ଅବପାତର ରୂପ ନେଲା ଲଘୁଚାପ

ଆସନ୍ତାକାଲି ୫ ଜିଲ୍ଲାରେ ଅତିପ୍ରବଳ ବର୍ଷା, ଜାରି ହେଲା ରେଡ୍‌ ୱା‌ର୍ଣ୍ଣିଂ

0

ଭୁବନେଶ୍ୱର, ୧୨।୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ସକାଳେ ସ୍ପଷ୍ଟଚିହ୍ନିତ ଲଘୁଚାପର ରୂପ ନେଇଥିବା ବେଳେ  ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ଜାରି ରହିଛି । ଗତକାଲିଠାରୁ ଝିପଝିପ ବର୍ଷା ହେଉଥିବା ବେଳେ ଆଜି ସକାଳଠୁ ପ୍ରବଳ ବର୍ଷା ହେଉଛି। ଆଜି ସକାଳ ୮ଟା ୩୦ରୁ ସଂଧ୍ୟା ୫ଟା ୩୦ ମଧ୍ୟରେ ପୁରୀରେ ସର୍ବାଧିକ ୧୪୫ ଓ ଭୁବନେଶ୍ୱରରେ ୧୧୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏବେ ଲଘୁଚାପ ଅବପାତରେ ପରିଣତ ହୋଇଥିବାରୁ ଏହାର ପ୍ରଭାବରେ ବର୍ଷାର ପରିମାଣ ବି ବଢ଼ିବ। ସେଥିପାଇଁ ଆସନ୍ତାକାଲି ୫ ଜିଲ୍ଲାରେ ଜାରି କରାଯାଇଛି ରେଡ୍ ଓ୍ୱାର୍ଣ୍ଣିଂ। ଆସନ୍ତାକାଲି ରାଜ୍ୟର ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର ଓ ବରଗଡ଼ ଜିଲ୍ଲାରେ ଅତିପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଧ, କେନ୍ଦୁଝର, ଢେଙ୍କାନାଳ ଓ କଟକ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଓ ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ବର, ଭଦ୍ରକ, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଣୁ ସ୍ଥିତି ଉପରେ ସତର୍କ ନଜର ରଖିବା ସହ ଆବଶ୍ୟକୀୟ ପ୍ରସ୍ତୁତି ସାରିବାକୁ ସ୍ବତନ୍ତ୍ର ରିଲିଫ୍ କମିସନର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି।
ଲଗାଣ ବର୍ଷା ଯୋଗୁଁ ମହାନଦୀ, ଦେବୀ, କୁଶଭଦ୍ରା, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ଋଷିକୂଲ୍ୟା ଆଦି ନଦୀର ଜଳସ୍ତର ଆଜି ସଂଧ୍ୟା ୬ଟା ପର୍ଯ୍ୟନ୍ତ ବୃଦ୍ଧି ପାଇବାରେ ଲାଗିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଓଡ଼ିଶା ତଥା ମହାନଦୀ ଉପରମୁଣ୍ଡରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ନେଇ ଆଶଙ୍କା ପ୍ରକାଶ ପାଇଛି।

Leave A Reply

Your email address will not be published.