ଆସନ୍ତା ସପ୍ତାହରୁ ବଜାରରେ ଉପଲବ୍ଧ ହେବ ସ୍ଫୁଟନିକ୍‌-ଭି ଟିକା

ନୂଆଦିଲ୍ଲୀ, ୧୩।୫: ଆସନ୍ତା ସପ୍ତାହରୁ ଭାରତୀୟ ବଜାରରେ ମିଳିବ ଋଷୀୟ କରୋନା ଟିକା ସ୍ଫୁଟନିକ-ଭି।  ଭାରତରେ ଏହି ଟିକା ପ୍ରଥମ ପର୍ଯ୍ୟାୟରେ ପହଞ୍ଚିସାରିଥିବା ବେଳେ ଆଗାମୀ ଦିନରେ ଅଧିକ ଟିକା ଅଣାଯିବ। ଆଉ ଆସନ୍ତା ସପ୍ତାହ ଆଡ଼କୁ ସ୍ଫୁଟନିକଭି ଟିକା ଭାରତୀୟ ବଜାରରେ ଉପଲ୍‌ବ୍ଧ ହେବ ବୋଲି ଗୁରୁବାର ସୂଚନା ଦେଇଛନ୍ତି ନୀତି ଆୟୋଗର ଡା. ଭି.କେ ପାଲ। କେବଳ ସେତିକି ନୁହେଁ ଜୁଲାଇ ବେଳକୁ ଏହି ଟିକା ଭରତରେ ଉତ୍ପାଦନ ହେବା ଆରମ୍ଭ ହେବ ବୋଲି ଶ୍ରୀ ପାଲ ସୂଚନା ଦେଇଛନ୍ତି।

ସ୍ଫୁଟନିକଭି ଟିକା ପାଇଁ ଭାରତର ଡା. ରେଡ୍ଡୀ ଲାବରୋଟୋରି ସହିତ ଚୁକ୍ତି ହୋଇଛି। ଦେଶରେ ଏହି ଟିକାର ୧୫.୬ କୋଟି ଡୋଜ୍‌ ଉତ୍ପାଦନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏନେଇ ଶ୍ରୀ ପାଲ କହିଛନ୍ତି, ‘ଆଗାମୀ ୫ ମାସ ଭିତରେ ୨ ବିଲିୟନ ଡୋଜ୍‌ ଉତ୍ପାଦନ ହେବା ସହିତ ଏହିସବୁ ଟିକା ଭାରତରେ ଉତ୍ପାଦନ ହେବ।

କରୋନା ଚିକିତ୍ସା ପାଇଁ ଋଷର ସ୍ଫୁଟନିକଭି ଟିକାକୁ ଚଳିତ ବର୍ଷ ଏପ୍ରିଲ ୧୨ ତାରିଖରେ ଅନୁମତି ଦେଇଥିଲା ଭାରତୀୟ ଔଷଧ ନିୟନ୍ତ୍ରକ ବିଭାଗ। ପ୍ରକାଶଯୋଗ୍ୟ, ବିଶ୍ୱର ପ୍ରଥମ କରୋନା ଟିକା ଭାବେ ସ୍ଫୁଟନିକ୍‌-ଭି ଟିକାର ଉଦ୍ଭାବନ କରିଥିଲା ଋଷିଆ। ଏହି ଟିକା କରୋନା ବିରୋଧରେ ୯୧.୬ ପ୍ରତିଶତ ପ୍ରଭାବଶାଳୀ ବୋଲି ଜଣାପଡ଼ିଛି।

Comments are closed.