ପୁ‌ଷ୍କର ସିଂହ ଧାମୀ ହେବେ ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ଡେରାଡୁନ, ୩।୭: ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ପଦରୁ ତିରଥ ସିଂହ ରାୱତ ଇସ୍ତଫା ଦେଇଛନ୍ତି। ତେବେ ତାଙ୍କ ପରେ କିଏ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବ ବୋଲି କଳ୍ପନାଜଳ୍ପନା ଚାଲିଥିବା ବେଳେ ଖଟିମା ନିର୍ବାଚନ ମଣ୍ଡଳୀର ବିଧାୟକ ପୁ‌ଷ୍କର ସିଂହ ଧାମୀଙ୍କ ନାମ ସାମ୍‌ନାକୁ ଆସୁଛି। ମିଳିଥିବା ଖବର ଅନୁଯାୟୀ, ଉତ୍ତରାଖଣ୍ଡ ବିଜେପି ବିଧାୟକ ଦଳର ନେତା ବାଛି ସାରିଛି। ପୁଷ୍କର ସିଂହ ଧାମୀଙ୍କୁ ବିଧାୟକ ଦଳର ନେତା ଭାବେ ନିଯୁକ୍ତ କରାଯାଇଛି। ସେ ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ବୋଲି ସୂଚନା ମିଳିଛି।

ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ପୁଷ୍କର ସିଂହ ଧାମୀଙ୍କ ନାମରେ ମୋହର ମାରିଛି ଦଳ। ଆଜି ଅପରାହ୍ନ ୩ଟାରେ ଡେରାଡୁନ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଏ ନେଇ ବିଧାୟକ ଦଳର ବୈଠକ ହୋଇଥିଲା। ବୈଠକରେ ସମସ୍ତେ ପୁଷ୍କରଙ୍କୁ ତାଙ୍କ ନେତା ଭାବେ ବାଛିବା ସହିତ ମୁଖ୍ୟମନ୍ତ୍ରୀ ପାଇଁ ମୋହର ମାରିଥିଲେ। ସୂଚନା ଅନୁସାରେ, ପୁଷ୍କର ଆଜି ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ପାଇଁ ପଦ ଓ ଗୋପନୀୟତାର ଶପଥ ନେବେ। ଏହି ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂହ ତୋମାର, ଡି. ପୁରନ୍ଦେଶ୍ୱରୀ, ଉତ୍ତରାଖଣ୍ଡ ବିଜେପି ପ୍ରଭାରୀ ଦୁଷ୍ୟନ୍ତ କୁମାର ଗୌତମ ଓ ରେଖା ବର୍ମା ପ୍ରମୁଖ ଉପସ୍ଥିତ ରହିଥିଲେ।

ରାଜ୍ୟରେ ଉପନିର୍ବାଚନ ହେବା ନେଇ ଅନିଶ୍ଚିତତା ଦେଖାଦେବା ପରେ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାୱତ। ଏହାପରେ କିଏ ରାଜ୍ୟର ମଙ୍ଗ ଧରିବ, କାହାକୁ ମୁଖ୍ୟମନ୍ତ୍ରୀ କରାଯିବ ସେ ନେଇ ବିଜେପିରେ ମାନସ ମନ୍ଥନ ଚାଲିଥିଲା। ଶେଷରେ ଅପରାହ୍ନରେ ହୋଇଥିବା ବିଧାୟକ ଦଳର ବୈଠକ ପରେ ପୁଷ୍କରଙ୍କ ନାମରେ ମୋହର ମାରିଛି ବିଜେପି।

Comments are closed.