ବିଦାୟ ନେଲେ ଦିଗଗଜ୍‌ ଅଭିନେତା ଦିଲ୍ଲୀପ କୁମାର

0

ମୁମ୍ବାଇ, ୭।୭: ପରଲୋକରେ ଦିଗ୍‌ଗଜ ଅଭିନେତା ଦିଲ୍ଲୀପ କୁମାର। ୯୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି। ମୁମ୍ଵାଇର ହିନ୍ଦୁଜା ହସ୍ପିଟାଲରେ ସକାଳ ୭ଟା ୩୦ରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ଦିଲ୍ଲୀପ କୁମାର ନିଧନରେ ବଲିଉଡରେ ଶୋକର ଛାୟା ଖେଳି ଯାଇଛି। ଦୀର୍ଘ ଦିନର ଅସୁସ୍ଥତା କାରଣରୁ ତାଙ୍କୁ ଗତ ଜୁନ୍ ୨୯ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ପାର୍କର ଜୋ ତାଙ୍କର ଚିକିତ୍ସା କରୁଥିଲେ। ପାର୍କର ଜୋ ବଲିଉଡର ଏହି ଟ୍ରାଜେଡି କିଙ୍ଗ୍‌ଙ୍କ ପରଲୋକ ବିଷୟରେ ସୂଚନା ଦେଇଛନ୍ତି।

ପ୍ରକାଶ ଥାଉକି, ଦିଲୀପ କୁମାରଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ଏଥିପାଇଁ ତାଙ୍କୁ ଗତ ଜୁନ୍ ମାସରେ ୨ ଥର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତ ୨୯ରେ ତାଙ୍କୁ ପୁଣି ଥରେ ମୁମ୍ଵାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ଵାସ୍ଥ୍ୟାବସ୍ଥା ବିଗିଡିବା କାରଣରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଦିଲୀପଙ୍କ ପତ୍ନୀ ତଥା ବରିଷ୍ଠ ଅଭିନେତ୍ରୀ ସାଇରା ବାନୁ ଦିଲୀପଙ୍କ ଆଡମିଟ୍ ନେଇ ଗଣମାଧ୍ୟମକୁ ଜଣାଇଥିଲେ ।

୧୯୨୨ ଡିସେମ୍ଵର ୧୧ରେ ପାକିସ୍ତାନରେ ଦିଲ୍ଲୀପ କୁମାରଙ୍କ ଜନ୍ମ ହୋଇଥିଲା। ତାଙ୍କର ପ୍ରଥମ ନାମ ୟୁସୁଫ ଖାନ୍ ଥିଲା। ପରେ ସେ ପରଦାରେ ଦିଲ୍ଲୀପ କୁମାର ନାମରେ ପରିଚିତ ହୋଇଥିଲେ। ଜଣେ ପ୍ରଡ୍ୟୁସରଙ୍କ କଥାରେ ସେ ତାଙ୍କ ନାମ ପରିବର୍ତ୍ତନ କରିଥିଲେ। ୧୯୪୪ରେ ଭାଟା ଫିଲ୍ମରେ ଏହି ଭେଟେରାନ୍ ଅଭିନେତା ଡେବ୍ୟୁ କରିଥିଲେ। ଅଭିନେତ୍ରୀ ନୂର ଜାହାଁଙ୍କ ସହ ତାଙ୍କର ଯୋଡି ବେଶ୍ ହିଟ୍ ଥିଲା। ଫିଲ୍ମ ଜୁଗୁନୁ ଦିଲ୍ଲୀପ କୁମାରଙ୍କ ପ୍ରଥମ ହିଟ୍ ଫିଲ୍ମ।ଏହାପରେ ଅଭିନେତା ଫିଲ୍ମ ଜଗତକୁ ବହୁ ସୁପରହିଟ୍ ଫିଲ୍ମ ଭେଟି ଦେଇଛନ୍ତି। ତାଙ୍କର ମୁଗଲ-ଏ-ଆଜମ ଫିଲ୍ମ ସେ ସମୟରେ ଖୁବ୍ ହିଟ୍ ହୋଇଥିଲା। ୧୯୬୦ ଅଗଷ୍ଟ ମାସରେ ନିର୍ମାଣ ଏହି ଫିଲ୍ମ ସେ ସମୟରେ ବଡ଼ ବଜେଟ୍‌ରେ ହୋଇଥିଲା।

ଦିଲ୍ଲୀପ କୁମାରଙ୍କୁ ୮ଟି ଫିଲ୍ମଫେୟାର ଆୱାର୍ଡ ମିଳିଛି। ସବୁଠାରୁ ଅଧିକ ଆୱାର୍ଡ ଜିତିଥିବା କାରଣରୁ ତାଙ୍କର ନାମ ଗିନିଜ୍ ୱାର୍ଡ ରେକର୍ଡରେ ସ୍ଥାନିତ ହୋଇଛି। ତାଙ୍କୁ ୧୯୯୧ରେ ପଦ୍ମ ଭୂଷଣ ଏବଂ ୨୦୧୫ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ୧୯୯୪ରେ ତାଙ୍କୁ ଦାଦା ସାହେବ ଫାଳକେ ଆୱାର୍ଡରେ ସମ୍ମାନିତ କରାଯାଇଥିଲା। ୨୦୦୦ରୁ ୨୦୦୬ ଯାଏଁ ସେ ରାଜ୍ୟସଭାର ସଦସ୍ୟ ହୋଇଥିଲେ। ୧୯୯୮ରେ ସେ ପାକିସ୍ତାନର ସର୍ବଶ୍ରେଷ୍ଠ ନାଗରିକ ସମ୍ମାନ ନିଶାନ-ଏ-ଇମତିୟାଜ ସମ୍ମାନରେ ସମ୍ମାନିତ ହୋଇଥିଲେ।

Leave A Reply

Your email address will not be published.