ସମ୍‌ ହସ୍ପିଟାଲରେ ଜଟିଳ କର୍କଟ ରୋଗର ସଫଳ ଅସ୍ତ୍ରୋପଚାର, ୧୧ ବର୍ଷରେ ୫ ଥର କଢ଼ାଯାଇଛି ଟ୍ୟୁମର

ଭୁବନେଶ୍ୱର, ୬।୭: ଜଟିଳ କ୍ୟାନ୍‌ସର ରୋଗ “ରିଟ୍ରୋପେରିଟୋନିଆଲ୍‌ ଲିପୋସାର୍କୋମା’ରେ ପୀଡ଼ିତ ଥିଲେ ବୌଦ୍ଧ ଜିଲ୍ଲାର ଜଣେ ୩୮ ବର୍ଷୀୟ ମହିଳା । ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ରେ ସଫଳ ଅସ୍ତ୍ରୋପଚାର କରାଯାଇଛି । ୫ମ ଥର ପାଇଁ ସମ୍‌ରେ ତାଙ୍କର ଏହି ଅସ୍ତ୍ରୋପଚାର କରାଯାଇଛି । ରିଟ୍ରୋପେରିଟୋନିଆଲ୍‌ ଲିପୋସାର୍କୋମା ଏପରି ଏକ ସମସ୍ୟା ଯାହା ବାରମ୍ବାର ହୋଇଥାଏ । କେମୋ କିମ୍ବା ରେଡିଏସନ୍‌ ଥେରାପି ଦ୍ୱାରା ଏହାର ଚିକିତ୍ସା କରାଯାଇ ପାରିନଥାଏ । କେବଳ ଅସ୍ତ୍ରୋପଚାର ଦ୍ୱାରା ହିଁ ଏହି ରୋଗର ଚିକିତ୍ସା କରାଯାଏ । ୨୦୧୨ ଠାରୁ କିଛି ବର୍ଷର ବ୍ୟବଧାନରେ ଏହି ରୋଗୀଙ୍କର ସମ୍‌ ହସ୍ପିଟାଲ୍‌ରେ ୫ ଥର ଅସ୍ତ୍ରୋପଚାର କରାଯାଇଥିବା ହସ୍ପିଟାଲ୍‌ର ସର୍ଜରୀ ବିଭାଗର ପ୍ରଫେସର ଡା. ପ୍ରକାଶ କୁମାର ସାହୁ କହିଛନ୍ତି । ସଂପୃକ୍ତ ମହିଳା ପ୍ରଥମେ ୨୦୧୨ ଅଗଷ୍ଟ ମାସରେ ପେଟ ଫୁଲା ଓ ଯନ୍ତ୍ରଣା ସମସ୍ୟା ନେଇ ସମ୍‌ ହସ୍ପିଟାଲ୍‌କୁ ଆସିଥିଲେ । ସିଟି ସ୍କାନ୍‌ ପରେ ତାଙ୍କ ପେଟରେ ଏକ ବଡ଼ ଟ୍ୟୁମର ଥିବା ଜଣାପଡ଼ିଥିଲା । ଅସ୍ତ୍ରୋପଚାର ମାଧ୍ୟମରେ ପେଟରୁ ୧୫ କେଜିର ଟ୍ୟୁମରକୁ ବାହାର କରାଯାଇଥିଲା । ହେଲେ ବାୟୋପ୍ସି ରିପୋର୍ଟରେ ଏହା ରିଟ୍ରୋପେରିଟୋନିଆଲ୍‌ ଲିପୋସାର୍କୋମା ଜନିତ କ୍ୟାନ୍‌ସର ବୋଲି ଜଣାପଡ଼ିଥିଲା ।

ପୁଣି ୪ ବର୍ଷ ପରେ ୨୦୧୬ରେ ମହିଳା ଜଣକ ସମାନ ସମସ୍ୟା ନେଇ ହସ୍ପିଟାଲ୍‌ ଆସିଥିଲେ । ତାଙ୍କ ପେଟରୁ ପୁଣି ୧୦.୫ କେଜିର ଟ୍ୟୁମର ବାହାର କରାଯାଇଥିଲା । ୨୦୨୦ରେ ତୃତୀୟ ଥର ପାଇଁ ଚିକିତ୍ସା ନିମନ୍ତେ ସେ ହସ୍ପିଟାଲ ଆସିଥିଲେ । ସାଢ଼େ ୭ କେଜିର ଟ୍ୟୁମର ବାହାର କରାଯାଇଥିଲା । ସେ ପୁଣି ଥରେ ୨୦୨୨ରେ ଆସିଥିଲେ ଏବଂ ୫ କେଜିର ଟ୍ୟୁମର ଅସ୍ତ୍ରୋପଚାର ମାଧ୍ୟମରେ ବାହାର କରାଯାଇଥିବା ସର୍ଜିକାଲ୍‌ ଟିମ୍‌ର ନେତୃତ୍ୱ ନେଇଥିବା ପ୍ରଫେସର ସାହୁ କହିଛନ୍ତି । ଗତ ମାସରେ ଠିକ୍‌ ଏକ ବର୍ଷ ପରେ ସେ ପୁଣି ଥରେ ହସ୍ପିଟାଲ୍‌ ଆସିଥିଲେ । ଅସ୍ତ୍ରୋପଚାର ବେଳେ ଚଳିତ ଥର ଛୋଟ ଛୋଟ ଆକାରର ଅନେକଗୁଡ଼ିଏ ଟ୍ୟୁମର ପେଟରେ ସୃଷ୍ଟି ହୋଇ ବିକ୍ଷିପ୍ତ ଭାବରେ ଥିଲା । ସେଗୁଡ଼ିକୁ ଅସ୍ତ୍ରୋପଚାର ଦ୍ୱାରା କଢ଼ାଯିବା ସହ ରୋଗୀଙ୍କୁ ୩ଦିନ ଆଇସିୟୁରେ ରଖାଯାଇଥିଲା । ଖୁବ୍‌ ଶୀଘ୍ର ସେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବେ ବୋଲି ଡାକ୍ତର ସାହୁ କହିଛନ୍ତି । ଡାକ୍ତର ସାହୁଙ୍କ ବ୍ୟତୀତ ଡାକ୍ତର ସୁମନ୍‌ ସୌରଭ ରାଉତ, ଡାକ୍ତର ସାଗର ନାୟକ ଓ ଡାକ୍ତର ଶ୍ଲୋକ ଜୟସ୍ୱାଲ୍‌ ଏହି ସର୍ଜିକାଲ୍‌ ଟିମ୍‌ରେ ସାମିଲ ଥିଲେ ।

ସେହିପରି ଆନେସ୍‌ଥେସିଆ ଟିମ୍‌ରେ ପ୍ରଫେସର ଡାକ୍ତର ଶାଶ୍ୱତ ପଟ୍ଟନାୟକ, ପ୍ରଫେସର ସୋମ୍ୟ ସାମଲ ଓ ଡାକ୍ତର ଶିବାଶିଷ ଦାସ ସହଯୋଗ କରିଥିବା ବେଳେ ସଂଗ୍ରାମ ବେହେରା, ସାଗରିକା ଜେନା ଓ ମାନସୀ ଓଝା ଓଟି ଷ୍ଟାଫ୍‌ ଟିମ୍‌ରେ ସାମିଲ ଥିଲେ । ଏହାଛଡ଼ା ରେଡିଓଲୋଜି ବିଭାଗର ପ୍ରଫେସର ଡା. ସତ୍ୟ ମହାପାତ୍ର ସିଟି ସ୍କାନ୍‌ ରିପୋର୍ଟରୁ ନିର୍ଭୁଲ ଭାବେ ରୋଗୀଙ୍କ ସମସ୍ୟାର ନିର୍ଦ୍ଧାରଣ କରିଥିବାରୁ ଅସ୍ତ୍ରୋପଚାର ସଫଳ ହୋଇପାରିଥିଲା । ପାଥୋଲୋଜି ବିଭାଗର ପ୍ରଫେସର ଡା.ଦେବାହୁତି ମହାପାତ୍ର ଏହା ରିଟ୍ରୋପେରିଟୋନିଆଲ୍‌ ଲିପୋସାର୍କୋମା ବୋଲି ଜଣାଇଥିଲେ । ପ୍ରଫେସର ଡା. ସାହୁ ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲର ଡିନ୍‌ ପ୍ରଫେସର ଡା. ସଂଘମିତ୍ରା ମିଶ୍ର ଓ ମେଡିକାଲ୍‌ ସୁପରିଟେଣ୍ଡେଣ୍ଟ ପ୍ରଫେସର ଡା. ପୁଷ୍ପରାଜ ସାମନ୍ତସିଂହାରଙ୍କୁ ସହଯୋଗ କରିଥିଲେ ।

Comments are closed.