ରାଜ୍ୟର ସବୁ ସହରରେ ସପ୍ତାହନ୍ତ ସଟ୍‌ଡାଉନ୍ କଡ଼ାକଡ଼ି ହେବ କରୋନା କଟକଣା ସବୁ ଦିନେ ନାଇଟ୍‌ କର୍ଫ୍ୟୁ ଜାରି ରହିବ ହାଟ, ବଜାର ପାଇଁ ବି କଟକଣା

0

ଭୁବନେଶ୍ବର,୧୯/୪: କରୋନା କଟକଣାକୁ ରାଜ୍ୟ ସରକାର ଆହୁରି କଠୋର କରିଛନ୍ତି। ଚଳିତ ସପ୍ତାହରୁ ସାରା ରାଜ୍ୟର ସବୁ ସହରରେ ସପ୍ତାହନ୍ତ ସଟ୍‌ଡାଉନ୍‌ ହେବ। ସବୁ ଶନିବାର ଓ ରବିବାର ସହରଗୁଡ଼ିକ ବନ୍ଦ ରହିବ। ଅନ୍ୟ ଦିନଗୁଡ଼ିକରେ ସବୁ ସହରରେ ନାଇଟ୍‌ କର୍ଫ୍ୟୁ ଜାରି ରହିବ।
ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ ପ୍ରଦୀପ କୁମାର ଜେନାଙ୍କ ସୂଚନା ଅନୁଯାୟୀ ପୂର୍ବ ପରି ୧୦ଟି ଜିଲ୍ଲାରେ ସନ୍ଧ୍ୟା ୬ଟାରୁ ସକାଳ ୫ଟା ଯାଏ ନାଇଟ୍‌ କର୍ଫ୍ୟୁ ଜାରି ରହିବ। ଅନ୍ୟ ଜିଲ୍ଲାର ସହରାଞ୍ଚଳରେ ରାତି ୯ଟାରୁ ସକାଳ ୫ଟା ଯାଏ ନାଇଟ୍‌ କର୍ଫ୍ୟୁ ରହିବ। କୋଭିଡ୍‌ ସଂକ୍ରମଣକୁ ରୋକିବା ପାଇଁ ସବୁ ସହରରେ ପ୍ରତି ଶନିବାର ଓ ରବିବାର ସଟ୍‌ଡାଉନ୍ କରାଯିବ। ସଟ୍‌ଡାଉନ୍ ସମୟରେ କିଛି କ୍ଷେତ୍ର ପାଇଁ କଟକଣା କୋହଳ କରାଯାଇଛି। ଏହି ସମୟରେ ସମସ୍ତ ହସ୍ପିଟାଲ୍‌, ଔଷଧ ଦୋକାନ ଖୋଲା ରହିବ। ଟେଲିକମ୍ ଓ ପେଟ୍ରୋଲ ପମ୍ପ ଖୋଲା ରହିବା ସହ ଜଳଯୋଗାଣ, ବିଦ୍ୟୁତ ଯୋଗାଣ କାର୍ଯ୍ୟରେ ନିୟୋଜିତ କର୍ମଚାରୀମା‌ନଙ୍କୁ କଟକଣାମୁକ୍ତ କରାଯାଇଛି। ସେହିପରି ଶିଳ୍ପ ସଂସ୍ଥା ଓ ନିର୍ମାଣ କାମ ଜାରି ରହିବ। ହୋଟେଲ୍‌, ଆତିଥେୟତା ଯୋଗାଉଥିବା ସଂସ୍ଥା, ଆଇଟି ସଂସ୍ଥା ଆଦି କାର୍ଯ୍ୟ କରିବ। ଗଣମାଧ୍ୟମ କର୍ମଚାରୀମାନେ ଯା’ଆସ କରିବେ। ବିବାହ ଓ ଅ‌େନ୍ତ୍ୟଷ୍ଟିକ୍ରିୟା କରିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁମତି ନେବାକୁ ପଡ଼ିବ। ବିମାନବନ୍ଦର, ରେଳଷ୍ଟେସନ୍ ଓ ବସ୍‌ଷ୍ଟାଣ୍ଡ୍‌କୁ ଯାତ୍ରୀ ନେବା ଆଣିବା କରୁଥିବା ଗାଡ଼ିକୁ ଅନୁମତି ଦିଆଯିବ। ଖବରକାଗଜ ହକର୍‌ମାନେ ସକାଳ ୫ଟାରୁ ୮ଟା ଭିତରେ ଖବରକାଗଜ ବିତରଣ କରିବେ। ସଟ୍‌ଡାଉନ୍ ପାଇଁ ସ୍ବତନ୍ତ୍ର ପାସ୍‌ ଦିଆଯିବ ନାହିଁ।
ପୂର୍ବ କଟକଣା ଅନୁଯାୟୀ ବିବାହ ଉତ୍ସବରେ କୌଣସି ପରିସ୍ଥିତିରେ ୫୦ ଲୋକ(କର୍ତ୍ତା, ଅତିଥି, ପୁରୋହିତ, କ୍ୟାଟରିଂ ସଂସ୍ଥା କର୍ମଚାରୀଙ୍କୁ ମିଶାଇ)ରୁ ଅଧିକ ହେବେ ନାହିଁ। ଅନ୍ତ୍ୟେଷ୍ଟି କ୍ରିୟାରେ ଏହି ସଂଖ୍ୟା ୨୦ ଭିତରେ ସୀମିତ ରହିବ। ବିବାହ ଶୋଭଯାତ୍ରା ହୋଇପାରିବ ନାହିଁ। ବିବାହ ବାଦ୍‌ ବ୍ରତଘର, ଜନ୍ମଦିନ, ‌ଏକୋଇଶିଆ, ବିବାହ ବାର୍ଷିକୀ ଆଦି କାର୍ଯ୍ୟକ୍ରମ ପାଇଁ ଅନୁମତି ମିଳିବ ନାହିଁ। କୌଣସି ମଣ୍ଡପ କିମ୍ବା ହୋଟେଲ୍‌ରେ ଏପରି କାର୍ଯ୍ୟକ୍ରମ ହୋଇପାରିବ ନାହିଁ।
ରାଜ୍ୟରେ ସାମାଜିକ, ସାଂସ୍କୃତିକ, ରାଜନୈତିକ, ଧାର୍ମିକ ସଭାସମିତି ସମ୍ପୂର୍ଣ୍ଣ ବାରଣ କରାଯାଇଛି। କୌଣସି ପ୍ରକାର ଶୋଭଯାତ୍ରାକୁ ମଧ୍ୟ ଅନୁମତି ମିଳିବ ନାହିଁ। ଧର୍ମପୀଠଗୁଡ଼ିକୁ ଶ୍ରଦ୍ଧାଳୁ ଯିବେ କି ନାହିଁ, ତାହା ଜିଲ୍ଲାର ପରିସ୍ଥିତି ଦେଖି ଜିଲ୍ଲାପାଳ ନିଷ୍ପତ୍ତି ନେବେ। ଯାତ୍ରା, ଖୋଲା ମଞ୍ଚ ଆଉ ଚାଲିପାରିବ ନାହିଁ। ହାଟ, ମାଛ ବଜାର ଆଦିରେ ଗହଳି କମାଇବା ପାଇଁ ବିକେନ୍ଦ୍ରୀକରଣ କରାଯିବ। ପ୍ରତି ଦୁଇଟି ଦୋକାନ ମଝିରେ ୩୦ ଫୁଟ ବ୍ୟବଧାନ ରହିବ। ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ମଲ୍‌ ଚାଲିବ। କୋଭିଡ୍‌ ଗାଇଡ୍‌ଲାଇନ୍ ପାଳନ ଠିକ୍ ଭାବେ ହେଉଛି କି ନାହିଁ, ତାହା ମଲ୍‌ କର୍ତ୍ତୃପକ୍ଷ ନିଶ୍ଚିତ କରିବେ। ମଲ୍‌ରେ ଥିବା ରେସ୍ତେ‌ାଁରାଗୁଡ଼ିକ କେବଳ ଖାଦ୍ୟ ପାର୍ସଲ୍‌ ଦେଇପାରିବେ।

Leave A Reply

Your email address will not be published.