ପଞ୍ଚଭୂତରେ ଲୀନ ହେଲେ ପିଣ୍ଟୁ ନନ୍ଦ, କାନ୍ଦ ବୋବାଳିରେ ଫାଟି ପଡ଼ିଲା ସ୍ବର୍ଗଦ୍ବାର

0

ପୁରୀ, ୩।୩: ଓଡ଼ିଆ ଚଳଚ୍ଚିତ୍ର ‘ରାଣ୍ଡି ପୁଅ ଅନନ୍ତା’ରେ ନିଜ ଗାଁ’ ପାଇଁ ଜୀବନ ଦେବାର ଜୀବନ୍ତ ଅଭିନୟ କରି ‌ଲୋକପ୍ରିୟ ଅଭିନେତା ପାଲଟି ଯାଇଥିବା ପିଣ୍ଟୁ ନନ୍ଦ ଆଜି ପଞ୍ଚଭୂତରେ ଲୀନ ହୋଇଯାଇଛନ୍ତି। ଲିଭର ସିରୋସିସରେ ଆକ୍ରାନ୍ତ ହୋଇ ବଞ୍ଚିବାକୁ ସଂଘର୍ଷ କରି ଶେଷରେ ପ୍ରାଣ ହରାଇବା ପରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଆଜି ମଧ୍ୟାହ୍ନ ୧ଟା ୪୦ ମିନିଟରେ ପିଣ୍ଟୁଙ୍କ ମରଶରୀର ସ୍ବର୍ଗଦ୍ବାରରେ ପହଞ୍ଚିଥିବା ବେଳେ ଦିନ ୨ଟା ୫୦ରେ ପିଣ୍ଟୁଙ୍କ ଶେଷକୃତ୍ୟ କରାଯାଇଥିଲା। ବଡ଼ ପୁଅ ସାଇନନ୍ଦ ମୁଖାଗ୍ନି ଦେଇଥିଲେ।

ସ୍ବର୍ଗଦ୍ବାରରେ ପହଞ୍ଚିବା ପରେ ତାଙ୍କୁ ଶେଷ ନିଦ୍ରାରେ ଶୋଇଥିବା ଦେଖି ଅନେକ କୋହ ସମ୍ଭରଣ କରିପାରିନଥିଲେ। ସ୍ବର୍ଗଦ୍ବାର କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା। ରାମ ନାମ ସତ୍ୟ ହେ.. ସହ ଗୌରା ଓ ଅନନ୍ତା ଡାକରେ ଫାଟି ପଡ଼ିଥିଲା ଉକ୍ତ ସ୍ଥାନ। ୨୧ ନମ୍ବର ପିଣ୍ଡିରେ ତାଙ୍କର ଦାହ କରାଯାଇଥିଲା। ମର ଶରୀର ନିକଟରେ ଅଭିନେତା ବବି ମିଶ୍ର, ଗୁଡୁ, ରାନୀ ପ୍ରିୟଦର୍ଶିନୀ, ମିଟୁ ମିଥୁନ, ସମୀର ଶତପଥୀଙ୍କ ସମେତ ବହୁ କଳାକାର ଓ ପିଣ୍ଟୁ ନନ୍ଦଙ୍କୁ ଭଲ ପାଉଥିବା ପ୍ରଶଂସକମାନେ ଶେଷ ଦର୍ଶନ କରିଥି୍ଲେ।

ପିଣ୍ଟୁଙ୍କ ବଡ଼ ଭାଇ ତଥା ଲୋକପ୍ରିୟ ବଂଶୀ ବାଦକ ଅଭିରାମ ନନ୍ଦ କହିଛନ୍ତି, ସେ କେବଳ ମୋ ଭାଇ ନଥିଲା ବରଂ ଜଣେ କଳାକାର ଥିଲା। ଏବେ ତା’ର ମୃତ୍ୟୁ ପରେ ସରକାର ସମବେଦନା ଜଣାଉଛନ୍ତି, କିନ୍ତୁ ହସ୍ପିଟାଲ ବେଡ୍‌ରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ କେହି ସାହାଯ୍ୟ ପାଇଁ ଆଗେଇ ଆସିନଥିଲେ। କିଛି ଟଙ୍କା ଯୋଗାଡ଼ ହୋଇପାରିଲାନି ବୋଲି ତା’ ଜୀବନ ଚାଲିଗଲା।

 

 

Leave A Reply

Your email address will not be published.