ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସୋଆ ଉଦାହରଣ ସୃଷ୍ଟି କରିଛି: ସ୍ୱାସ୍ଥ୍ୟ ମନ୍ତ୍ରୀ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ପକ୍ଷରୁ ବିଶ୍ୱ ଗଣ୍ଠିବାତ ଦିବସ ପାଳିତ

0

ଭୁବନେଶ୍ୱର, ୧୨/୧୦: ଦୀର୍ଘ ବର୍ଷ ଧରି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓଡ଼ିଶାବାସୀଙ୍କୁ ନିରନ୍ତର ସ୍ୱାସ୍ଥ୍ୟ ସେବା ପ୍ରଦାନ କରି ଆସୁଛି। କୋଭିଡ ମହାମାରୀ ସମୟରେ ସୋଆ ପରିଚାଳିତ କୋଭିଡ ହସ୍ପିଟାଲଗୁଡ଼ିକର ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ଏହି ମହାମାରୀକୁ ପ୍ରତିହତ କରିପାରିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ କହିଛନ୍ତି। ଏହି ପରିସ୍ଥିତିରେ ସୋଆ ରାଜ୍ୟ ସରକାରଙ୍କ ସହ ମିଶି ମହାମାରୀର ମୁକାବିଲା କିରବାରେ ସହାୟକ ହୋଇଥିଲା ବୋଲି ପ୍ରକାଶ କରି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଓଡ଼ିଶାବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି ବୋଲି ସେ କହିଛନ୍ତି।

ବିଶ୍ୱ ଗଣ୍ଠିବାତ ଦିବସ ଅବସରରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ୍‌ ସମ୍ ହସ୍ପିଟାଲ୍‌ର କ୍ଲିନିକାଲ୍ ଇମ୍ୟୁନୋଲଜି ଆଣ୍ଡ୍‌ ରୁମାଟୋଲଜି​‌ ବିଭାଗ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଦାସ ଡାକ୍ତରମାନଙ୍କୁ ଦ୍ୱିତୀୟ ଭଗବାନ ଭାବେ ବର୍ଣ୍ଣନା କରିଥିଲେ। ଡାକ୍ତରମାନେ ଅବସର ନିଅନ୍ତି ନାହିଁ ମାତ୍ର ଜୀବନବ୍ୟାପୀ ରୋଗୀ ସେବାରେ ନିୟୋଜିତ ରହିଥାନ୍ତି ବୋଲି ସେ କହିଥିଲେ।
ଓଡ଼ିଶା ସରକାର କୋଭିଡ୍ ମହାମାରୀ ସମୟରେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପରିଚାଳନା କରିଥିବା ବେଳେ କୋଭିଡ ପରବର୍ତ୍ତି ସମୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପ୍ରଚଳନ କରିବା ଦ୍ୱାରା ଅନେକ ଗରିବ ବ୍ୟକ୍ତି ଉପକୃତ ହେଉଛନ୍ତି ବୋଲି ଶ୍ରୀ ଦାସ କହିଥିଲେ ।

ଏହି ଅବସରରେ ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର କହିଥିଲେ ଯେ ୧୯୯୬ ମସିହା ଅକ୍ଟୋବର ୧୨ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଦିବସକୁ ବିଶ୍ୱ ଗଣ୍ଠିବାତ ଦିବସ ରୂପେ ଘୋଷଣା କରିଥିଲା । ଏହି ରୋଗ ସମ୍ପର୍କରେ ସୂଚନା ଦେଇ ପ୍ରଫେସର ମହାପାତ୍ର କହିଥିଲେ ଯେ ଗଣ୍ଠିବାତ ସମସ୍ୟା ୩୦ ବର୍ଷ ପରେ ଯେ କୌଣସି ବ୍ୟକ୍ତିଙ୍କୁ ମଧ୍ୟ ଆକ୍ରାନ୍ତ କରିପାରେ । ତେଣୁ ଯୁବପିଢ଼ୀ ନିଜ ଜୀବନ ଶୈଳୀ ଓ ଖାଦ୍ୟ ଗ୍ରହଣ ପ୍ରକ୍ରିୟାରେ ପରିବର୍ତ୍ତନ ଆଣିବା ଉଚିତ୍ ବୋଲି ସେ କହିଥିଲେ ।

ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଏବଂ ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ବିଏସ୍‌କେୱାଇ ଯୋଜନାରେ ସମ୍ ହସ୍ପିଟାଲ୍‌ରେ ଲୋକମାନେ କିଭଳି ଉପକୃତ ହେଉଛନ୍ତି ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସେହିପରି ଆର୍ଥାଇଟିସ (ଗଣ୍ଠିବାତ) ରୋଗରୁ ସୁସ୍ଥ ହେବା ନିମନ୍ତେ ଠିକ୍ ସମୟରେ ଚିକିତ୍ସା କରାଇବା ଉପରେ ଉଭୟ ଗୁରୁତ୍ୱ ଆରୋପ କରିଥିଲେ ।
ଏହି କାର୍ଯ୍ୟକ୍ରମରେ କ୍ଲିନିକାଲ୍ ଇମ୍ୟୁନୋଲଜି ଆଣ୍ଡ ରୁମାଟୋଲଜି​ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ପ୍ରଦୀପ୍ତ ଶେଖର ପାତ୍ର ସ୍ୱାଗତ ଭାଷଣ ଦେବା ସହ ଆୟୋଜିତ “ଆର୍‌ଥାରାଇଟିସ୍ ଇଜ୍ ଟ୍ରିଟେବଲ୍‌, ଡୋନ୍‌ଟ୍ ଇଗ୍ନୋର ଇଟ୍‌” ଶୀର୍ଷକ ସିଏମ୍‌ଇରେ ଗଣ୍ଠିବାତ ରୋଗ ସମ୍ପର୍କରେ ତଥ୍ୟ ଉପସ୍ଥାପନା କରିଥିଲେ ।
ଗଣ୍ଠିବାତ ରୋଗ ଶରୀରର ବିଭିନ୍ନ ଅଂଗ ଏବଂ ରକ୍ତ କଣିକାକୁ ଆକ୍ରାନ୍ତ କରିଥାଏ । ତେଣୁ ଏ ନେଇ ଉପଯୁକ୍ତ ପରୀକ୍ଷଣ ଓ ଚିକିତ୍ସା କରିବା ଦ୍ୱାରା ହିଁ ଏହି ରୋଗକୁ ନିୟନ୍ତ୍ରଣକୁ ଅଣାଯାଇପାରିବ । ସବୁବର୍ଗର ଲୋକଙ୍କୁ ଏହି ରୋଗ ଆକ୍ରାନ୍ତ କରିବାର ସମ୍ଭାବନା ରହିଛି । ତେଣୁ ଏ ଦିଗରେ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ପ୍ରଫେସର ପାତ୍ର କହିଛନ୍ତି । କାର୍ଯ୍ୟକ୍ରମ ଶେଷରେ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ରଶ୍ମିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ସେହିପରି ବୁଧବାର ସକାଳେ ବିଶ୍ୱ ଗଣ୍ଠିବାତ ଦିବସକୁ ନେଇ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକରୁ ରାମ ମନ୍ଦିର ଛକ ଯାଏଁ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା । ଏହି ରାଲିରେ ବିଜ୍ଞାନ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ବିଧାୟକ ଦେବୀ ପ୍ରସାଦ ମିଶ୍ର ଯୋଗ ଦେଇ ଗଣ୍ଠିବାତ ରୋଗର ସଚେତନତା ସମ୍ପର୍କରେ ମତ ରଖିଥିଲେ ।

ଏହି ରାଲିରେ ସୋଆର ଚିଫ୍ ଭିଜିଲାନ୍ସ ଅଫିସର ଯୁଗଳ କିଶୋର ଦାସ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, କ୍ଲିନିକାଲ୍ ଇମ୍ୟୁନୋଲଜି ଆଣ୍ଡ ରୁମାଟୋଲଜି​ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ପ୍ରଦୀପ୍ତ ଶେଖର ପାତ୍ର ଏବଂ ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ ମିନତୀ ମିଶ୍ରଙ୍କ ସମେତ ଡାକ୍ତର, ନର୍ସ ଓ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ବିଶ୍ୱ ଗଣ୍ଠିବାତ ଦିବସ ଅବସରରେ ବାଲୁକା ଶିଳ୍ପୀ ଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ଏକ ସୁନ୍ଦର ବାଲୁକା ଶିଳ୍ପ ପୁରୀ ବେଳାଭୂମିରେ ପ୍ରସ୍ତୁତ କରାଯାଇଥିଲା ।

Leave A Reply

Your email address will not be published.