ଜୁଲାଇ ୨୬ରୁ ଖୋଲିବ ସ୍କୁଲ, ଆରମ୍ଭ ହେବ ଦଶମ ଓ ଦ୍ବାଦଶ ଅଫ୍‌ଲାଇନ୍‌ ପାଠପଢ଼ା

0

ଭୁବନେଶ୍ୱର, ୧୭।୭: ଆସନ୍ତା ଜୁଲାଇ ୨୬ ତାରିଖରୁ ରାଜ୍ୟରେ ଖୋଲିବ ଦଶମ ଓ ଦ୍ବାଦଶ କ୍ଲାସ୍‌ରୁମ୍‌ ପାଠପଢ଼ା। ଗତ ଜୁନ୍ ମାସ ୨୧ ତାରିଖ ଠାରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୟୁଟ୍ୟୁବ୍‌ରେ କ୍ଲାସ ଚାଲିଥିବା ବେଳେ ଆସନ୍ତା ୨୬ ତାରିଖଠାରୁ ସ୍କୁଲରେ ଅଫ୍‌ଲାଇନ୍‌ରେ ପାଠପଢ଼ା ଯିବ। ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କର ଅଫ୍‌ଲାଇନ୍ ପାଠପଢ଼ା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଅନ୍‌ଲାଇନ୍ ମାଧ୍ୟମରେ ରାଜ୍ୟର କିଛି ସ୍ଥାନରେ ପାଠପଢ଼ା ଅସୁବିଧା ହେଉଥିବାରୁ ସରକାର ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଖୋଲିବ। ଗଣଶିକ୍ଷା ସଚିବ କହିଛନ୍ତି, ସ୍କୁଲକୁ ଆସିବା ପିଲାମାନଙ୍କର ଇଚ୍ଛାଧୀନ ରହିବ। କାରଣ ୟୁଟ୍ୟୁବ୍‌ରେ କ୍ଲାସ ଜାରି ରହିବ । ଯେଉଁମାନେ ସ୍କୁଲ ଆସିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି, ସେମାନେ ଅନ୍‌ଲାଇନ୍‌ରେ କ୍ଲାସ କରିବେ। ଅନ୍ୟପଟେ ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କ ଉପରେ ରହିବ। କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସ୍କୁଲ ଖୋଲିବା ବା ବନ୍ଦ କରିବା ନିଷ୍ପତ୍ତି ନେବେ। ସ୍କୁଲଗୁଡ଼ିକ ସକାଳ ୧୦ଟାରୁ ଅପରାହ୍ନ ୧ଟା ୩୦ ଯାଏ ଖୋଲିବ। ଖେଳ ଛୁଟି ହେବନି । ପିଲାମାନେ ଛୁଟିରେ ଯିବା ପରେ ଘରେ ମଧ୍ୟାହ୍ନ ଭୋଜନ କରିବେ। ରବିବାର ଓ ସମସ୍ତ ସରକାରୀ ଛୁଟି ଦିନରେ ବିଦ୍ୟାଳୟ ବନ୍ଦ ରହିବ । ବିଦ୍ୟାଳୟରେ କୋଭିଡ କଟକଣାକୁ ବାଧ୍ୟତାମୂଳକ ଭାବେ ପାଳନ କରାଯିବ। ସେହିପରି ସ୍କୁଲ ଖୋଳିବା ପୂର୍ବରୁ ଏହାକୁ ସାନିଟାଇଜ କରାଯିବ।

ଗଣଶିକ୍ଷା ସଚିବ ଶ୍ରୀ ସାହୁ କହିଛନ୍ତି, ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ପ୍ରାଥମିକତା ଭିତ୍ତିରେ କରୋନା ଟିକା ଦିଆଯିବ। ଯେଉଁ ସ୍କୁଲରେ ମାଟ୍ରିକ୍ ଅଫ୍‌ଲାଇନ୍‌ରେ ପରୀକ୍ଷା ହେଉଛି, ସେଠାରେ ପରେ ଖୋଲିବ। କାରଣ ସରକାରଙ୍କ ଦ୍ୱାରା ବିଗତ ଦିନରେ ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେବେ।

ଗଣଶିକ୍ଷା ସଚିବ କହିଛନ୍ତି, ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିପାରେ। ସେ କହିଛନ୍ତି ଯେ, ଦଶମ ଓ ଦ୍ୱାଦଶ ଶ୍ରେଣୀ ପରେ ନବମ ପାଇଁ ଆମେ ଧ୍ୟାନ ଦେବୁ । ଯଦି ପରିସ୍ଥିତି ଠିକ୍‌ଠାକ ରହେ, ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ । ସେହିପରି ରାଜ୍ୟ ସରକାର ସେପ୍ଟେମ୍ବର ୧୫ରୁ ଏକାଦଶ ଶ୍ରେଣୀ ପାଠପଢ଼ା ପାଇଁ ଯୋଜନା କରୁଛନ୍ତି ।

Leave A Reply

Your email address will not be published.