ବ୍ରିଟେନ ଫେରନ୍ତାଙ୍କ ପାଇଁ ଏସ୍‌ଓପି ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ବର, ୨୨।୧୨: ବ୍ରିଟେନରେ କରୋନାର ଏବେ ନୂଆ ରୂପରେ ଦ୍ରୁତ ଗତିରେ ମାଡ଼ିବାରେ ଲାଗିଛି। ଏହାକୁ ନଜରରେ ରଖି ରାଜ୍ୟ ସରକାର ଆଜି ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଜିଓର(ଏସଓପି) ଜାରି କରିଛନ୍ତି। କେନ୍ଦ୍ର ସରକାର ଆଜି ଏସ୍‌ଓପି ଜାରି କରିବା ପରେ ରାଜ୍ୟ ସରକାର ଅନୁରୂପ ଏସଓପି ଜାରି କରି ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦର ଓ ଝାରସୁଗୁଡ଼ା ବିମାନ ବନ୍ଦର କର୍ତ୍ତୃପକ୍ଷ ସମେତ ବିଏମ୍‌ସି କମିସନର ଓ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନକୁ ମଧ୍ୟ ସର୍ତକତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଏସ୍‌ଓପି ଜାରି କରି କହିଛନ୍ତି ଯେ, ଗତ ୧୪ଦିନ ମଧ୍ୟରେ ବ୍ରିଟେନରୁ ଫେରିଥିବା ସମସ୍ତ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବେ ଫର୍ମ ପୂରଣ କରିବେ। ବ୍ରିଟେନ ଦେଇ ଅନ୍ୟ ସ୍ଥାନରୁ ଫେରିଥିବା ବ୍ୟକ୍ତିଙ୍କୁ ମଧ୍ୟ ଅନୁରୂପ ଭାବେ ଫର୍ମ ପୂରଣ କରିବାକୁ ପଡ଼ିବ। ବ୍ରିଟେନ ଫେରନ୍ତାଙ୍କୁ ୧୪ ଦିନିଆ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଜାରି ହୋଇଛି। ବ୍ରିଟେନ ଫେରନ୍ତାଙ୍କର ଟେଷ୍ଟ ପଜିଟିଭ ଆସିଲେ, ସେମାନେ ଇନଷ୍ଟିଚ୍ୟୁସନାଲ ଆଇସୋଲେସନରେ ରହିବେ। ଟେଷ୍ଟ୍‌ ନେଗେଟିଭ୍ ଆସିଲେ ୧୪ ଦିନିଆ ହୋମ୍ ଆଇସୋଲେସନରେ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶରେ ରାଜ୍ୟ ସରକାର ଆଜି ଏଭଳି ଏସଓପି ଜାରି କରିଥିବା ଜଣାପଡ଼ିଛି।

 

Comments are closed.