ଆତ୍ମହତ୍ୟାର ଦୀର୍ଘ ସମୟ ପୂର୍ବରୁ କିଛି ଖାଇନଥିଲେ ରାଇମୋହନ

0

ଭୁବନେଶ୍ୱର,୨୯/୬: ଓଲିଉଡ୍ର ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ମଞ୍ଚେଶ୍ୱର ଥାନା ପୁଲିସକୁ ହସ୍ତାନ୍ତର ହୋଇଛି ଶ୍ୱାସରୁଦ୍ଧ (ଆସ୍ପିକ୍ସିଆ) ହିଁ ମୃତ୍ୟୁର କାରଣ ବୋଲି ରିପୋର୍ଟରେ ଦର୍ଶାଯାଇଛି । ମୃତ୍ୟୁ ପୂର୍ବରୁ ରାଇମୋହନ ଦୀର୍ଘ ସମୟ ଧରି କିଛି ଖାଇନଥିବା ରିପୋର୍ଟରୁ ସୂଚନା ମିଳିଛି ତାଙ୍କ ଗୋଡ଼ରେ ଥିବା ଏକ କ୍ଷତଚିହ୍ନକୁ ନେଇ ମଧ୍ୟ ସନ୍ଦେହ ବଢ଼ିଛି ।  ରିପୋର୍ଟରୁ ମିଳିଥିବା ସୂଚନା ମୁତାବକ, ବ୍ୟବଚ୍ଛେଦ ହେବାର ୨-୩ ଘଣ୍ଟା ପୂର୍ବରୁ ରାଇମୋହନଙ୍କ ମୃତ୍ୟୁ ଘଟିଥିଲା । ମୃତଦେହରେ କୌଣସି ବଡ଼ ବାହ୍ୟ କ୍ଷତଚିହ୍ନ ନ ଥିଲା । ବେକରେ ଲିଗାଚର ମାର୍କ ଥିଲା । କୌଣସି ଶକ୍ତ ଜିନିଷ (ରଶି, ଲୁଗା, ଧୋତି)ରେ ବେକକୁ ଚିପି ଧରିଲେ, ଏହି ଚିହ୍ନ ରହିବ । କିନ୍ତୁ ତାଙ୍କ କାନଠାରୁ ବେକ ପଛପାଶ୍ୱର୍କୁ ଏହି ଦାଗ ଧୀରେ ଧୀରେ ଲିଭିଯାଇଛି । ଅର୍ଥାତ୍‌ କେହି ତାଙ୍କ ବେକକୁ ଧୋତିରେ ଚାପି ମାରିବାକୁ ଚେଷ୍ଟା କରିନାହାନ୍ତି । ତାଙ୍କ ଡାହାଣ ପାର୍ଶ୍ବ ଗୋଡ଼ କାଣି ଆଙ୍ଗୁଠିରେ ଏକ କ୍ଷତ ଚିହ୍ନ ଥିଲା । ପୁଲିସ ଅନୁମାନ କରୁଛି, ମୃତଦେହକୁ ଓହ୍ଲାଇବା ବେଳେ ପାଦ କେଉଁଠି ବାଜିଯିବାରୁ ଏହି ଛୋଟ କ୍ଷତ ହୋଇ ଥାଇପାରେ । ଏହି ଛୋଟ କ୍ଷତ ଯୋଗୁଁ ମୃତ୍ୟୁ ଘଟିନଥିବ ।

ବଡ଼ କଥା ହେଲା, ତାଙ୍କ ପାକସ୍ଥଳୀରେ କୌଣସିପ୍ରକାର ଖାଦ୍ୟର ନମୁନା ମିଳିନାହିଁ । ଅର୍ଥାତ୍‌ ମୃତ୍ୟୁର ଢେର୍‌ ପୂର୍ବରୁ ରାଇମୋହନ ଉପାସ ଥିବା ରିପୋର୍ଟ ଦର୍ଶାଉଛି । ସକାଳେ ଘର ପାଇଁ ପନିପରିବା ଆଣିବାକୁ ବୁଲେଟ୍‌ ଯୋଗେ ଯାଇଥିବା ରାଇମୋହନ କଣ ପାଇଁ ନିଜେ ଖାଇନଥିଲେ? ଏ ନେଇ ସନ୍ଦେହ ଘନେଇଛି । ଏବେ ରାଇମୋହନ ଉପାସ ଥିବା ପଛର କାରଣ ଖୋଜୁଛି ପୁଲିସ । ପାରିବାରିକ କଳହ ଯୋଗୁଁ ସେ ରାଗି କରି ଖାଇନଥିଲେ କି ଅନ୍ୟ କିଛି ରହସ୍ୟ ରହିଛି । ଏ ନେଇ ପୁଲିସ ତନାଘନା ଚଳାଇଛି ।

ସେପଟେ ରାଇମୋହନଙ୍କ ମୃତ୍ୟୁ ବିଷକ୍ରିୟାରେ ହୋଇଥିବା ଦିଗ ନେଇ ରିପୋର୍ଟରୁ କିଛି ସ୍ପଷ୍ଟ ହୋଇନି । ହୁଏତ କେହି ବିଷ ଦେଇ ତାଙ୍କୁ ମାରିବା ପରେ ଆତ୍ମହତ୍ୟାର ରୂପ ଦେଇଥିବା ସନ୍ଦେହ କରାଯାଉଛି । ଏଥିପାଇଁ ବ୍ୟବଚ୍ଛେଦ ଦିନ ତାଙ୍କ ଫୁସଫୁସ୍‌, ହୃତପିଣ୍ଡ, ପାକସ୍ଥଳୀ, ଶ୍ୱାସନଳୀରୁ ନମୁନା ସଂଗ୍ରହ କରାଯାଇଥିଲା । ଏସବୁକୁ ରସୁଲଗଡ଼ସ୍ଥିତ ରାଜ୍ୟ ଅପରାଧବିଧି ବିଜ୍ଞାନାଗାରକୁ ପୁଲିସ ପଠାଇଛି । ତାଙ୍କୁ ବିଷ ଦିଆଯାଇଥିଲା କି ନାହିଁ? ସେ ନିଶା ସେବନ କରିଥିଲେ କି? ଭିସେରା ପରୀକ୍ଷାରୁ ଏନେଇ ତଥ୍ୟ ମିଳିବ। ରାଇମୋହନଙ୍କ ମାନସିକ ଅଶାନ୍ତି ବିଷୟରେ ପରିବାର, ପଡ଼ୋଶୀ ଓ ଭଡ଼ାଟିଆଙ୍କୁ ପୁଲିସ ଥରେ ଜେରା କରିଥିଲେ ହେଁ, ଏଯାଏଁ ସ୍ପଷ୍ଟ ଚିତ୍ର ମିଳିନି । ମଞ୍ଚେଶ୍ୱର ଥାନାର ଏକ ପୁଲିସ ଟିମ୍‌ ଆଜି ପୁଣି ପ୍ରାଚୀବିହାରସ୍ଥିତ ଉଦୟ-ପୂରଯାଇଥିଲା । କେଉଁ କାରଣ ଯୋଗୁଁ ସେ ଉପାସ ଥିଲେ? କିଛି ମନୋମାଳିନ୍ୟ ଥିଲା କି? ଟିମ୍‌ ଏନେଇ ପଚରାଉଚରା କରି ଫେରିଛି ।

Leave A Reply

Your email address will not be published.