ପ୍ରତିଭା, ସୀତାକାନ୍ତ ଓ ଶ୍ରୀନିବାସଙ୍କୁ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ’

ଭୁବନେଶ୍ବର, ୮।୫: ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସୋମବାର ପୂର୍ବାହ୍ନରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଏକାଡେମିର ସର୍ବୋଚ୍ଚ ସାରସ୍ବତ ସମ୍ମାନ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ୨୦୨୧, ୨୦୨୨ ଓ ୨୦୨୩ ମସିହା ପାଇଁ ପ୍ରଦାନ କରାଯାଇଛି। ଏଥିସହ ୩ ବର୍ଷ ପାଇଁ ୪୪ଜଣ ବୟୋଜ୍ୟେଷ୍ଠ ସାରସ୍ବତ ସାଧକ-ସାଧିକାଙ୍କୁ ଏକାଡେମି ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l

୨୦୨୧ ମସିହା ପାଇଁ କଥାକାର ଓ ଔପନ୍ୟାସିକା ପ୍ରତିଭା ରାୟ, ୨୦୨୨ ପାଇଁ ପ୍ରଖ୍ୟାତ କବି ଓ ସାହିତ୍ୟ ସମାଲୋଚକ ସୀତାକାନ୍ତ ମହାପାତ୍ର ଓ ୨୦୨୩ ବିଶିଷ୍ଟ ସାହିତ୍ୟିକ ଓ ଅନୁବାଦକ ଶ୍ରୀନିବାସ ଉଦ୍‌ଗାଦା ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ଗ୍ରହଣ କରିଛନ୍ତି। ପୁରସ୍କାରସ୍ୱରୂପ ପ୍ରତ୍ୟେକଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ଚେକ, ମାନପତ୍ର, ପୁଷ୍ପଗୁଛ ଓ ଉପଢୌକନ ପ୍ରଦାନ କରାଯାଇଥିଲା। ସେହିପରି ସମ୍ବର୍ଦ୍ଧନା ସ୍ୱରୂପ ବୟୋଜ୍ୟେଷ୍ଠ ସାରସ୍ବତ ସାଧକ-ସାଧିକାଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ଚେକ, ମାନପତ୍ର, ପୁଷ୍ପଗୁଛ ଓ ଉପଢୌକନ ପ୍ରଦାନ କରାଯାଇଥିଲା।

ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଉଦଘାଟକ ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଏକାଡେମୀ ସଭାପତି ଡ. ହୃଷୀକେଶ ମଲ୍ଲିକଙ୍କ ସଭାପତିତ୍ୱରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥି, ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ୱାଗତ ଭାଷଣ ଦେଇଥିଲେ ଏକାଡେମୀ ସଚିବ ପ୍ରବୋଧ ରାଉତ। ଧନ୍ୟବାଦ ଦେଇଥିଲେ ଡ. ସଂଗ୍ରାମ ଜେନା। କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ମଧୁମିତା ମହାନ୍ତି ଓ ଡ. ମୃତ୍ୟଞ୍ଜୟ ରଥ। ଏକାଡେମୀର ସମସ୍ତ ସଦସ୍ୟ ଓ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ।

Comments are closed.