ପଞ୍ଜୀକରଣ କରି ଟିକା ନ ନେଲେ କଟାଯିବ ଦରମା

ଭୁବନେଶ୍ବର, ୫।୨: ପଞ୍ଜୀକରଣ କରି ଟିକା ନନେଲେ ଦରମା କଟାଯିବାର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ଏପରି ଚେତାବନୀ ଦେଇଛି। କୋୱିନ ଆପ୍‌ରେ ପଞ୍ଜୀକରଣ କରି ଟିକା ନେଉନଥିବାରୁ ସ୍ୱାସ୍ଥ୍ୟ ବିଭାଗ ଏହି ପଦକ୍ଷେପ ନେଇଛି। ୧୦ ତାରିଖ ମଧ୍ୟରେ ଟିକା ନନେଲେ ଦରମା କଟାଯିବା ସମ୍ଭାବନା ରହିଛି। କେତେକ ଜିଲ୍ଲାରେ ଟିକାଦାନ ହାର କମ୍‌ ଥିବାରୁ ସ୍ୱାସ୍ଥ୍ୟ ବିଭାଗର ପଦକ୍ଷେପ ନେଇଛି।

ସେପଟେ ଟିକା ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି କଟକ ଜିଲ୍ଲାପାଳ। ଟିକା ନନେଲେ ଦରମା ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ। ରେଜିଷ୍ଟ୍ରେସନ କରି ଅଧିକାଂଶ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ି କର୍ମୀ ଟିକା ନେଉନଥିବାରୁ ଜିଲ୍ଲାପାଳ ଏପରି ଚେତାବନୀ ଦେଇଛନ୍ତି। ୧୦ ତାରିଖ ସୁଦ୍ଧା ଟିକା ନନେଲେ ଦରମା ଉଠାଇ ପାରିବେନି। ଏନେଇ ସିଏମ୍‌ସି କମିସନର, ଏସ୍‌ସିବି ଅଧୀକ୍ଷକ ଓ ସିଡିଏମ୍‌ଓ ପ୍ରମୁଖଙ୍କୁ ଚିଠି କରିଛନ୍ତି ଜିଲ୍ଲାପାଳ।

ଗତ ୧୬ ତାରିଖରୁ ସମଗ୍ର ଦେଶରେ ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ମଧ୍ୟ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଛି। ଏଥିପାଇଁ କରୋନା ଯୋଦ୍ଧାମାନେ ପଞ୍ଜୀକରଣ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ରେଜିଷ୍ଟ୍ରେସନ୍‌ କରି ମଧ୍ୟ ଟିକା ନେଉନାହାନ୍ତି କେତେକ ସ୍ୱାସ୍ଥ୍ୟ କର୍ମୀ। ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ୁଛି। ଯେଉଁମାନଙ୍କୁ କରୋନା ଯୋଦ୍ଧା କୁହାଯାଉଥିଲା, ସେମାନେ ଯଦି ଟିକା ନେଉ ନାହାନ୍ତି, ତାହାହେଲେ ସାଧାରଣ ଲୋକ କେମିତି ନେବେ? ଏପରି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି। ଏଥିରୁ ବର୍ତ୍ତିବା ପାଇଁ କଟକ ଜିଲ୍ଲା ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। କରୋନା ଟିକା ନନେଲେ ଦରମା ବନ୍ଦ କରିବାକୁ ଚେତାବନୀ ଦେଇଥିବା ଜଣାପଡ଼ିଛି।

Comments are closed.