ନିରବି ଗଲେ ଶାନ୍ତନୁ ମହାପାତ୍ର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ

0

ଭୁବନେଶ୍ବର, ୩୦।୧୨: ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ଆଚାର୍ଯ୍ୟ ଆଉ ନାହାନ୍ତି। ଗତକାଲି ସାଢ଼େ ୧ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଛି। ରବିବାର ଦିନ ରାତିରେ ତାଙ୍କୁ ଭୁବନେଶ୍ବରସ୍ଥିତ କେୟାର ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେ ଆକ୍ୟୁଟ୍‌ ନିମୋନିଆରେ ପୀଡ଼ିତ ଥିବା ବେଳେ ତାଙ୍କର କିଡ୍‌ନି ପ୍ରାୟ ଅଚଳ ହୋଇଯାଇଥିଲା। ଗତକାଲି ରାତିରେ ମଲ୍ଟିପୁଲ୍‌ ଅର୍ଗାନ୍‌ ଫେଲ୍‌ୱର ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ତାଙ୍କ ଭାଇ ତଥା ଜଣାଶୁଣା କଣ୍ଠଶିଳ୍ପୀ ଦେବାଶିଷ ମହାପାତ୍ର ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ସମସ୍ତ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ଆଜି ସକାଳ ସାଢ଼େ ୯ଟାରେ ତାଙ୍କ ପାର୍ଥିବ ଶରୀର ହସ୍ପିଟାଲରୁ ଭୁବନେଶ୍ୱର ପଳାସପଲ୍ଲୀସ୍ଥିତ ତାଙ୍କ ବାସଭବନକୁ ନିଆଯାଇଥିଲା। ସେଠାରେ ବନ୍ଧୁ ପରିଜନ ଓ ଶୁଭେଚ୍ଛୁମାନେ ଶାନ୍ତନୁଙ୍କ ମର ଶରୀରର ଶେଷ ଦର୍ଶନ କରିଥିଲେ। ଏହାପରେ ତାଙ୍କ ମରଶରୀରକୁ ସଙ୍ଗୀତ ନାଟକ ଏକାଡେମି ଓ ପରେ ଭୁବନେଶ୍ବର କଳାକେନ୍ଦ୍ରକୁ ନିଆଯାଇଥିଲା। ଶେଷରେ ତାଙ୍କୁ ସତ୍ୟନଗର ଶ୍ମଶାନକୁ ନିଆଯାଇଥିଲା। ରାଷ୍ଟ୍ରୀୟ ମଯ୍ୟାଦା ସହ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ‌ହୋଇଛି।

୧୯୩୬ ମସିହାରେ ବାରିପଦାରେ ଜନ୍ମଗ୍ରହଣ କରିଥିଲେ ଶାନ୍ତନୁ ମହାପାତ୍ର। ଆଇଆଇଟି ଖଡ଼ଗପୁରରୁ ଆପ୍ଲାଏଡ୍ ଜିଓଲଜି ଆଣ୍ଡ ଜିଓଫିଜିକ୍ସରେ ସେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ରାଜ୍ୟ ସରକାରଙ୍କ ମାଇନିଂ ଏବଂ ଜିଓଲୋଜି ବିଭାଗରେ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଛନ୍ତି। ଜଣେ ସଫଳ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ତଥା ଭୂ-ତତ୍ବବିତ୍‌ ହୋଇଥିଲେ ମଧ୍ୟ ଶାନ୍ତନୁ କେବେ ସଙ୍ଗୀତରୁ ଦୂରେଇ ନାହାନ୍ତି। ସଂଗୀତ ଗୁରୁ ବାଂଛାନିଧି ପଣ୍ଡାଙ୍କ ନିକଟରୁ ସଂଗୀତ ଶିକ୍ଷା କରିଥିଲେ ଶାନ୍ତନୁ। ପିଲା ଦିନୁ ସଙ୍ଗୀତ ପ୍ରତି ଅହେତୁକ ଦୁର୍ବଳତା ରହିଥିବା ଶାନ୍ତନୁ ଅଭି ଛୋଟ ବୟସରୁ ହିଁ ନିଜ ପ୍ରତିଭା ପ୍ରତିପାଦିତ କରିପାରିଥିଲେ।

ଓଡ଼ିଶାରେ ସଙ୍ଗୀତର ଏକ ନୂଆ ଧାରା ସୃଷ୍ଟି କରିଥିଲେ ଶାନ୍ତନୁ ମହାପାତ୍ର। କେବଳ ଓଡ଼ିଆ ନୁହେଁ ହିନ୍ଦୀ, ବଙ୍ଗଳା, ଆସାମୀ ଓ ତେଲୁଗୁ ଭାଷାରେ ବି ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶାନ୍ତନୁ ମହାପାତ୍ର। ସଙ୍ଗୀତ ସାଧନା ପାଇଁ ତାଙ୍କୁ ଜାତୀୟ ଓ ରାଜ୍ୟସ୍ତରରେ ଅନେକ ପୁରସ୍କାର ମିଳିଛି। ‘ଚିଲିକା ତୀରେ’, ‘ପ୍ରିୟତମା’, ‘ଅଗ୍ନି ପରୀକ୍ଷା’, ‘ମେଘମୁକ୍ତି’, ‘ଶୀତ ରାତି’ ଓ ‘ଜୀବନ ସଂଗ୍ରାମ’ ଆଦି ଚଳଚ୍ଚିତ୍ର ପାଇଁ ତାଙ୍କୁ ଜାତୀୟ ପୁରସ୍କାର ମିଳିଛି। ବଙ୍ଗଳା ଚଳଚ୍ଚିତ୍ର ‘ମହାପୃଥିବୀ’ ଓ ହିନ୍ଦୀ ଚଳଚ୍ଚିତ୍ର ‘ଶୋଧ’ ପାଇଁ ମଧ୍ୟ ସେ ଜାତୀୟ ପୁରସ୍କାରର ଅଧିକାରୀ ହୋଇପାରିଛନ୍ତି।। ବିଭିନ୍ନ ଭାଷାରେ ସଂଗୀତ ଦେବାରେ ଶାନ୍ତନୁ ହେଉଛନ୍ତି ପ୍ରଥମ ଓଡ଼ିଆ  ସଙ୍ଗୀତ ନିର୍ଦ୍ଦେଶକ।

ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ। ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା କିଛି ବହୁଚର୍ଚ୍ଚିତ ଚଳଚ୍ଚିତ୍ର ଭିତରେ ରହିଛି- ସୂର୍ଯ୍ୟମୁଖୀ, ଅରୁନ୍ଧତି, ଚିଲିକା ତୀରେ ଓ ଡୋରା ଭଳି ସୁପରହିଟ  ଓଡ଼ିଆ ଚଳଚ୍ଚିତ୍ର। ପାଖାପାଖି ୧୯୦୦ ଗୀତର ସଂଯୋଜନା କରିଛନ୍ତି ଶାନ୍ତନୁ। ସେଥିମଧ୍ୟରେ ୫୩ଟି ଫିଚର୍‌ ଓ ଟେଲି ଫିଲ୍ମ, ୧୦ଟି ଯାତ୍ରା, ୬୦ଟି ଆକାଶବାଣୀ ନାଟକ, ୧୦ଟି ନୃତ୍ୟନାଟିକା। ତାଙ୍କ ନିର୍ଦ୍ଦେଶିତ ଲୋକପ୍ରିୟ ଗୀତ ମଧ୍ୟରେ ‘ସେଇ ଚୁନା ଚୁନା…’, ‘ମୟୂରୀ ଗୋ…’, ‘ମୁଁ ତ ଥିଲି ଏକୁଟିଆ…’, ‘ଏଇ ଜୀବନଟା ଏକ ନାଟକ…’, ‘ଆଗୋ ଚନ୍ଦ୍ରିକା…’ ଓ ‘ନୂପୂର ବଜାଏ କିଏ…’ ଆଦି ଅନ୍ୟତମ ।

ଶ୍ରୀ ମହାପାତ୍ର ଓଡ଼ିଆ ସିନେମା ସଙ୍ଗୀତ ଜଗତ ଜଣେ ଉଜ୍ଜଳତମ ତାରକା ଥିଲେ। ସେ ସର୍ବଦା ସଙ୍ଗୀତ ସାଧନାରେ ଲିପ୍ତ ରହୁଥିଲେ। ଯେତେବେଳେ ସମୟ ପାଉଥିଲେ ନିଜର ହାର୍‌ମୋନିୟମ୍‌ ଧରି ସ୍ୱର ସଂଯୋଜନା କରୁଥିଲେ। ସେ ବଲିଉଡ୍‌ର ମହମ୍ମଦ ରଫିଙ୍କଠାରୁ ଆରମ୍ଭ କରି ଲତା ମଙ୍ଗେସକର, ଉଷା ମଙ୍ଗେସକର, ମାନ୍ନା ଦେ, ସୁରେଶ ୱାଦେକର, ଅନୁରାଧା ପୌଡ଼ୱାଲ, ଉଷା ଉଥୁପ ଓ କବିତା କ୍ରିଷ୍ଣାମୂର୍ତ୍ତି ଆଦି ବଡ଼ ବଡ଼ କଣ୍ଠଶିଳ୍ପୀଙ୍କ ସହ ଓଡ଼ିଆ ଗୀତ ସଂଯୋଜନା କରିଛନ୍ତି। ତାଙ୍କ ପରଲୋକରେ ଓଲିଉଡ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି ।

ସଙ୍ଗୀତଜ୍ଞ ଶାନ୍ତନୁ ମହାପାତ୍ରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶାନ୍ତନୁଙ୍କୁ ଭାରତୀୟ ସଙ୍ଗୀତ ଜଗତର ଅମଳିନ ପ୍ରତିଭା ଭାବେ ବର୍ଣ୍ଣନା କରିଛନ୍ତି ମୁଖ୍ୟମନ୍ତ୍ରୀ। ତାଙ୍କ ନିର୍ଦ୍ଦେଶିତ ସଙ୍ଗୀତ ସବୁଦିନ ପାଇଁ ଅମର ହୋଇରହିବ। ଜଣେ ଗୀତିକାର ଓ ସଙ୍ଗୀତ ନିର୍ଦ୍ଦେଶକ ଭାବେ ସେ ତାଙ୍କ ପ୍ରତିଭାର ଉଜ୍ୱଳ ସ୍ୱାକ୍ଷର ଛାଡ଼ି ଯାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନିଜ ଶୋକବାର୍ତ୍ତାରେ ଲେଖିଛନ୍ତି।

ସେହିପରି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶାନ୍ତନୁଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିବା ସହ ସେ କହିଛନ୍ତି, ସ୍ବର୍ଗତ ମହାପାତ୍ର ସଙ୍ଗୀତ ଦୁନିଆର ଏକ ମାଇଲ ଖୁଣ୍ଟ ଥିଲେ। ଯାହାଙ୍କ ମୃତ୍ୟୁ ଆମ ପାଇଁ ଅପୂରଣୀୟ କ୍ଷତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଦୁଃଖସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ।

ସଙ୍ଗୀତଜ୍ଞ ଶାନ୍ତନୁ ମହାପାତ୍ରଙ୍କ ବିୟୋଗରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ଶାନ୍ତନୁ ମହାପାତ୍ର ଥିଲେ ପ୍ରଥମ ଓଡ଼ିଆ, ଯିଏ ବିଭିନ୍ନ ଭାଷାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୋଲି ଟ୍ୱିଟ୍ କରିଛନ୍ତି ବୈଜୟନ୍ତ। ଶାନ୍ତନୁ ମହାପାତ୍ରଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ଦିବଂଗତ ଆତ୍ମାର ସଦଗତି କାମନା କରିଛନ୍ତି।

Leave A Reply

Your email address will not be published.