ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ମନୋନୀତ

0

ଭୁବନେଶ୍ୱର ୨୭/୯: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ପ୍ରାୟ ଦୁଇ ବର୍ଷ ପରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ବିକାଶ ପରିଷଦ(ଏସ୍‌ଡିସି) ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ମନୋନୀତ ହୋଇଛନ୍ତି। ଦଳର ୧୮ଜଣ ଆଦିବାସୀ ନେତା ବା କର୍ମୀଙ୍କୁ ୯ଟି ଜିଲ୍ଲାର ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦରେ ଅଧିଷ୍ଠିତ ହୋଇଛନ୍ତି। ଏହି ନେତାମାନେ ୨ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ଆଜି ଏନେଇ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଦିବାସୀବହୁଳ ୯ଟି ଜିଲ୍ଲା ପାଇଁ ଏସ୍‌ଡିସି ଗଠନ ହୋଇଥିଲା ଓ ଏବେ କେବଳ ସୁନ୍ଦରଗଡ଼ରେ ଏସ୍‌ଡିସି ଅଧ୍ୟକ୍ଷ ଭାବେ ବିଜେଡି ନେତା ବିନୟ ଟପ୍ପୋ କାର୍ଯ୍ୟ କରୁଛନ୍ତି।

୨୦୧୯ ନିର୍ବାଚନ ପୂର୍ବରୁ ଆଦିବାସୀ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କ୍ଷମତାସୀନ ବିଜେଡି ସରକାର ୯ଟି ଆଦିବାସୀବହୁଳ ଜିଲ୍ଲା ଯଥା- ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କନ୍ଧମାଳ ଓ ସୁନ୍ଦରଗଡ଼ରେ ସ୍ୱତନ୍ତ୍ର ବିକାଶ ପରିଷଦ(ଏସଡିସି) ଗଠନ କରିଥିଲେ। ଏହି ଏସଡିସି ଜିଲ୍ଲାଗୁଡ଼ିକରେ ପୂର୍ବରୁ ନିଜର କର୍ମୀ ଓ ନେତାଙ୍କୁ ଥଇଥାନ କରିଥିଲେ। ମାତ୍ର ସେମାନଙ୍କର ଅବଧି ଶେଷ ହୋଇଥିଲେ ମଧ୍ୟ ଆଉ କାହାରିକୁ ପୁନଃ ନିଯୁକ୍ତି ଦେଇନଥିଲେ। ତେବେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସରକାର ଆଦିବାସୀ ଭୋଟରଙ୍କୁ ଆକୃଷ୍ଟ ନିମନ୍ତେ ଏହି ଏସଡିସି ଗଠନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆଜି ସମସ୍ତ ୯ଟି ଜିଲ୍ଲାର ଏସଡିସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଯୁକ୍ତି ଦେଇଛନ୍ତି।

ମୟୂରଭଞ୍ଜ ଜିଲ୍ଲାରେ ଦେବାଶିଷ ମାରାଣ୍ଡି ଏସ୍‌ଡିସି ଅଧ୍ୟକ୍ଷ ଓ କମଳା ତିରିଆଙ୍କୁ ଉପାଧ୍ୟକ୍ଷ ଭାବେ ଥଇଥାନ କରାଯାଇଥିବାବେଳେ କେନ୍ଦୁଝର ଜିଲ୍ଲା ଏସଡିସିର ଅଧ୍ୟକ୍ଷ ଭାବେ ଲକ୍ଷ୍ମୀ ନାୟକ, ଉପାଧ୍ୟକ୍ଷ- ନାରାୟଣ ପୂର୍ତ୍ତି, ମାଲକାନଗିରି ଏସଡିସି ଅଧ୍ୟକ୍ଷ- ଆଦମା ରବା ଓ ଉପାଧ୍ୟକ୍ଷ-ରାଇଲା ନାଏକ, କୋରାପୁଟ ଏସଡିସି ଅଧ୍ୟକ୍ଷ-ଚନ୍ଦ୍ରଶେଖର ମାଝୀ ଓ ଉପାଧ୍ୟକ୍ଷ- ଲକ୍ଷ୍ମୀ ହନ୍ତାଳ, ନବରଙ୍ଗପୁର ଏସଡିସି ଅଧ୍ୟକ୍ଷ- ଉପେନ୍ଦ୍ର ଗଣ୍ଡ ଓ ଉପାଧ୍ୟକ୍ଷ-ଭାନୁମତୀ ପୂଜାରୀ, ରାୟଗଡ଼ା ଏସଡିସି ଅଧ୍ୟକ୍ଷ- ଅନୂସୟା ମାଝୀ ଓ ଉପାଧ୍ୟକ୍ଷ-ବନମାଳୀ କଡ୍ରାକା, ଗଜପତି ଜିଲ୍ଲା ଏସଡିସି ଅଧ୍ୟକ୍ଷ- ମାରିୟମ ରାଇତୋ ଓ ଉପାଧ୍ୟକ୍ଷ- ଧନେଶ୍ୱର ଭୂୟାଁ, କନ୍ଧମାଳ ଜିଲ୍ଲା ଏସଡିସି ଅଧ୍ୟକ୍ଷ- ରୋଦାନ ମଲ୍ଲିକ ଓ ଉପାଧ୍ୟକ୍ଷ-ନଳିନୀ କହଁର ଏବଂ ସୁନ୍ଦରଗଡ଼ ଜିଲ୍ଲାର ଏସଡିସି ଉପାଧ୍ୟକ୍ଷ ଭାବେ ସୁଶୀଳା ଟପ୍ନୋଙ୍କୁ ନିଯୁକ୍ତି ମିଳିଛି । ସୁନ୍ଦରଗଡ଼ ଜିଲ୍ଲା ଏସଡିସି ଅଧ୍ୟକ୍ଷ ଭାବେ ବିନୟ ଟପ୍ପୋ ୨୦୨୧ ନଭେମ୍ବର ୬ରୁ କାର୍ଯ୍ୟ କରୁଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟର ୯ ଆଦିବାସୀବହୁଳ ଜିଲ୍ଲାର ୧୧୭ଟି ବ୍ଲକ ଅନ୍ତର୍ଗତ ୨୦୨୨ ପଂଚାୟତର ୧୮୬୮୭ଟି ଗାଁର ୧୪.୦୫ଲକ୍ଷ ଆଦିବାସୀ ପରିବାରର କଳା,ସଂସ୍କୃତି, ପରମ୍ପରା, କ୍ରୀଡ଼ା ଓ ଅନ୍ୟାନ୍ୟ ବିକାଶ ପାଇଁ ବିଜେଡି ସରକାର ସ୍ୱତନ୍ତ୍ର ଭାବେ ଏସଡିସି ଗଠନ କରିଥିଲେ ।

Leave A Reply

Your email address will not be published.