ପରୀ ଲେଗିନ୍ସ‌କୁ ଖୋଜିବାକୁ ହେଉଛି ପୋଖରୀ ଜଳ ନିଷ୍କାସନ

ପରୀକୁ ପ୍ରଥମେ ମାରି ପରେ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ

0

ଭୁବନେଶ୍ବର, ୨୨।୧୨: ପରୀକୁ ତଣ୍ଟି ଚିପି ହତ୍ୟା କରିବା ପରେ ଅଭିଯୁକ୍ତ ସରୋଜ ସେଠୀ ମୃତଦେହ ସହ ଦୁଷ୍କର୍ମ କରିଥିଲା। ଧରା ପଡ଼ିବା ଭୟରେ ପରୀର ମୃତଦେହ ସହ ତା’ର ଫ୍ରକ୍‌କୁ ଏକ ଅଖାରେ ପୁରାଇ ଘର ନିକଟସ୍ଥ ପୋଖରୀ‌ ପାଖରେ ପକାଇ ଦେଇଥିଲା। ଘଟଣାସ୍ଥଳରେ ପରୀର ଲେଗିନ୍ସ ରହିଯାଇଥିବରୁ, ଏହାକୁ ଗୁଡ଼ାଇ ସେ ନିକଟସ୍ଥ ପୋଖରୀରେ ଫୋପାଡ଼ି ଦେଇଥିଲା। ପୋଖରୀରୁ ‌ଉକ୍ତ ଲେଗିନ୍ସକୁ ବାହାର କରିବାକୁ ଏବେ ପରୀ ଗାଁ ଯଦୁପୁରର ପୋଖରୀର ଜଳ ନିଷ୍କାସନ କାର୍ଯ୍ୟ ଚାଲିଛି। ପରୀର ଲେଗିନ୍ସ ହିଁ ଅଭିଯୁକ୍ତ ବିରୁଦ୍ଧରେ ଏକ ଷ୍ଟଙ୍ଗ୍‌ ପ୍ରୁଫ୍‌ ହେବ। ଆଜି କଟକ କ୍ରାଇମ୍‌ ବ୍ରାଞ୍ଚ ସମ୍ମିଳନୀ କକ୍ଷରେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ସାମ୍ବଦିକ ସମ୍ମିଳନୀରେ ଏହି ସବୁ ସୂଚନା ଦେଇଛନ୍ତି। ଏଥିସହ ଘଟଣାର ସବିଶେଷ ବର୍ଣ୍ଣନା ବି କରିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଅରୁଣ ବୋଥ୍ରା କହିଛନ୍ତି, ସରୋଜ ସେଠୀ ହିଁ ହେଉଛି ମୁଖ୍ୟ ଅଭିଯୁକ୍ତ। ତେବେ ସେ ଏକା ହିଁ ଏଭଳି ଜଘନ୍ୟ କାଣ୍ଡ ଘଟାଇଛି କି ତା’ ସହ ଆଉ କିଏ ସାମିଲ ଥିଲା ସେ ନେଇ ତଦନ୍ତ ଚାଲିଛି। ଦୁଷ୍କର୍ମ ଭଳି ଅପରାଧ ନିର୍ଜନରେ ହେଉଥିବରୁ ଘଟଣାର ସାକ୍ଷୀ ଆମକୁ ଏଯାଏ ମିଳିନାହିଁ। ଅନ୍ୟପଟେ ସରୋଜ ସବୁ ବେଳେ ମୋବାଇଲ୍‌ରେ ଚାଇଲ୍ଡ ପ୍ରୋର୍ଣ୍ଣୋଗ୍ରାଫି(ଛୋଟ ଛୁଆଙ୍କ ଯୌନ ଭିଡିଓ) ଦେଖୁଥିବା ପ୍ରମାଣ ମିଳିଛି। ସରୋଜ ନିଜର ଫୋନ୍‌ ନଥିବା ବେଳେ ତା’ ଭଉଣୀର ଫୋନ୍‌ ନେଇ ରାତି ସାରା ସେ ସେହି ଭଳି ହିଁ ଭିଡିଓ ଦେଖୁଥିଲା। ଘଟଣା ଦିନ ପୂର୍ବ ରାତିରେ ବି ସରୋଜ ରାତି ସାରା ସେହି ଭିଡିଓ ଦେଖିଥିଲା। ପ୍ରତିଦିନ ଭଳି ଘଟଣା ଦିନ ବି ପରୀ ଜାମୁକୋଳି ଖାଇବାକୁ ସରୋଜ ଘରେ ପହଞ୍ଚିଥିଲା। ସେତେବେଳେ ସରୋଜର ମା’ ଓ ଭଉଣୀ ନିଜ ଚାକିରି ଯୋଗୁଁ ଘରେ ନଥିଲେ ଅଫିସ୍‌ ଯାଇଥିଲେ। ପରୀକୁ ଏକା ପାଇ ସରୋଜ ଘର ପଛ ପାଖକୁ ନେଇଯାଇଥିଲା। ପରୀ କାନ୍ଦିବାରୁ ପ୍ରଥମେ ତା’ ତଣ୍ଟି ଚିପ ମାରି ଦେଇଥିଲା ଓ ପରେ ମୃତ ଦେହ ସହ ଦୁଷ୍କର୍ମ କରିଥିଲା। ତେବେ ୨୨ ବର୍ଷର ପୁଲିସ ଜୀବନରେ ଏଭଳି ବିଭତ୍ସ କାଣ୍ଡ ଦେଖିନାହିଁ ବୋଲି ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏଥିସହ ସରୋଜକୁ ଏବେ ୩ ଦିନିଆରେ ରିମାଣ୍ଡରେ ନିଆଯାଉଛି। ରିମାଣ୍ଡ ସମୟରେ ଯାହା ନୂଆ ତଥ୍ୟ ଆସିବ ଆମେ ଅବଗତ କରାଇବୁ ବୋଲି ଶ୍ରୀ ବୋଥ୍ରା କହିଛନ୍ତି।

ତେବେ ପରୀ ମୃତ୍ୟୁ ଘଟଣାରେ ଅନ୍ୟ କାହାର ସଂପୃକ୍ତି ଅଛି କି ନାହିଁ ତାହାର ତଦନ୍ତ କରାଯାଉଛି। ଅନ୍ୟପଟେ ଅଧିକ ପ୍ରମାଣ ଯୋଗାଡ଼ ପାଇଁ ଯଦୁପୁର ଗାଁର ପୋଖରୀରୁ ପାଣି ନିଷ୍କାସନ ଜାରି ରହିଛି। ପୁଲିସ ଉପସ୍ଥିତିରେ ଅଗ୍ନିଶମ ବାହିନୀ ପକ୍ଷରୁ ଜଳ ନିଷ୍କାସନ କରାଯ‌ାଉଛି। ଯେଉଁ ପୋଖରୀ କୂଳରୁ ମୃତଦେହ ମିଳିଥିଲା ସେହି ପୋଖରୀ ଶୁଖାଯାଉଛି। ପମ୍ପ ଲଗାଇ କଢ଼ାଯାଉଛି ପୋଖରୀ ପାଣି।

 

Leave A Reply

Your email address will not be published.