ଦେଶରେ ଜାତିଭିତ୍ତିକ ଜନଗଣନା ପାଇଁ ମୋଦିଙ୍କୁ ଭେଟିବେ ୧୦ ରାଜନୈତିକ ଦଳର ପ୍ରତିନିଧି ମଣ୍ଡଳୀ

ନୂଆଦିଲ୍ଲୀ, ୨୧।୮: ଦେଶରେ ଜାତିଭିତ୍ତିକ ଜନଗଣନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଚାପ ସୃଷ୍ଟି କରିବେ ୧୦ଟି ରାଜନୈତିକ ଦଳର ନେତା। ବିହାର ମୁଖ୍ୟମନ୍ତ୍ରୀ ତଥା ବିଜେପିର ଘନିଷ୍ଠ ସହଯୋଗୀ ନୀତୀଶ କୁମାରଙ୍କ ନେତୃତ୍ୱରେ ୧୦ଟି ରାଜନୀତିକ ଦଳର ନେତା ସୋମବାର ଦିନ ମୋଦିଙ୍କୁ ଭେଟିବେ। ଦିନ ୧୧ଟାରେ ମୋଦିଙ୍କ ସରକାରୀ ବାସଭବନରେ ଏହି ବୈଠକ ହେବ। ଏହି ସମୟରେ ସେମାନେ ଜାତିଭିତ୍ତିକ ଜନଗଣନା କରିବାକୁ ପ୍ରଧାନମନ୍ତ୍ରୀଙ୍କୁ କହିବେ। ନୀତୀଶ କୁମାରଙ୍କ ନେତୃତ୍ୱରେ ମୋଦିଙ୍କୁ ଭେଟିବାକୁ ଥିବା ନେତାମାନଙ୍କ ମଧ୍ୟରେ ଆର୍ଜେଡିର ତେଜସ୍ୱୀ ଯାଦବ ମଧ୍ୟ ରହିଛନ୍ତି।
ନୀତୀଶ କୁମାର କହିଛନ୍ତି, ୧୦ଟି ରାଜନୈତିକ ଦଳର ନେତାଙ୍କୁ ନେଇ ଗଠିତ ଗୋଟିଏ ପ୍ରତିନିଧିମଣ୍ଡଳୀ ସୋମବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ। ସମସ୍ତେ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରିବେ। ଦେଶର ଜାତିଭିତ୍ତିକ ଜନଗଣନା କରାଯାଉ ବୋଲି ଲୋକମାନେ ଇଚ୍ଛା ପ୍ରକାଶ କରିଛନ୍ତି। ମୋର ଆଶା ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ସକାରାତ୍ମକ ଆଲୋଚନା ହେବ ବୋଲି ସେ କହିଛନ୍ତି। ସୂଚନା ଥାଉ କି, ମୋଦିଙ୍କୁ ଭେଟିବା ପୂର୍ବରୁ ନୀତୀଶ କୁମାର ଦୀର୍ଘ ଦିନ ହେଲାଣି ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରି ଆସୁଛନ୍ତି। ଲୋକସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଜାତିଭିତ୍ତିକ ଜନଗଣନା କରାଯିବ ନାହିଁ ବୋଲି କହିବା ପରେ ନୀତୀଶ କୁମାର ଏହା ବିରୋଧରେ ସ୍ୱର ଉଠାଇଛନ୍ତି।

Comments are closed.