ବାତ୍ୟା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଆଇଏମ୍‌ଡି

0

ଭୁବନେଶ୍ୱର, ୧୨।୧୯: ‘ଓଡ଼ିଶାକୁ ମହାବାତ୍ୟା ମାଡ଼ି ଆସୁଛି, ଘଣ୍ଟାକୁ ୨୫୦ କିମି ବେଗରେ ପବନ ବୋହିବ।’ ଗତକାଲି ଆମେରିକାନ୍‌ ସଂସ୍ଥା GFS(Global Forecast System)  ଏପରି ପୂର୍ବାନୁମାନ କରିବା ପରେ ଆତଙ୍କିତ ହୋଇ ପଡ଼ିଥିଲେ ରାଜ୍ୟବାସୀ। ବଙ୍ଗୋପସାଗରରେ ଅକ୍ଟୋବର ୧୮ରୁ ୨୫ ତାରିଖ ମଧ୍ୟରେ ଏକ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଥିବା ଉକ୍ତ ସଂସ୍ଥା ଉଲ୍ଲେଖ କରିଥିଲା। ହେଲେ ଆଜି ଉକ୍ତ ସଂସ୍ଥା ତରଫରୁ ବାତ୍ୟା ସମ୍ପର୍କରେ କୌଣସି ସୂଚନା ପ୍ରସାରଣ କରାଯାଉନି। ତେଣୁ ବାତ୍ୟାକୁ ନେଇ କୌଣସି ଗୁଜବକୁ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଆଇଏମ୍‌ଡି କହିଛି, ବାତ୍ୟାର ୭ ଦିନ ପୂର୍ବରୁ ହେଉଥିବା ପୂର୍ବାନୁମାନ ସବୁଠୁ ଅଧିକ ବିଶ୍ୱାସଯୋଗ୍ୟ। ଆସନ୍ତା ୭ ଦିନ ମଧ୍ୟରେ ବଙ୍ଗୋପସାଗରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ନାହିଁ। ତେଣୁ ଓଡ଼ିଶା ପାଇଁ ବାତ୍ୟାର କୌଣସି ଭୟ ନାହିଁ।

ଗୋଟିଏ ମଡେଲକୁ ଆଧାର କରି ବାତ୍ୟାର ପୂର୍ବାନୁମାନ କରିବା ସମ୍ଭବପର ନୁହେଁ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ମଡେଲକୁ ପର୍ଯ୍ୟବେକ୍ଷଣ କରି ତାହାକୁ ଅନୁଶୀଳନ କରାଯାଏ। ଏଥିସହ ବୈଜ୍ଞାନିକ ଜ୍ଞାନକୌଶଳ, ମାନବ ସମ୍ବଳକୁ ବ୍ୟବହାର କରି କୌଣସି ସୂଚନା ଦିଆଯାଇଥାଏ। ତେଣୁ ଏହି ସଂସ୍ଥା ଅଧିକ ଭରସାଯୋଗ୍ୟ।

ଭାରତୀୟ ପାଣିପାଗ ବିଭାଗର ଆକଳନର ସଠିକତା ଆମେରିକା, ଅଷ୍ଟ୍ରେଲିଆ, ଜାପାନ ପରି ବିକଶିତ ଦେଶର ପୂର୍ବାନୁମାନ ତୁଳନାରେ ବେଶ୍‌ ଭଲ, ସଠିକ ଓ ଭରସାଯୋଗ୍ୟ। ତେଣୁ କୌଣସି ବ୍ୟକ୍ତିବିଶେଷ, ଅନୁଷ୍ଠାନ କିମ୍ବା ମଡେଲର ପୂର୍ବାନୁମାନକୁ ଭରସା କରନ୍ତୁ ନାହିଁ। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ ବିଶ୍ୱାସ କରନ୍ତୁ ବୋଲି କହିଛନ୍ତି IMD ଡିଜି।

ଏଥିସହ ସେ କହିଛନ୍ତି, ଉତ୍ତର ଆଣ୍ଡାମାନ ସାଗରରେ ଗତକାଲି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ତାହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଯାଇ ଧୀରେ ଧୀରେ ଦୁର୍ବଳ ହୋଇଯିବ। ଏହାପରେ ଆଉ ଏକ ଘୂର୍ଣ୍ଣିବଳୟ ଆସନ୍ତା ୧୭ କିମ୍ବା ୧୮ ତାରିଖରେ ଉତ୍ତର ଆଣ୍ଡାମାନ ସାଗର ନିକଟସ୍ଥ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ। ତାହା ମଧ୍ୟ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଅର୍ଥାତ ତାମିଲନାଡ଼ୁ, ଆନ୍ଧପ୍ରଦେଶର ଦକ୍ଷିଣ ଭାଗକୁ ଗତି କରିବାର ସମ୍ଭାବନା ରହିଛି। ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା  ଲାଗୁ ନ ଥିବା ବେଳେ ଓଡ଼ିଶା ଉପରେ  ମଦ୍ୟ ଏହାର କୌଣସି ପ୍ରଭାବ ପରିଲକ୍ଷିତ ହେବ ନାହିଁ।

Leave A Reply

Your email address will not be published.