ସ୍ବାଧୀନତା ଦିବସରେ ଦେଶବାସୀଙ୍କୁ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

ଏଣିକି ସୈନିକ ସ୍କୁଲରେ ପଢ଼ିପାରିବେ ଛାତ୍ରୀ, ଭାରତକୁ ଗ୍ରୀନ୍ ହାଇଡ୍ରୋଜେନ୍‌ ହବ୍‌ କରାଯିବା ଭଳି ବଡ଼ ଘୋଷଣା

0

ନୂଆଦିଲ୍ଲୀ, ୧୫।୮: ଆଜି ୭୫ତମ ସ୍ୱାଧୀନତା ଦିବସ ଅବସରରେ ଐତିହାସିକ ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନ କରିଛନ୍ତି। ଦେଶକୁ ଆତ୍ମନିର୍ଭର କରିବା ପାଇଁ କ’ଣ ସବୁ ଦରକାର ସେ ବିଷୟରେ କହିବା ସହ ଲାଲକିଲ୍ଲାରୁ ଅନେକ ବଡ଼ ବଡ଼ ଘୋଷଣା ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶବାସୀଙ୍କ ବିକାଶ ପାଇଁ ଅନେକ ଯୋଜନା କରାଯାଇଛି। କେହି ଯେପରି ସରକାରୀ ସୁବିଧାରୁ ବଞ୍ଚିତ ନ ହେବେ ତାହା ହିଁ ଆମର ଉଦ୍ଦେଶ୍ୟ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ସହିତ ସବ୍‌କା ସାଥ, ସବ୍‌କା ବିକାଶରେ ସେ ଯୋଡ଼ିଛନ୍ତି ସବ୍‌କା ବିଶ୍ୱାସ ଓ ସବ୍‌କା ପ୍ରୟାସ।

ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେ ପକାଇବା ସହ କରୋନା ଯୋଦ୍ଧାଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।  ଏଥିସହ ଅଲିମ୍ପିକ୍ସରେ ଭାଗ ନେଇଥିବା ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ବର୍ଷ ବର୍ଷ ଧରି ଭାରତ ସ୍ୱାଧୀନତା ପାଇବା ପାଇଁ ସଂଘର୍ଷ କରିଛି। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁ ଜୀ ହୁଅନ୍ତୁ ଅବା ଦେଶକୁ ଏକଜୁଟ ରାଷ୍ଟ୍ରରେ ପରିଣତ କରିଥିବା ସରଦାର ପଟେଲ ହୁଅନ୍ତୁ, ଅଥବା ଦେଶକୁ ଭବିଷ୍ୟତର ପଥ ଦେଖାଇଥିବା ବାବା ସାହେବ ଆମ୍ବେଦକର, ଦେଶ ଏହିପରି ପ୍ରତ୍ୟେକ ମହାନ ବ୍ୟକ୍ତିତ୍ୱଙ୍କୁ ମନେ ରଖିଛି। ଦେଶ ଏ ସମସ୍ତଙ୍କ ଋଣୀ ବୋଲି ମୋଦି କହିଥିଲେ।

ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ପୂର୍ବରୁ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ପାଇଁ ଲକ୍ଷ୍ୟ ରଖାଯାଇଛି।  ଏଥିପାଇଁ ଦେଶବାସୀ ସଂକଳ୍ପ ନେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଶକ୍ତିକ୍ଷେତ୍ରରେ ଆତ୍ମନିର୍ଭର ପାଇଁ ପ୍ରଧାନମନ୍ତ୍ରୀ ହାଇଡ୍ରୋଜେନ୍ ମିସନ ଘୋଷଣା କରିଛନ୍ତି।  ଏଥିସହ ଦେଶର ସବୁ ସୈନିକ ସ୍କୁଲରେ ଝିଅଙ୍କୁ ପଢ଼ିବାକୁ ସୁଯୋଗ ମିଳିବ,  ବିକାଶ ପ୍ରକ୍ରିୟାରେ କେହି ଯେପରି ବାଦ ନ ପଡ଼ନ୍ତି ଆମକୁ ନିଶ୍ଚିତ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଏଣିକି ସୈନିକ ସ୍କୁଲରେ କେବଳ ପୁଅମାନେ ନୁହନ୍ତି, ଝିଅମାନଙ୍କୁ ମଧ୍ୟ ପଢ଼ିବାର ସୁଯୋଗ ଦିଆଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ପୂର୍ବରୁ କେବଳ ମିଜୋରାମର ସୈନିକ ସ୍କୁଲରେ ଛାତ୍ରୀଙ୍କୁ ପଢ଼ିବାକୁ ସୁଯୋଗ ଦିଆଯାଇଥିଲା। କିନ୍ତୁ ଏବେ ଦେଶର ସବୁ ସୈନିକ ସ୍କୁଲରେ ଛାତ୍ରୀଙ୍କୁ ପଢ଼ିବାକୁ ସୁଯୋଗ ମିଳିବ। ଏହାସହ ମୋଦୀ କହିଛନ୍ତି ଯେ, ଏବେ ଝିଅମନେ ବହୁ ଭାବରେ ନିଜକୁ ପ୍ରତିପାଦିତ କରିପାରିଛନ୍ତି। ବୋର୍ଡ ପରୀକ୍ଷା ହେଉ ବା ଅଲିମ୍ପିକ୍ସ ସବୁଠି ଦମଦାର ପ୍ରଦର୍ଶନ କରି ଦେଶକୁ ଝିଅମାନେ ଗୌରବାନ୍ବିତ କରୁଛନ୍ତି।

ଏଥିସହ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଦେଶରେ ନୂଆ ଶିକ୍ଷାନୀତି ଲାଗୁ ହେବା ପରେ ଛାତ୍ରଛାତ୍ରୀଙ୍କର ଆଉ ଭାଷାଗତ ସମସ୍ୟା ରହିବ ନାହିଁ। ଫଳରେ ପାଠପଢ଼ାରେ ମଧ୍ୟ କୌଣସି ସମସ୍ୟା ରହିବନି। ଏହାସହ ଏହି ଶିକ୍ଷାନୀତିରେ ଖେଳକୁ ମଧ୍ୟ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି। ଏବେ କ୍ରୀଡ଼ା ପାଇଁ ଲୋକଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି ହୋଇଛି। କ୍ରୀଡ଼ାକୁ ନେଇ ଅଭିଭାବକଙ୍କ ଦୃଷ୍ଟିକୋଣ ବଦଳିଛି, ଆଉ ଅଲିମ୍ପିକ୍ସ ଏହା ପଛର ବଡ଼ କାରଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ଭାରତକୁ ଗ୍ରୀନ ହାଇଡ୍ରୋଜେନ ହବ୍ କରିବାକୁ ଲକ୍ଷ୍ୟ ରଖାଯାଇଥିବାରୁ ପ୍ରଧାନମନ୍ତ୍ରୀ ନ୍ୟାସନାଲ୍ ହାଇଡ୍ରୋଜେନ ମିଶନ ଘୋଷଣା କରିଛନ୍ତି।  ଆମେ ଆଜି ଯେଉଁ ସଂକଳ୍ପ କରୁଛୁ ତାହା ୨୦୪୭ରେ ପୂରଣ ହେବ।  ସ୍ୱାଧୀନତାର ସ୍ୱର୍ଣ୍ଣିମ ପୂର୍ତ୍ତିରେ ତାହା ସମସ୍ତେ ଉପଲବ୍ଧ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.