ଏକାମ୍ର କ୍ଷେତ୍ର ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ପାଣ୍ଡିଆନ: ଦୋକାନୀଙ୍କ ଥଇଥାନ୍‌ ଓ ବିକଳ୍ପ ରାସ୍ତା ଉନ୍ନତୀକରଣ ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର, ୭।୧୨: ଆଜି ସକାଳୁ ସକାଳୁ ଏକାମ୍ର କ୍ଷେତ୍ରଗସ୍ତ କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ। ଏକାମ୍ର କ୍ଷେତ୍ର ଉନ୍ନୟନ କାର୍ଯ୍ୟର ଅଗ୍ରଗତି ବୁଲି ବୁଲି ଦେଖିବା ସହ ଏହାର ସମୀକ୍ଷା କରିଛନ୍ତି। ଏଥିସହ ସେ ଏନେଇ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଦୋକାନୀଙ୍କ ଥଇଥାନ କାମକୁ ତ୍ୱରାନ୍ୱିତ କରିବାକୁ ପାଣ୍ଡିଆନ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡା ଖୁବଶୀଘ୍ର ବିକଳ୍ପ ରାସ୍ତାର ଉନ୍ନତୀକରଣ ସହ ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରିବାକୁ ନିର୍ଦ୍ଦେଶ କରିଛନ୍ତି।

ଏହି ଅଞ୍ଚଳର ସୌନ୍ଦର୍ଯ୍ୟକରଣ ନିମନ୍ତେ ଉଚ୍ଛେଦ ହୋଇଥିବା ଦୋକାନୀମାନଙ୍କ ଥଇଥାନ କାର୍ଯ୍ୟ ତ୍ୱରାନ୍ଵିତ କରିବା ଲାଗି ସମ୍ପୃକ୍ତ ସରକାରୀ ଅଧିକାରୀମାନଙ୍କୁ ମଧ୍ୟ ସେ ନିର୍ଦେଶ ଦେଇଛନ୍ତି। ବିକଳ୍ପ ରାସ୍ତା ନିର୍ମାଣ ଓ ଭଙ୍ଗାରୁଜା ଆବର୍ଜନା ସଫେଇ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ପୂର୍ତ୍ତ ବିଭାଗର ସଚିବ କିଷନ କୁମାର, ବିଏମ୍‌ସି କମିସନର୍‌ ପ୍ରେମଚାନ୍ଦ ଚୌଧୁରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସେଠାରେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଡିସେମ୍ବର ୨ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର କ୍ଷେତ୍ର ପରିଭ୍ରମଣ କରି ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣର ଅଗ୍ରଗତିର ସମୀକ୍ଷା କରିଥିଲେ।

Comments are closed.