୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ବର, ୨।୧୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୧୦ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ। ରାଷ୍ଟ୍ରପତି ହେବା ପରେ ନିଜ ଗୃହ ରାଜ୍ୟକୁ ଶ୍ରୀମତୀ ମୁର୍ମୁଙ୍କ ଏହା ପ୍ରଥମ ଗସ୍ତ। ରାଜଭବନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆସନ୍ତା ୧୦ ତାରିଖ ଅପରାହ୍ନରେ ଭୁବନେଶ୍ୱରରେ ପହଂଚିବେ। ବିମାନ ବନ୍ଦରରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବା ପରେ ସେ ସେଠାରୁ ସିଧାସଳଖ ରାଜଭବନ ଯିବେ। ରାଜଭବନରେ ରାତ୍ରି ରହଣୀ କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ୧୧ ତାରିଖ ସକାଳେ ପୁରୀ ଗସ୍ତରେ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବେ। ଏହାପରେ ସେ ଦିଲ୍ଲୀ ଫେରିଯିବେ। ରାଷ୍ଟ୍ରପତିଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ରାଷ୍ଟ୍ରପତି ଭବନ ପକ୍ଷରୁ ଓଡ଼ିଶା ରାଜ୍ୟପାଳଙ୍କୁ ଅବଗତ କରାଯାଇଛି ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଦେଶର ପ୍ରଥମ ଆଦିବାସୀ ଓ ଓଡ଼ିଆ ମହିଳା ଭାବେ ଶ୍ରୀମତୀ ମୁର୍ମୁ ଜୁଲାଇ ୨୫ ତାରିଖରେ ରାଷ୍ଟ୍ରପତି ପଦର ଶପଥ ନେଇଥିଲେ।

Comments are closed.