ସରିଲା ଦେବ ସ୍ନାନ, ୧୫ ଦିନ ପରେ ରଥଯାତ୍ରାରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତି

0

ପୁରୀ, ୧୪।୬: ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ବିଗୁଲ ବାଜି ସାରିଛି। ଆଜି ସ୍ନାନବେଦୀରେ ମହାସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତି। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଆଜି ସଂପୂର୍ଣ୍ଣ ନୀତିବିଧି ସହକାରେ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦୀରେ ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଛନ୍ତି ଶ୍ରୀଜିଉ। ରତ୍ନ ସିଂହାସନରେ ଦର୍ଶନ ଦେଉଥିବା ଚତୁର୍ଦ୍ଧାମୂର୍ତ୍ତି ଆଜି ଅଗଣିତ ଭକ୍ତଙ୍କୁ ସ୍ନାନବେଦୀରୁ ଦର୍ଶନ ଦେଇଛନ୍ତି। ଦୁଇବର୍ଷ ପରେ ପୁଣିଥରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହୋଇଛି।
ରାତି ସାଢ଼େ ୩ଟାରେ ଡୋରଲାଗି ଓ ପୁଷ୍ପାଞ୍ଜଳି ପରେ ଭୋର ୪ଟାରୁ ଶ୍ରୀଜିଉଙ୍କ ପହଣ୍ଡି(ଧାଡ଼ି ପହଣ୍ଡି) ଆରମ୍ଭ ହୋଇଥିଲା। ସକାଳ ୭ଟା ୪୦ ସୁଦ୍ଧା ପହଣ୍ଡି ଶେଷ ପରେ ସ୍ନାନନୀତି ଆରମ୍ଭ ହୋଇଛି। ମଦନମୋହନ ବିଜେ-୭ଟା ୫୫, ମଙ୍ଗଳ ଆଳତୀ ୮ଟା.୧୦, ମଇଲମ-୮ଟା୧୫, ତଡ଼ପଲାଗି ବେଶ-୮ଟା୨୫, ଅଧରପୋଛା ୮ଟା ୪୫ ଓ ଅବକାଶ ନୀତି ୯ଟା୨୦ରେ ସରିଥିଲା।

ଛେରା ପହଁରା ପରେ ଗଜ ବେଶ ଆରମ୍ଭ ହେବ। ଏହି ସମୟରେ ଭକ୍ତମାନେ ସ୍ନାନବେଦୀ ତଳେ ଅସ୍ଥାୟୀ ରାମ୍ପ୍ ଦେଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପରେ ସଂଧ୍ୟା ୬ଟାରୁ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇଥିଲା ରାତି ସାଢ଼େ ୯ଟାରେ ସାହାଣମେଲା ଦର୍ଶନ ବନ୍ଦ ପରେ ରାତି ୧୦ଟାରେ ବାହୁଡ଼ା ପହଣ୍ଡି (ଗୋଟି ପହଣ୍ଡି) ଆରମ୍ଭ ହୋଇଥିଲା। ଏଥିପାଇଁ ସ୍ନାନବେଦୀକୁ ବିଭିନ୍ନ ରଙ୍ଗ ସହ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି।

Leave A Reply

Your email address will not be published.