜାମିଆତ୍ ଉଲେମା-ଏ-ଇସଲାମ-ଫଜଲ୍ ନାମକ ରାଜନୈତିକ ଦଳର କର୍ମୀ ସମ୍ମିଳନୀ ଚାଲିଥିବାବେଳେ ଏହି ବିସ୍ଫୋରଣ ହୋଇଥିଲା।| ପୁଲିସର ସୂଚନାନୁସାରେ, ଆତଙ୍କବାଦୀମାନେ ଜାମିଆତ୍ ଉଲେମା-ଏ-ଇସଲାମ-ଫଜଲ ବୈଠକକୁ ଟାର୍ଗେଟ କରି ଏହି ବିସ୍ଫୋରଣ କରିଥିଲେ।

ବଡ଼କଥା ଯେ ଏହି ବିସ୍ଫୋରଣରେ ଜାମିଆତ୍ ଉଲେମା-ଏ-ଇସଲାମ-ଫଜଲର ବରିଷ୍ଠ ନେତା ମୌଲାନା ଜୀୟାଉଲ୍ଲାହଙ୍କ ମୃତ୍ୟୁ ମଧ୍ୟ ଘଟିଛି। ଦୁର୍ଘଟଣାସ୍ଥଳରେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ଚିକିତ୍ସା ପାଇଁ ପେଶୱାର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ରିପୋର୍ଟ ଅନୁଯାୟୀ, ବିସ୍ଫୋରଣ କିପରି ଘଟିଲା ପୁଲିସ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହିଁ। ବିସ୍ଫୋରଣ ପରେ ଭିଡିଓ ଏବଂ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ବିସ୍ଫୋରଣର ବର୍ବରତା ଦେଖିବାକୁ ମିଳିଛି।

 

Comments are closed.