ମଙ୍ଗଳବାର ଭାରତ ବନ୍ଦ

ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ବିବାହ ସ‌େମତ ଜରୁରୀକାଳୀନ ସେବା ବନ୍ଦରୁ ବାଦ୍

0

ଭୁବନେଶ୍ବର,୭/୧୨ : କେନ୍ଦ୍ର ସରକାରଙ୍କ ତିନିଟି କୃଷି ଆଇନ ରଦ୍ଦ କରିବା ଦାବିରେ ମଙ୍ଗଳବାର ଦିନ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ମଙ୍ଗଳବାର ଦିନ ଭାରତ ବନ୍ଦ ଡାକରା ଦିଆଯାଇଛି। କଂଗ୍ରେସ, ସିପିଆଇ ସମେତ ଦେଶର ୧୮ଟି ରାଜ‌େନୖତିକ ଦଳ ସମର୍ଥନ ଦେଇଛନ୍ତି। ଅପରାହ୍ନ ୩ଟା ଯାଏ ଚକା ଜାମ୍ ଆହ୍ବାନ ଦିଆଯାଇଥିବାରୁ ସାଧାରଣ ପରିବହନ ବ୍ୟବସ୍ଥା ଠପ୍ ହେବା‌ର ଆଶଙ୍କା ରହିଛି। ଆସନ୍ତାକାଲି ସମସ୍ତ ସରକାରୀ କାର୍ଯ୍ୟାଳୟକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। କିନ୍ତୁ ବିଜେଡି ବନ୍ଦକୁ ସିଧାସଳଖ ସମର୍ଥନ କରି ନାହିଁ।
କଂଗ୍ରେସ ଓ ବାମପନ୍ଥୀ ଦଳଗୁଡ଼ିକ ଭାରତ ବନ୍ଦକୁ ସମର୍ଥନ କରି ରାସ୍ତାକୁ ଓହ୍ଲାଇବେ ବୋଲି ଘୋଷଣା କରିଛନ୍ତି। ସେମାନେ କୃଷକ ସଂଗଠନଗୁଡ଼ିକ ସହ ମିଳିତ ଭାବେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିବେ। ସେମାନେ ବିଭିନ୍ନ ସ୍ଥାନରେ ଟ୍ରେନ୍‌, ବସ୍‌ ଚଳାଚଳ ବନ୍ଦ କରିବାକୁ ଯୋଜନା କରିଛନ୍ତି। ରାଜ୍ୟର ପ୍ରମୁଖ ସହରଗୁଡ଼ିକ‌େର ‌େଦାକାନ, ବଜାର ଆପାତତଃ ବନ୍ଦ ରହିବ। କିଛି ବ୍ୟାଙ୍କ କର୍ମଚାରୀ ସଂଘ ବନ୍ଦକୁ ନୈତିକ ସମର୍ଥନ କରିଛନ୍ତି। ତେବେ ସେମାନେ କାର୍ଯ୍ୟ ବନ୍ଦ କରି‌ବା ପାଇଁ ଘୋଷଣା କରି ନାହାନ୍ତି। କିନ୍ତୁ ବନ୍ଦରେ ସାମିଲ ହେଉଥିବା ସଂସ୍ଥାଗୁଡ଼ିକ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ଓ ବ୍ୟାଙ୍କ ସାମ୍ନାରେ ପିକେଟିଂ କରିବାକୁ ଘୋଷଣା କରିଥିବାରୁ ବ୍ୟାଙ୍କ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।
ତେବେ ଭାରତ ବନ୍ଦ ବେଳେ ଜରୁରୀକାଳୀନ ସେବାଗୁଡ଼ିକୁ ବ୍ୟାହତ କରାଯିବ ନାହିଁ। ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ, ଦୁଗ୍ଧ ଗାଡ଼ି, ଔଷଧ ଦୋକାନ, ଆମ୍ବୁଲାନ୍ସ ସେବା, ଡାକ୍ତରଖାନା, ପରୀକ୍ଷାର୍ଥୀଙ୍କୁ କୌଣସି ବାଧା ଦିଆଯିବ ନାହିଁ ବୋଲି ବନ୍ଦ ପାଳନକାରୀ ସଂସ୍ଥାଗୁଡ଼ିକ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ବିବାହ କାର୍ଯ୍ୟରେ ବାଧା ନ ଦେବାକୁ ମଧ୍ୟ କୁହାଯାଇଛି। ଆସନ୍ତାକାଲି ବିବାହ ତିଥି ଥିବାରୁ ବହୁ ସ୍ଥାନରେ ବାହାଘର ରହିଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ପ୍ରେସ୍‌ ବିବୃତିରେ କୁହାଯାଇଛି ଯେ କରୋନା ମହାମାରୀର ପ୍ରକୋପ ସମ୍ପୂର୍ଣ୍ଣ ଭାବେ ପ୍ରଶମିତ ହୋଇ ନ ଥିବା ଓ ସାଧାରଣ ପରିବହନ ବ୍ୟବସ୍ଥା ସ୍ବାଭାବିକ ଅବସ୍ଥାକୁ ଫେରି ନ ଥିବା ବେଳେ ଭାରତ ବନ୍ଦ ଡାକରା ଯୋଗୁ ଗମନାଗମନ ଓ ପରିବହନ ବ୍ୟବସ୍ଥା ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏହା କରୋନା ସଂକ୍ରମଣ ଉପରେ ପ୍ରତିକୂଳ ପ୍ରଭାବ ପକାଇବାର ଆଶଙ୍କା ମଧ୍ୟ ରହିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ବନ୍ଦ ରଖିବା ନିମନ୍ତେ ସରକାରଙ୍କ ଦ୍ବାରା ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଏହି ସମୟରେ ସମସ୍ତ ଅତ୍ୟାବଶ୍ୟକ ଜରୁରୀ ସରକାରୀ ସେବା ବଜାୟ ରହିବ।
ଭାରତ ବନ୍ଦକୁ ସଫଳ କରିବା ପାଇଁ ଆଜି ଅପରାହ୍ନରେ କଂଗ୍ରେସ ଭବନରେ ୮ଟି ରାଜନୈତିକ ଦଳଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯାଇଥିଲା। ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀ ଡକାଯାଇ ବନ୍ଦକୁ ସମର୍ଥନ ଘୋଷଣା କରାଯାଇଛି। ବିଭିନ୍ନ ସଂଗଠନ ପକ୍ଷରୁ ମଶାଲ ଶୋଭାଯାତ୍ରା ଆୟୋଜନ କରାଯାଇ ବନ୍ଦ ସପକ୍ଷରେ ସଚେତନତା ସୃଷ୍ଟି କରାଯାଇଛି।
ବିଜେଡି ବନ୍ଦକୁ ସମର୍ଥନ କରୁ ନ ଥିବା ଜଣାପଡ଼ିଛି। ଆଜି ସକାଳେ ବିଜେଡିର ଉପସଭାପତି ତଥା ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର ଆଜି ଗଣମାଧ୍ୟମକୁ କହିଥିଲେ ଯେ ଚାଷୀ ସମସ୍ୟା ପ୍ରତି ଆମର ନୈତିକ ସମର୍ଥନ ରହିଛି। ବିଜେଡି ସଂସଦରେ ଆଭିମୁଖ୍ୟ ସ୍ପଷ୍ଟ କରିଛି। ତେବେ ଭାରତ ବନ୍ଦକୁ ବିଜେଡି ସମର୍ଥନ ଦେବ କି ନାହିଁ ତାହା ଦଳର ସଭାପତି ନିଷ୍ପତ୍ତି ନେବେ। ତେବେ ରାତିରେ ବିଜେଡିର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ ଚାଷୀଙ୍କ ଆଶଙ୍କା ଦୂର କରି ସେମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ହେବା ଗୁରୁତ୍ବପୂର୍ଣ୍ଣ। ଆସନ୍ତା ୯ ତାରିଖରେ କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନାରେ ସମସ୍ୟା ସମାଧାନ ହେବା ନେଇ ବିଜେଡି ଆଶାବାଦୀ। ସ୍ବାମୀନାଥନ୍ କମିଟି ସୁପାରିସ୍‌ ଅନୁଯାୟୀ ଏମ୍‌ଏସ୍‌ପିକୁ ଦୁଇ ଗୁଣ କରିବା ପାଇଁ ବିଜେଡି ସବୁବେଳେ ଦାବି କରିଆସିଛି। ଚାଷୀଙ୍କ ସ୍ବାର୍ଥ ପାଇଁ ବିଜେଡି ସବୁବେଳେ ସ୍ବର ଉଠାଇଛି। ଏହା ମଧ୍ୟ ଆଗକୁ ଜାରି ରହିବ।

Leave A Reply

Your email address will not be published.