ଫାସଟ୍ୟାଗ୍ ଜରିଆରେ ଦୈନିକ ଟୋଲ୍ ଆଦାୟ ୧୦୦ କୋଟି ପାର୍

0

ଭୁବନେଶ୍ବର, ୨୮।୨: ଫେବୃଆରୀ ୧୫ ତାରିଖ ବିଳମ୍ବିତ ରାତିରୁ ଜାତୀୟ ରାଜପଥରେ ଯାତାୟତ କରୁଥିବା ସମସ୍ତ ଯାନବାହନ ଉପରେ ଫାସଟ୍ୟାଗକୁ ବାଧ୍ୟତାମୂଳକ କରାଯାଇଛି। ଏହି ଫାସଟ୍ୟାଗରୁ ଆଦାୟ ହୋଇଥିବା ଟଙ୍କା ସବୁ ରେକର୍ଡ ଭାଙ୍ଗି ଦେଇଛି। ଜାତୀୟ ରାଜପଥ କର୍ତୃପକ୍ଷ(ଏନ୍‌ଏଚ୍‌ଏଆଇ)ର ରିପୋର୍ଟ ମୁତାବକ, ଫାସଟ୍ୟାଗ୍ ଜରିଆରେ ଦୈନିକ ଟୋଲ୍ ଆଦାୟ ପାଖାପାଖି ୧୦୪ କୋଟି ଟଙ୍କାର ରେକର୍ଡ ସ୍ତରରେ ପହଞ୍ଚିଛି।

ଏନ୍‌ଏଚ୍‌ଏଆଇ ପକ୍ଷରୁ କୁହାଯାଇଛି, ଚଳିତ ସପ୍ତାହରେ ଟୋଲ୍ ଆଦାୟ ଦୈନିକ ୧୦୦ କୋଟି ଟଙ୍କାରୁ ଅଧିକ ରହିଛି। ଗତ ଫେବୃଆରି ୨୫ ତାରିଖରେ ଫାସଟ୍ୟାଗ୍ ଜରିଆରେ ଦୈନିକ ୬୪.୫ ଲକ୍ଷ ଟୋଲ୍ ସଂଗ୍ରହ କାରବାର ସହ ରେକର୍ଡ ୧୦୩.୯୪ କୋଟି ଟଙ୍କାର ଆଦାୟ ହୋଇଛି।

ଅନ୍ୟପକ୍ଷରେ ଶୁକ୍ରବାର ଫାସଟ୍ୟାଗକୁ ବାଧ୍ୟତାମୂଳକ କରିବା ବିରୋଧରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିବା ଏକ ଆବେଦନ ଉପରେ ସୁପ୍ରିମ୍ କୋର୍ଟ ଶୁଣାଣି କରିବାକୁ ମନା କରିଦେଇଛନ୍ତି। ମୁଖ୍ୟ ବିଚାରପତି ଏସ. ଏ ବୋବଡେ, ବିଚାରପତି ବୋପାତ୍ରା ଓ ଜଷ୍ଟିସ୍ ବି. ରାମସୁବ୍ରମଣ୍ୟମଙ୍କ ତିନିଜଣିଆ ଖଣ୍ଡପୀଠ ଆବେଦନକାରୀଙ୍କୁ ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ ଯିବାକୁ କହିଛନ୍ତି। ଏହାସହ ସୁପ୍ରିମ୍ କୋର୍ଟ ଆବେଦନକାରୀଙ୍କୁ ଆବେଦନ ପ୍ରତ୍ୟାହାର କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୧୫ ତାରିଖ ମଧ୍ୟରାତ୍ରୀରୁ ସମସ୍ତ ଟୋଲଗେଟ୍‌ରେ ଲାଗୁ ହୋଇଛି ଫାସଟ୍ୟାଗର ନୂଆ ନିୟମ। କେନ୍ଦ୍ର ପରିବହନ ମନ୍ତ୍ରାଳୟ ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଚଳିତ ବର୍ଷ ଆରମ୍ଭରୁ ଚାରି ଚକିଆ ସମେତ ଭାରିଯାନ ଗୁଡ଼ିକ ପାଇଁ ଫାସ୍‌ଟ୍ୟାଗ୍ ନିୟମ ଲାଗୁ କରିବାକୁ ଯୋଜନା କରିଥିଲେ କେନ୍ଦ୍ର ସରକାର। ପରବର୍ତ୍ତୀ ସମୟରେ ଏହାର ଅବଧି ବଢ଼ାଇଦେଇଥିଲେ। ଏହାପୂର୍ବରୁ ପଞ୍ଜୀକରଣ ସମୟ ସୀମାକୁ ଏକାଧିକ ଥର ବୃଦ୍ଧି କରାଯାଇଥିଲା। ଗାଡ଼ିରେ ଫାସଟ୍ୟାଗ୍ ଲଗାଇଥିଲେ ଏବଂ ସକ୍ରିୟ ଥିଲେ ଅଧିକ ଟଙ୍କା ଗଣିବାକୁ ପଡ଼ିବନି କି ଟୋଲ୍ ଗେଟ୍ ଗୁଡ଼ିକରେ ଲମ୍ବା ଲାଇନ୍‌ରେ ରହିବାକୁ ପଡ଼ିବନି।

 

Leave A Reply

Your email address will not be published.