ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ଗୃହୀତ ; ସପକ୍ଷରେ ୨୧୫, ବିରୋଧରେ ୦ ଭୋଟ

ନୂଆଦିଲ୍ଲୀ, ୨୧/୯: ରାଜ୍ୟସଭାରେ ଗୃହୀତ ହୋଇଛି ମହିଳା ମାନଙ୍କୁ ସଂରକ୍ଷଣ ପ୍ରଦାନ କରୁଥିବା ‘ନାରୀଶକ୍ତି ବନ୍ଦନା ବିଲ୍ ୨୦୨୩’  । ବିଲର ସମର୍ଥନରେ ୨୧୫ଟି ଭୋଟ ପଡ଼ିଥିବାବେଳେ ବିପକ୍ଷରେ କୌଣସି ଭୋଟ ପଡ଼ିନଥିଲା ବୋଲି ଭୋଟିଂ ପରେ ରାଜ୍ୟସଭା ସଭାପତି ଜଗଦୀପ ଧନକର କହିଛନ୍ତି । ଏହି ବିଲ ଗତ କାଲି ଲୋକସଭାରେ ଗୃହୀତ ହୋଇଥିଲା । ଉଭୟ ଲୋକସଭା ଓ ରାଜ୍ୟସଭାରେ ଗୃହୀତ ହେବା ପରେ ଏବେ ଏହି ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ବିଲଟି ଆଇନରେ ପରିଣତ ହେବ ।

ଭୋଟିଂ ପୂର୍ବରୁ ଏହି ବିଲ ଉପରେ ରାଜ୍ୟସଭାରେ ବିତର୍କ ହୋଇଥିଲା । ବିତର୍କରେ ଭାଗ ନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି ବିଲ୍ ଉପରେ ଦୁଇ ଦିନ ଧରି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲିଛି। ସମସ୍ତ ସହଯୋଗୀ ଅର୍ଥପୂର୍ଣ୍ଣ ଆଲୋଚନା କରିଛନ୍ତି। ଭବିଷ୍ୟତରେ ମଧ୍ୟ ଏହି ଆଲୋଚନାର ପ୍ରତିଟି ଶବ୍ଦ ଆମ ଯାତ୍ରାରେ ଉପଯୋଗୀ ହେବାକୁ ଯାଉଛି। ଏହି ବିଲକୁ ସମର୍ଥନ କରିଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ।

ପ୍ରଧାନମନ୍ତ୍ରୀଙ୍କ ପୂର୍ବରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଥିଲେ ଯେ ମହିଳା ସଂରକ୍ଷଣ ବିଲରେ ଓବିସିମାନଙ୍କୁ ସଂରକ୍ଷଣ ଦିଆଯାଉ । ଯଦି ବିଲରେ ଏପରି ବ୍ୟବସ୍ଥା ନାହିଁ ତେବେ ସଂଶୋଧନ କରାଯାଉ ।

 

Comments are closed.