ଗର୍ଭବତୀ ମହିଳା କରୋନା ଲଢ଼େଇ ପାଇଁ ଟିକା ନେବା ଜରୁରି

ନୂଆଦିଲ୍ଲୀ, ୯।୭ : କରୋନା ବିରୋଧରେ ଲଢ଼େଇ ପାଇଁ ଗର୍ଭବତୀ ମହିଳାମାନେ କରୋନା ଟିକା ନେବା ଦରକାର। ଏଥିରେ ସେମାନେ ସୁରକ୍ଷିତ ରହିବା ସହିତ କରୋନା ସହିତ ମୁକାବିଲା କରିପାରିବାର ଶକ୍ତି ପାଇବେ। ନୀତି ଆୟୋଗ(ସ୍ୱାସ୍ଥ୍ୟ)ର ଭିକେ ପଲ୍ ଏହି ସୂଚନା ଦେଇଛନ୍ତି। ଗର୍ଭବତୀ ମହିଳାମାନେ ଟିକା ନେଲେ କୌଣସି ଅସୁବିଧାନ ହେବ ନାହିଁ। ବରଂ ଏହା ସେମାନଙ୍କ ପାଇଁ ସୁରକ୍ଷିତ ବୋଲି ତାଙ୍କ ପାଖରେ ତଥ୍ୟ ରହିଛି ବୋଲି ଶ୍ରୀ ପଲ୍ ସୂଚନା ଦେଇଛନ୍ତି।

ମା ସହିତ ପିଲାକୁ ବି କରୋନା ସଂକ୍ରମଣ ହେବାର ଅଧିକ ଆଶଙ୍କା ରହିଛି। ତେଣୁ ଗର୍ଭବତୀ ମହିଳମାନେ ଟିକା ନେବା ଆବଶ୍ୟକ ବୋଲି ଶ୍ରୀ ପଲ କହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ଗାଇଡ୍‌ଲାଇନ୍ ଜାରି କରି ସାରିଛି।

ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଯଦି ଜଣେ ଗର୍ଭବତୀ ମହିଳା କରୋନାରେ ସଂକ୍ରମିତ ହୁଅନ୍ତି ତେବେ ତାଙ୍କର ସମୟ ପୂର୍ବରୁ ଡେଲିଭରି କରିବାର ଚାନ୍ସ ରହିଛି। ତେଣୁ ମହିଳାମାନେ ଚିକା ନେବା ଆବଶ୍ୟକ ବୋଲି ଶ୍ରୀ ପଲ୍ କହିଛନ୍ତି। ଜୁଲାଇ ୨ ତାରିଖରେ ଗର୍ଭବତୀ ମହିଳାଙ୍କୁ ମଧ୍ୟ ଟିକାକରଣ ଅଭିଯାନରେ ସାମିଲ୍ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଥିଲା। ଏହା ପୂର୍ବରୁ ନ୍ୟାସ୍‌ନାଲ ଟେକ୍ନିକାଲ ଆଡ୍‌ଭାଇଜରୀ ଗ୍ରୁପ୍‌ ଅନ୍ ଇମ୍ୟୁନାଇଜେସନ୍(ଏନ୍‌ଟିଏଜିଆଇ) କେନ୍ଦ୍ର ସରକାରଙ୍କୁ ଏନେଇ ପ୍ରସ୍ତାବ ଦେଇଥିଲା। ଯାହାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ମଧ୍ୟ ଗ୍ରହଣ କରିଛି।  

Comments are closed.