ଚାଷୀଙ୍କୁ ରୋକିବାକୁ ୧୨ ସ୍ତରୀୟ ବ୍ୟାରିକେଟ୍

ଭୁବନେଶ୍ବର, ୩୧।୧: ଅଭେଦ୍ୟ ଦୂର୍ଗରେ ପରିଣତ ହେଲା ଦିଲ୍ଲୀ-ଗାଜିପୁର ସୀମା। ଆନ୍ଦୋଳନକାରୀ ଚାଷୀଙ୍କ ବଢ଼ୁଥିବା ସଂଖ୍ୟାକୁ ଦେଖି ରାତାରାତି ତିଆରି କରାଯାଇଛି ୧୨ ସ୍ତରୀୟ ବ୍ୟାରିକେଡ୍। ଆନ୍ଦୋଳନକାରୀ ଚାଷୀଙ୍କୁ ଅଟକାଇବା ପାଇଁ ଏଭଳି ନୂଆ ଫଣ୍ଡା ଆପଣାଇଛି ଦିଲ୍ଲୀ ପୁଲିସ। ବ୍ୟାରିକେଡ ସହ କଣ୍ଟା ଯୁକ୍ତ ତାର ମଧ୍ୟ ବିଛାଯାଇଛି। ଏନଏଚ୍-୨୪କୁ ପୁରାପୁରି ବନ୍ଦ ରଖାଯାଇଛି। ନୋଇଡା ସେକ୍ଟର-୬୨ରୁ ଅକ୍ଷରଧାମ ରାସ୍ତାକୁ ପୁରାପୁରି ସିଲ୍ କରାଯାଇଛି।
ଜାନୁଆରି ୨୬ ତାରିଖ ଦିନ ଦିଲ୍ଲୀରେ ହୋଇଥିବା ହିଂସା ପରେ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ଦିଲ୍ଲୀ ସହ ସଲଗ୍ନ କୃଷକମାନ ଧାରଣା ଦେଉଥିବା ସମସ୍ତ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଶନିବାର ରାତିରେ ଦିଲ୍ଲୀ-ଗାଜିପୁର ସୀମାରେ ୧୨ ସ୍ତରୀୟ ବ୍ୟାରିକେଡ୍ ଲଗାଯାଇଛି। ଏହାପୂର୍ବରୁ ସିଙ୍ଘୁ ସୀମାରେ ମଧ୍ୟ ବ୍ୟାରିକେଡ୍ ଲଗାଯାଇଥିଲା। ଗାଜିପୁର, ଟିକ୍ରି ଓ ସିଙ୍ଘୁ ସୀମାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି। ଶୁକ୍ରବାର ସ୍ଥାନୀୟ ଲୋକେ ଓ କୃଷକଙ୍କ ମଧ୍ୟରେ ହୋଇଥିବା ସଙ୍ଘର୍ଷ ପରେ ପୋଲିସ ଆହୁରି ସତର୍କ ହୋଇ ପଡିଛି।
ଗତକାଲିଠୁ ପଞ୍ଜାବ ଓ ହରିୟାଣାରୁ ଶତାଧିକ କୃଷକମାନେ ଗାଜିପୁର ସୀମାକୁ ଆନ୍ଦୋଳନ କରିବାକୁ ପହଁଚୁଥିବା ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ପୁଲିସ ଓ ସିଆରପିଏଫ ପ୍ରବେଶ କରୁଥିବା ସମସ୍ତ ଲୋକଙ୍କ ଉପରେ କଡା ନଜର ରଖିଛନ୍ତି। ଏନେଇ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ, ଶୁକ୍ରବାର ହିଂସା ହୋଇଥିଲା। ତେଣୁ କୌଣସି ମୂହୁର୍ତ୍ତରେ ଚାଷୀମାନ ଆନ୍ଦୋଳନକୁ ଉଗ୍ର କରିପାରନ୍ତି। ମାହୋଲ ବିଗିଡିବା ସମ୍ଭାବନା ରହିଛି।
ଶୁକ୍ରବାର କୃଷକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବଡ ସଙ୍ଘର୍ଷ ଘଟିଥିଲା। ପରସ୍ପରକୁ ପଥରମାଡ କରିଥିଲେ। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ଲାଠିମାଡ କରିବା ସହ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବାକୁ ପଡିଥିଲା।

Comments are closed.