ଆଉନାହାନ୍ତି ଅଭିନେତା ରାଇମୋହନ

0

ଭୁବନେଶ୍ବର, ୨୪।୬: ଆଉ ନାହାନ୍ତି ଦୁର୍ଦ୍ଦାନ୍ତ ଖଳନାୟକ ରାଇମୋହନ ପରିଡ଼ା। ଆତ୍ମହତ୍ୟା କରିଛନ୍ତି ଏହି ଲୋକପ୍ରିୟ ଅଭିନେତା। ପଳାଶୁଣୀର ପ୍ରାଚୀ ବିହାର ସ୍ଥିତ ଘରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ମଞ୍ଚେଶ୍ଵର ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ତେବେ ରାଇମୋହନ ହଠାତ୍ ଏଭଳି ଚରମ ନିଷ୍ପତ୍ତି କାହିଁକି ନେଲେ ସେନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତାଙ୍କର ଆତ୍ମହତ୍ୟା ଖବର ମିଳିବା ପରେ ଓଲିଉଡ ଜଗତ ଶୋକ ସାଗରରେ ବୁଡ଼ି ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବୟସ ହୋଇଥିଲା। ତାଙ୍କର ମୃତ୍ୟୁ ପରେ ସିନେମା ଜଗତ ପାଇଁ ଅପୂରଣୀୟ କ୍ଷତି ହୋଇଛି।

ଉଭୟ ଯାତ୍ରା ଓ ସିନେମାରେ ରାଇମୋହନ ଜଣେ ଚର୍ଚ୍ଚିତ ଖଳନାୟକ ରୂପରେ ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଥିଲେ। ୯୦ରୁ ଅଧିକ ଓଡ଼ିଆ ସିନେମା ଓ ୧୫ରୁ ଅଧିକ ବଙ୍ଗଳା ସିନେମାରେ ସେ ଅଭିନୟ କରିଛନ୍ତି। ସିଂହବାହିନୀ, ସୁନା ଭାଉଜ ଓ ମେଣ୍ଟାଲ ଚଳଚ୍ଚିତ୍ର ତାଙ୍କ ଅଭିନୟ କ୍ୟାରିଅରର ମାଇଲ୍‌ଖୁଣ୍ଟ ଥିଲା। ୧୯୯୧ ମସିହାରେ ବସ୍ତ୍ରହରଣ, ୧୯୯୨ ନାଗପଞ୍ଚମୀ, ୧୯୯୫ ମସିହାରେ ରଣଭୂମି, ମଣି ନାଗେଶ୍ବରୀ, ଲକ୍ଷେ ଶିବ ପୂଜି ପାଇଛି ପୁଅ, ୧୯୯୯ ମସିହାରେ ସରପଞ୍ଚ ବାବୁ, ୨୦୦୪ ମସିହାରେ କଣ୍ଢେଇ ଆଖିରେ ଲୁହ, ୨୦୦୩ ରେ ଯେ ପାଞ୍ଚେ ପର ମନ୍ଦ, ୨୦୦୨ରେ ସେହି ଝିଅଟି, ପୁଅ ମୋର ଜଗତ ଜିତା, ଚକା ଆଖିସବୁ ଦେଖୁଛି, ୨୦୦୭ ମସିହାରେ କାଳି ଶଙ୍କର ଆଦି ସିନେମାରେ ସେ ନିଖୁଣ ଅଭିନୟ କରିଛନ୍ତି।

୧୯୬୩ ଜୁଲାଇ ୧୦ରେ ଜନ୍ମଗ୍ରହଣ କରିଥିଲେ ରାଇମୋହନ ପରିଡା । ରାଇମୋହନ ଥିଲେ କେନ୍ଦୁଝର ନିବାସୀ । ସେ ଭୁବନେଶ୍ୱରେ ଆସି ରହୁଥିଲେ । ତାଙ୍କର ଦୁଇ ଝିଅ ଅଛନ୍ତି । ରାଇମୋହନଙ୍କର ମୃତ୍ୟୁ ଖବର ପ୍ରଘଟ ହେବା ପରେ ତାଙ୍କ ବାସଭବନରେ ଲୋକଙ୍କ ଭିଡ଼ ଜମିଛି।

Leave A Reply

Your email address will not be published.