୧୫ରୁ ରାଜ୍ୟବ୍ୟାପୀ ଆରମ୍ଭ ହେବ ମାଗଣା ବୁଷ୍ଟର ଡୋଜ୍‌

0

ଭୁବନେଶ୍ବର, ୧୪।୭: ରାଜ୍ୟରେ କରୋନା ସଂକ୍ରମଣ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଆସନ୍ତା ୧୫ ତାରିଖରୁ ରାଜ୍ୟବ୍ୟାପୀ ୧୮-୫୯ବର୍ଷ ବୟସ୍କ ଲୋକଙ୍କୁ ମାଗଣା ବୁଷ୍ଟର ଡୋଜ୍ ପ୍ରଦାନ ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏବେ ରାଜ୍ୟରେ ମୋଟ ୪୨୬୨ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ଓ ସେମାନଙ୍କ ମଧ୍ୟରୁ ମାତ୍ର ୩୯ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟର କୋଭିଡ୍ ପରିସ୍ଥିତି ପ୍ରସଙ୍ଗରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସମୀକ୍ଷା ବୈଠକରୁ ଜଣାପଡ଼ିଛି ଯେ, ଏବେ ସୁଦ୍ଧା ରାଜ୍ୟରେ କୋଭିଡ୍ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛି। ତେବେ ସହରାଂଚଳମାନଙ୍କରେ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ଟିକାକରଣ, ସଚେତନତା ଏବଂ ସଠିକ୍ ସୂଚନା ପ୍ରସାରଣ ଉପରେ ମୁଖ୍ୟ ଗୁରୁତ୍ୱ ଦେବାକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଜିଲ୍ଲାୱାରୀ ସ୍ଥିତିର ସମୀକ୍ଷା କରି ମୁଖ୍ୟ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଆସନ୍ତାକାଲି ୧୫ ତାରିଖରୁ ୧୮-୫୯ ବର୍ଷ ଲୋକଙ୍କ ପାଇଁ ଟିକାକରଣ ଅଭିଯାନ ଆରମ୍ଭ କରିବା, ଦୈନିକ କୋଭିଡ଼୍ ପରୀକ୍ଷା ସଂଖ୍ୟା ବଢ଼ାଇବା, କଲ୍ ସେଂଟରକୁ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ କରାଇବା ଏବଂ ଟୀକାଦାନ କେନ୍ଦ୍ର ଆଦି ସମ୍ପର୍କରେ ଜନସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ଇଞ୍ଜିନୟରିଂ କଲେଜ, ଛାତ୍ରାବାସ, ଉଚ୍ଚଶିକ୍ଷାନୁଷ୍ଠାନ ଆଦିରେ ଛାତ୍ରଛାତ୍ରୀମାନଙ୍କର ଟିକାକରଣ ସହ ସହରାଂଚଳମାନଙ୍କରେ ୧୮ ରୁ ୫୯ ବର୍ଷ ଲୋକଙ୍କ ପାଇଁ ବ୍ୟାପକ ଟିକାକରଣ ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସହରାଂଚଳରେ ପ୍ରତି ୱାର୍ଡ଼ ଏବଂ ଗ୍ରାମାଂଚଳରେ ଗ୍ରାମ ଓ ପଂଚାୟତୱାରି ଟିକାକରଣକୁ ତ୍ୱରାନ୍ୱିତ କରାଯିବ। ଏହି କାର୍ଯ୍ୟରେ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି କର୍ମୀ, ଜନ ପ୍ରତିନିଧି, ସେଚ୍ଛାସେବୀ ଅନୁଷ୍ଠାନ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୀମକ୍ଷାବେଳେ ଜଣାପଡ଼ିଛି ଯେ, ଏବେ ରାଜ୍ୟରେ ମୋଟ ୪୨୬୨ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ସେମାନଙ୍କ ମଧ୍ୟରେ ୧୮ବର୍ଷରୁ କମ୍ ୭୧ଜଣ ପିଲା ରହିଛନ୍ତି । ମୋଟ୍ ସଂକ୍ରମିତଙ୍କ ମଧ୍ୟରେ ମାତ୍ର ୩୯ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପ୍ରତ୍ୟେକ ମେଡ଼ିକାଲ କଲେଜ ଏବଂ ଜିଲ୍ଲା ଚିକିତ୍ସାଳୟରେ ସ୍ୱତନ୍ତ୍ର କୋଭିଡ଼୍ ୱାର୍ଡ ବ୍ୟବସ୍ଥା କରାଯାଇଛି। ଆବଶ୍ୟକତା ଅନୁସାରେ ହସ୍ପିଟାଲ୍ ଏବଂ ବେଡ୍ ସଂଖ୍ୟା ବଢ଼ାଇବା ପାଇଁ ପ୍ରତି ଜିଲ୍ଲା ପ୍ରସ୍ତୁତ ଅଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସେହିପରି ରାଜ୍ୟରେ କୋଭିଡ୍ ଗାଇଡଲାଇନ୍ ପାଳନ ଯଥା ମାସ୍କ ପରିଧାନ, ସାମାଜିକ ଦୂରତ୍ୱ, ଭିଡ଼ ମଧ୍ୟକୁ ନଯିବା, ଅଯଥା ଗହଳି ସୃଷ୍ଟି ନକରିବା ଆଦି ବିଷୟରେ ବ୍ୟାପକ ସଚେତନତା କରିବା ସମେତ ଟିକାକରଣ କେନ୍ଦ୍ରର ଅବସ୍ଥିତି ଓ ସମୟ, କଲସେଂଟର ଓ ସହାୟତା କେନ୍ଦ୍ରର ନମ୍ବର ଏବଂ କୋଭିଡ଼୍ ଚିକିତ୍ସା ସୁବିଧା ବିଷୟରେ ଲୋକମାନଙ୍କୁ ସଠିକ୍ ସୂଚନା ପ୍ରଦାନ ପାଇଁ ମଧ୍ୟ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ଆଜିର ସମୀକ୍ଷା ବୈଠକରେ ଉନ୍ନୟନ କମିଶନର ପ୍ରଦୀପ ଜେନା, ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ, ଗୃହ ସଚିବ ସଞ୍ଜିବ ଚୋପ୍ରାଙ୍କ ସମେତ ବିଭିନ୍ନ ବିଭାଗର ସଚିବ, ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହୋଇଥିଲେ।

Leave A Reply

Your email address will not be published.