ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସୋଆ ଗବେଷକ ପ୍ରଫେସର ଶୁକ୍ଳା

0

ଭୁବନେଶ୍ବର, ୧୧।୧୨: ଶିକ୍ଷା ଓ ଅନୁସନ୍ଧାନ(ସୋଆ)ର ଗବେଷକ ପ୍ରଫେସର ଲାଲା ବିହାରୀ ଶୁକ୍ଲାଙ୍କ ନାମ ଆମେରିକାର ଷ୍ଟାନ୍‌ଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରକାଶିତ ବିଶ୍ବର ଶ୍ରେଷ୍ଠ ଦୁଇ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇଛି। ଷ୍ଟାନଫୋର୍ଡ ବିଶ୍ବବିଦ୍ୟ‌ାଳୟ ଦ୍ବାରା ବିଷୟବସ୍ତୁ ଆଧାରରେ ବିଶ୍ଲେଷଣ କରାଯାଇ ପ୍ରକାଶ କରାଯାଇଥିବା ତାଲିକାରେ ସୋଆର ବା‌ୟୋଫୁଏଲ୍‌ ଆଣ୍ଡ୍‌ ବାୟୋପ୍ରୋସେସିଂ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଥିବା ପ୍ରଫେସର ଶୁକ୍ଲା ମାଇନିଂ ଆଣ୍ଡ ମେଟାଲର୍ଜି ଗବେଷଣା କ୍ଷେତ୍ରରେ ବିଶ୍ବରେ ୩୨୮ତମ ସ୍ଥାନରେ ସ୍ଥାନ ପାଇଛନ୍ତି। ବିଶ୍ବବିଦ୍ୟାଳୟ ବିଶେଷଜ୍ଞମାନଙ୍କ ଦ୍ବାରା ମାନଯୁକ୍ତ ସନ୍ଦର୍ଭ ଆଧାର ଯେପରିକି ସନ୍ଦର୍ଭ ସମ୍ପର୍କିତ ସୂଚନା, ଏଚ୍‌-ଇ‌ଣ୍ଡେକ୍ସ, କୋ-ଅଥରସିପ୍‌ ଏବଂ ସମଗ୍ର ସୂଚକକୁ ଆଧାର କରି ଏହି ବିଶ୍ଲେଷଣ କରାଯାଇ ବିଶ୍ବର ୨ ପ୍ରତିଶତ ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକା ପ୍ରସ୍ତୁତ କରାଯାଇଛି।

ନେଚର୍‌ ପବ୍ଲିସିଂ ଗ୍ରୁପ୍‌ ଦ୍ୱାରା ପ୍ରକାଶ ପାଉଥିବା ସାଇଣ୍ଟିଫିକ୍‌ ରିପୋର୍ଟ ନାମକ ଏକ ଜର୍ନାଲ୍‌ର ସେ ସଂପାଦକୀୟ ବୋର୍ଡର ସଦସ୍ୟ ଅଛନ୍ତି । ବାୟୋମିନେରାଲ୍‌ ପ୍ରୋସେସିଙ୍ଗ୍‌ ଏବଂ ହାଇଡ୍ରୋମେଟାଲର୍ଜି ସମ୍ପର୍କିତ ଗବେଷଣା କ୍ଷେତ୍ରରେ ତାଙ୍କର ୪୪ ବର୍ଷର ଅଭିଜ୍ଞତା ରହିଛି । ପୂର୍ବରୁ ସେ ସିଏସ୍‌ଆଇଆର୍‌ର ଏମିରିଟସ୍‌ ସାଇଣ୍ଟିଷ୍ଟ ଏବଂ ନୂଆଦିଲ୍ଳୀସ୍ଥିତ ଏକାଡେମୀ ଅଫ୍‌ ସାଇନ୍‌ଟିଫିକ୍‌ ଆଣ୍ଡ ଇନୋଭେଟିଭ୍‌ ରିସର୍ଚ୍ଚ (ଏସିଏସ୍‌ଆଇଆର୍‌) ର ଏମିରଟ୍ସ ପ୍ରଫେସର ଭାବେ କାର୍ଯ୍ୟ ତୁଲାଇଛନ୍ତି ।

ଏଥିସହ ‌‌ସେ ଭୁବନେଶ୍ୱରସ୍ଥିତ ସିଏସ୍‌ଆଇଆର୍‌ – ଆଇଏମ୍‌ଏମ୍‌ଟିର ମୁଖ୍ୟ ବୈଜ୍ଞାନିକ ଏବଂ ବାୟୋ-ରିସୋର୍ସେସ୍‌ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି । ଅନେକ ସମ୍ମାନଜନକ ପୁରସ୍କାରରେ ସମ୍ମାନିତ ହୋଇଥିବା ପ୍ରଫେସର ଶୁକ୍ଲାଙ୍କର ଆନ୍ତର୍ଜାତୀୟ ଓ ଜାତୀୟ ଜର୍ନାଲଗୁଡ଼ିକରେ ୨୨୬ଟି ପେପର୍‌ ପ୍ରକାଶିତ ହୋଇଥିବା ବେଳେ ତାଙ୍କ ନାମରେ ୧୦ଟି ପ୍ୟାଟେନ୍‌ଟ ରହିଛି । ସେ ୫ଟି ପୁସ୍ତକର ମଧ୍ୟ ରଚୟିତା ।

Leave A Reply

Your email address will not be published.