ଓଡ଼ିଶାର ବିକାଶ ପାଇଁ ସମର୍ପିତ ହେବ ଶଙ୍ଖ ଭବନ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୩।୪: ଓଡ଼ିଶାବାସୀଙ୍କ ସେବାରେ ଶଙ୍ଖ ଭବନକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ଅକ୍ଷୟ ତୃତୀୟାର ପବିତ୍ର ଅବସରରେ ଭୁବନେଶ୍ୱରଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜୁ ଜନତାଦଳର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନକୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ସେବାରେ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ଶଙ୍ଖ ଭବନରୁ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରି  ମୁଖ୍ୟମନ୍ତ୍ରୀ  କହିଥିଲେ ଯେ, ଓଡ଼ିଶାକୁ ଭଲ ପାଉଥିବା ଓଡ଼ିଶାର ବିକାଶ ପାଇଁ, ଓଡ଼ିଆ ସ୍ୱାଭିମାନର ସୁରକ୍ଷା ପାଇଁ ତଥା ଏକ ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଗଠନ ପାଇଁ କାମ କରିବାକୁ ଆଗ୍ରହୀ ସମସ୍ତଙ୍କର ମିଳନସ୍ଥଳୀ ହେବ ଶଙ୍ଖ ଭବନ । ଏହା ହେବ ସାଢ଼େ ଚାରିକୋଟି ଓଡ଼ିଆଙ୍କ ପ୍ରିୟ ଭବନ ।

ଶଙ୍ଖ ଭବନର ସବୁ କାର୍ଯ୍ୟକ୍ରମ ଓଡ଼ିଶା ବାସୀଙ୍କ ସେବାରେ ସମର୍ପିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ସାଢେ ଚାରି କୋଟି ଓଡ଼ିଶାବାସୀକୁ ଏହି ଶଙ୍ଖ ଭବନ ଏକାଠି କରିବ । ଓଡ଼ିଶାର ବିକାଶ ପାଇଁ ସମର୍ପିତ ହେବ । ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତିର ବିକାଶ ପାଇଁ ସମର୍ପିତ ହେବ । ବିଶ୍ଵ ଦରବାରରେ ଓଡ଼ିଶାର ଇଷ୍ଟ ଦେବତା ଶ୍ରୀ ଜଗନ୍ନାଥଙ୍କ ମହାନ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଶଙ୍ଖ ଭବନ କାମ କରି ଚାଲିବ ଏବଂ ବସୁଧୈବ କୁଟୁମ୍ବକମର ବାର୍ତ୍ତା ପ୍ରଚାର କରିଚାଲିବ ।

ସୂଚନାଯୋଗ୍ୟ, ଶଙ୍ଖ ଭବନର ସମ୍ମିଳନୀ କକ୍ଷଗୁଡ଼ିକରେ ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳଗୌରବ ମଧୁସୂଦନ ଦାସ, ଆଦିକବି  ସାରଳା ଦାସ, ବୀର ସୁରେନ୍ଦ୍ର ସାଏ , ବକ୍ସି ଜଗବନ୍ଧୁ, ଭୀମ ଭୋଇ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ,ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ସହିଦ୍ ଲକ୍ଷ୍ମଣ ନାୟକ ପଣ୍ଡିତ ରଘୁନାଥ  ମୁର୍ମୁ, ବିର୍ସା ମୁଣ୍ଡା, ରେଣ୍ଡୋ ମାଝି, ଧରଣୀଧର ଭୂୟାଁ, ମା ରମାଦେବୀ, ପାର୍ବତୀ ଗିରି, ଫକୀମୋହନ  ସେନାପତି, ଗଙ୍ଗାଧର ମେହେର, କୁନ୍ତଳାକୁମାରୀ ସାବତ ଓ ବାଜି ରାଉତଙ୍କ ପରି ବରପୁତ୍ରମାନଙ୍କ ଉକ୍ତି ଖୋଦିତ ହେବ । ଓଡ଼ିଶାର ୩୦ଟି ଜିଲ୍ଲାର ପ୍ରସିଦ୍ଧ ସାମଗ୍ରୀ ଓ ଶ୍ରେଷ୍ଠ କଳାକୃତି ମଧ୍ୟ ସ୍ଥାନ ପାଇ। ଶଙ୍ଖ ଭବନରେ ପ୍ରତି ସପ୍ତାହରେ ରକ୍ତଦାନ କାର୍ଯ୍ୟକ୍ରମ କରାଯିବ । ଏହା ସହିତ  ଗରିବ ଲୋକଙ୍କ ବିବାହ ଓ ଅନ୍ୟନ୍ୟ ସାମାଜିକ କାର୍ଯ୍ୟକ୍ରମ ମଧ୍ୟ ନିୟମିତ ଜାରି ରହିବ ।

Comments are closed.