ଜେଲ ଗଲେ ରୋଜଭ୍ୟାଲି ଚିଟ୍‌ଫଣ୍ଡ ସଂସ୍ଥାର ନିର୍ଦ୍ଦେଶିକା ଶୁଭ୍ରା କୁଣ୍ଡୁ

0

ଭୁବନେଶ୍ବର, ୨୨।୧: ଜେଲ ଗଲେ ରୋଜଭ୍ୟାଲି ଚିଟ୍‌ଫଣ୍ଡ ସଂସ୍ଥାର ନିର୍ଦ୍ଦେଶିକା ଶୁଭ୍ରା କୁଣ୍ଡୁ। ୫ ଦିନର ରିମାଣ୍ଡ ସରିବା ପରେ ତାଙ୍କୁ ଆଜି ଭୁବନେଶ୍ୱର ଆଣାଯାଇ ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ପରେ ତାଙ୍କୁ ଚିଟ୍‌ଫଣ୍ଡ ଠକେଇ ମାମଲାରେ ଜେଲ୍ ଯିବାକୁ ପଡ଼ିଛି। ତାଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଛି।

ଗତ ୫ ଦିନ ଭିତରେ ସିବିଆଇ ଶୁଭ୍ରାଙ୍କଠୁ ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ସଂପର୍କିତ ବହୁ ତଥ୍ୟ ସଂଗ୍ରହ କରିଥିବା ଜଣାପଡିଛି। ରୋଜଭ୍ୟାଲି ଗ୍ରୁପ୍‌ରେ କେଉଁ ସବୁ କମ୍ପାନିର ସେ ନିର୍ଦ୍ଦେଶକ ଥିଲେ? ଚିଟଫଣ୍ଡ ଟଙ୍କା ବାଟମାରଣାରେ କେମିତି ସଂପୃକ୍ତି ଥିଲେ? ଏମିତି ଅନେକ ପ୍ରଶ୍ନ ଗୋଡ଼ାଇତୋଡାଇ ଶୁଭ୍ରାଙ୍କୁ ସିବିଆଇ ପଚାରିଥିବା ଜଣାପଡ଼ିଛି।

୧୨ ହଜାର କୋଟିରୁ ଅଧିକ ଟଙ୍କାର ଠକେଇର ତଦନ୍ତ ଜାରି ରହିଥିବା ବେଳେ ସିବିଆଇ ଓ ଇଡି ପାଇଁ ଶୁଭ୍ରା ଓ୍ୱାଣ୍ଟେଡ ଥିଲେ। ଆଗକୁ ଶୁଭ୍ରାଙ୍କ ଲିଙ୍କରେ ସିବିଆଇ କବଜାରେ କିଏ ଆସୁଛି, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ରୋଜଭ୍ୟାଲି ଚିଟ୍‌ଫଣ୍ଡ ସଂସ୍ଥା ଓଡ଼ିଶା, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ଶାଖା ଖୋଲି ଲୋଭୟନୀୟ ଅଫର ଦେଖାଇ କୋଟି କୋଟି ଟଙ୍କା ହଡପ୍‌ କରିଥିଲା। ଏହି ମାମଲାରେ ପୂର୍ବରୁ ସିବିଆଇ ରୋଜଭ୍ୟାଲି ଚିଟ୍‌ଫଣ୍ଡ ସଂସ୍ଥା ନିର୍ଦ୍ଦେଶକ ଗୌତମ କୁଣ୍ଡୁଙ୍କୁ ଗିରଫ କରିଥିଲା। ଏବେ ସେ ଜେଲରେ ଅଛନ୍ତି। ଗୌତମଙ୍କ ପରେ ତାଙ୍କ ପତ୍ନୀ ଶୁଭ୍ରାଙ୍କୁ ଗତ ୧୫ ତାରିଖରେ ସିବିଆଇ ଗିରଫ କରିଥିଲା। ଏପରିକି ତାଙ୍କ ଘରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା। ଓଡ଼ିଶାରେ ରୋଜଭ୍ୟାଲି ଚିଟ୍‌ଫଣ୍ଡ ସଂସ୍ଥା ବହୁ ଲୋକଙ୍କୁ ଠକିଥିବାରୁ ସିବିଆଇ ଶୁଭ୍ରାଙ୍କୁ ରିମାଣ୍ଡରେ ଆଣି ଜେରା କରିଥିଲା।

 

Leave A Reply

Your email address will not be published.