ସୌମ୍ୟରଞ୍ଜନଙ୍କୁ ଦଳର ଉପସଭାପତି ପଦରୁ ହଟାଇଲେ ନବୀନ, ବିଜେଡି ଜାରି କଲା ନିର୍ଦ୍ଦେଶନାମା

ଭୁବନେଶ୍ବର, ୧୨/୯: ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଜୁ ଜନତା ଦଳ (ବିଜେଡି)। ତାଙ୍କୁ ଦଳର ଉପସଭାପତି ପଦରୁ ହଟାଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ। ନିକଟରେ ସେ ୫-ଟି ସଚିବଙ୍କ ହେଲିକପ୍ଟର ଗସ୍ତକୁ ସମାଲୋଚନା କରି ‘ସମ୍ବାଦ’ରେ ଲେଖିଥିବା ସଂପାଦକୀୟ ସ୍ତମ୍ଭ ‘ଆତ୍ମବିଭୋର ପ୍ରଶାସକ, ଅସହାୟ ରାଜନେତା’ ଚର୍ଚ୍ଚାର ପରିସର ଆସିଥିଲା। ସ୍ତମ୍ଭ ପ୍ରକାଶିତ ହେବାର ଦୁଇ ସପ୍ତାହ ପରେ ଏହାକୁ ନେଇ ବିଜୁ ଜନତା ଦଳର ବିଧାୟକ ଓ ମନ୍ତ୍ରୀ ସୌମ୍ୟରଂଜନଙ୍କୁ ଆକ୍ଷେପ କରି ବୟାନବାଜି ଆରମ୍ଭ କରିଥିଲେ। ପ୍ରଥମେ ବିଧାୟକ ଅରୁଣ ସାହୁ, ତା’ପରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ମନ୍ତ୍ରୀ ପ୍ରତାପ ଦେବ ତାଙ୍କୁ ସମାଲୋଚନା କରି ଦଳକୁ ‘ବ୍ଲାକମେଲ’ କରୁଥିବା ଅଭିଯୋଗ ଆଣିଥିଲେ। ଏହାପରେ ସୌମ୍ୟରଂଜନ ଏହାର କଡ଼ା ଜବାବ ଦେଇ ଦଳରେ ଚାଲିଥିବା ଅଫିସର ରାଜକୁ  ସମାଲୋଚନା କରିଥିଲେ। ଏହି ଘଟଣା ପରେ ବିଜୁ ଜନତା ଦଳ ପକ୍ଷରୁ ଆଜି ଏହି ପଦକ୍ଷେପ ନିଆଯାଇଛି।

ଏବେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଥିବା ନିର୍ଦ୍ଦେଶନାମା ବିଜେଡି ପକ୍ଷରୁ ଜାରି କରାଯିବା ସହିତ, ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଉପ-ସଭାପତି ପଦରୁ ହଟାଯାଇଥିବା ଉଲ୍ଲେଖ ଅଛି। କୌଣସି କାରଣ ନଦର୍ଶାଇ ସୌମ୍ୟଙ୍କୁ ପଦରୁ ଅପସାରିତ କରାଯାଇଛି। ଅନେକ ସମୟରେ ସେ ନିଜର ଅଲେଖ୍ୟ ଓ ବକ୍ତବ୍ୟ ପାଇଁ ଚର୍ଚ୍ଚାରେ ରହୁଥିଲେ। ଏପରିକି ଦଳ ଓ ଶାସନକୁ ନେଇ ସେ ପ୍ରଶ୍ନ ଉଠାଇବାକୁ ବି ପଛାଇ ନ ଥିଲେ।

Comments are closed.